ବସ୍‌ର କର୍ମଚାରୀଙ୍କ ଅମାନବିକତା; ଅସୁସ୍ଥ ମହିଳାଙ୍କୁ ରାସ୍ତାରେ ଓହ୍ଲାଇଦେଲେ, ପୁଅ ଆଗରେ ଲିଭିଗଲା ଜୀବନଦୀପ

Advertisment
ବସ୍‌ର କର୍ମଚାରୀଙ୍କ ଅମାନବିକତା; ଅସୁସ୍ଥ ମହିଳାଙ୍କୁ ରାସ୍ତାରେ ଓହ୍ଲାଇଦେଲେ, ପୁଅ ଆଗରେ ଲିଭିଗଲା ଜୀବନଦୀପ

ଗଞ୍ଜାମ: ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରୁ ଆଜି ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଚଳନ୍ତା ବସ୍‌‌ରେ ଜଣେ ମହିଳା ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ବଦଳରେ ଗୁରୁତର ଅବସ୍ଥାରେ ଅଧା ରାସ୍ତାରେ ଓହ୍ଲାଇ ଚାଲିଗଲେ ବସ୍‌ ଚାଳକ ଓ କର୍ମଚାରୀ। ଏଭଳିକି ଅନ୍ୟ ଯାତ୍ରୀମାନେ ମାନବିକତା ଦେଖାଇ ତାଙ୍କୁ ନିକଟ ଡାକ୍ତରଖାନାକୁ ‌ନେବାକୁ ଉଚିତ ମଣି ନଥିଲେ। ବରଂ କର୍ମଚାରୀମାନେ ତାଙ୍କୁ ଓ ସାଙ୍ଗରେ ଥିବା ତାଙ୍କ ପୁଅକୁ ଓହ୍ଲାଇ ପଡ଼ିବାକୁ ବାଧ୍ୟ କରିଥିଲେ। କିଛି ସମୟ ପରେ ଜାତୀୟ ରାଜପଥ ପାର୍ଶ୍ବରେ ହିଁ ମହିଳାଜଣକ ପୁଅ ଆଖି ଆଗରେ ଛଟପଟ ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ୍ ଗୌତମୀ ପଞ୍ଚାୟତ ପଦ୍ମତୋଳା ଗ୍ରାମର ସୁଜିତ ସ୍ୱାଇଁ ତାଙ୍କ ଅସୁସ୍ଥ ମାଆ ରୁନୁ ସ୍ବାଇଁଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ୍ ଡାକ୍ତରଖାନାକୁ ନେଉଥିଲେ। ଉଭୟ ଏକ ଘରୋଇ ବସ୍‌ରେ ଯାତ୍ରା କରୁଥିବା ବେଳେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟା ବେଳ‌େ ଗଞ୍ଜାମ-ହୁମ୍ମା ରାସ୍ତାରେ ହଠାତ୍ ରୁନୁଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଆଉ ନିରୁପାୟ ପୁଅ ସୁଜିତ କାକୁତିମିନତି ହୋଇ ମାଆଙ୍କୁ କୌଣସି ନିକଟ ଡାକ୍ତରଖାନାକୁ ନେଇଯିବା ଲାଗି କର୍ମଚାରୀ ଓ ଅନ୍ୟ ସହଯାତ୍ରୀଙ୍କୁ ଆକୁଳ ନିବେଦନ କରିଥିଲେ। କିନ୍ତୁ କେହି ମଧ୍ୟ ତାଙ୍କ କଥା ଶୁଣି ନଥିଲେ। ବରଂ ଗଞ୍ଜାମ ସହର ଶନିମନ୍ଦିର ଛକ ଜାତୀୟ ରାଜପଥ ଉପରେ ସୁଜିତ ଓ ରୁନୁଙ୍କୁ ଓହ୍ଲାଇବାକୁ ବାଧ୍ୟ କରିଥିଲେ। କିଛି ସମୟ ମଧ୍ୟରେ ରାସ୍ତା ଉପରେ ହିଁ ରୁନୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ଖବର ପ୍ରଚାର ହେବା କ୍ଷଣି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବା ସହ ପୁଲିସ ପାଟ୍ରୋଲିଂ ଟିମ୍ ପହଞ୍ଚିଥିଲେ। ସମାଜସେବୀ ସନ୍ତୋଷ ଗୌଡ଼ ଓ ଅଷ୍ଟମ ବାଟାଲିଅନ୍‌ର ରାଜେନ୍ଦ୍ର ନାୟକ ପହଞ୍ଚି ଆର୍ଥିକ ସହାୟତା ଯୋଗାଇବା ସହ ଏକ ଆମ୍ବୁଲାନ୍ସ୍‌ରେ ଶବ ଗ୍ରାମକୁ ପଠାଇଥିଲେ। ବସ୍ କର୍ମଚାରୀଙ୍କ ଏଭଳି ବ୍ୟବହାରକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe