ବସ୍‌ ମାଲିକ ସଂଘର ଚେତାବନୀ: ୧ ଲକ୍ଷ ଋଣ ସହାୟତା ନଦେଲେ ୧୬ରୁ ଗଡ଼ିବନି ବସ୍‌

Advertisment
ବାବା ସାହେବଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

Sambad

ଭୁବନେଶ୍ବର : କୋଭିଡ୍‌ ଯୋଗୁଁ କ୍ଷତିଗ୍ରସ୍ତ ବସ୍‌ ମାଲିକମାନଙ୍କୁ ପୂର୍ବ ନିଷ୍ପତ୍ତି ଅନୁସାରେ ୧ ଲକ୍ଷ ଟଙ୍କା ଋଣ ସହାୟତା ସମେତ ୭ ଦଫା ଦାବି ପୂରଣ ନହେଲେ ନଭେମ୍ବର ୧୬ ତାରିଖରୁ ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ କରି ଦିଆଯିବ। ଆଜି ବସ୍‌ ମାଲିକ ସଂଘ ବୈଠକ ପରେ ସଂଘ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି।

ବସ୍ ମାଲିକ ସଂଘ କହିଛି ଯେ କୋଭିଡ୍‌ କଟକଣା କୋହଳ ସହିତ ରାଜ୍ୟରେ ୪ ମାସ ହେବ ବସ୍‌ ସେବା ସ୍ବାଭାବିକ ହୋଇଛି। ଅର୍ଥ ଅଭାବ ସାଙ୍ଗକୁ ଦୀର୍ଘଦିନ ଧରି ଗ୍ୟାରେଜ୍‌ରେ ବସ୍‌ ପଡ଼ି ରହିବା ଯୋଗୁଁ ୪୦ ପ୍ରତିଶତ ବସ୍‌ ରାସ୍ତାକୁ ଆସି ପାରି ନାହାନ୍ତି। ଅପରପକ୍ଷରେ ଚଳାଚଳ କରୁଥିବା ୬୦ ଭାଗ ବସ୍‌ ମଧ୍ୟ ବନ୍ଦ ହେବାକୁ ବସିଲାଣି। ଏହି ଅଚଳାବସ୍ଥାର ନିରାକରଣ ପାଇଁ ଜୁଲାଇ ମାସର ନିଷ୍ପତ୍ତି ଅନୁସାରେ ସରକାର ଯଥାଶୀଘ୍ର ୧ ଲକ୍ଷ ଟଙ୍କା ଋଣ ସହାୟତା ପ୍ରଦାନ କରିବା ଉଚିତ। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ରେ ଡିଜେଲ ମୂଲ୍ୟ କମ୍‌ ରହିଛି। ଓଡ଼ିଶାରେ ଏହା ଅଧିକ ରହିଥିବାରୁ ପରିବହନ ବ୍ୟୟ ମଧ୍ୟ ଅଧିକ ହେଉଛି ଏବଂ ଯାତ୍ରୀଙ୍କ ଉପରେ ଭଡ଼ା ବୋଝ ବଢୁଛି। ତେଣୁ ଡିଜେଲ ଉପରୁ ଭାଟ୍‌ କମ କରାଯାଇ ଏହାର ମୂଲ୍ୟ କମ୍‌ କରିବା ପାଇଁ ଦାବି କରାଯାଇଛି। ସେହିପରି ଭୁବନେଶ୍ବର-ସମ୍ବଲପୁର (ଭାୟା ଅନୁଗୁଳ) ଏବଂ ଭୁବନେଶ୍ବର-ବାରିପଦା ଜାତୀୟ ରାଜପଥକୁ ଯଥାଶୀଘ୍ର ମରାମତି କରିବାକୁ ସଂଘ ଦାବି କରିଛି।

ମୋଟର ଯାନ ଆଇନ ଅନୁସାରେ ପୂର୍ବରୁ ଯାତ୍ରୀବାହୀ ଯାନମାନଙ୍କର ବୟସସୀମାର ବ୍ୟବସ୍ଥା ନଥିଲା। ହେଲେ ବର୍ତ୍ତମାନ ବୟସ ଆଧାରରେ ବସ୍‌ ପରମିଟ୍‌ ନବୀକରଣ କ୍ଷେତ୍ରରେ ଅଙ୍କୁଶ ଲଗାଯାଉଛି। ତେଣୁ ବୟସସୀମା ଲାଗୁ ନ କରି ସ୍ଥାୟୀ ପରମିଟ୍‌ ପ୍ରଦାନ କରିବାକୁ ସଂଘ ଦାବି କରିଛି। ଅବଧି ମଧ୍ୟରେ ଏକ ବର୍ଷ ପାଇଁ ବସ୍‌ ଅଫ୍‌ ରୋଡ଼ ହୋଇଗଲେ, ପରମିଟ୍‌ ନବୀକରଣ ଉପରେ ଅଙ୍କୁଶ ନ ଲଗାଇ ପୂର୍ବବତ ନବୀକରଣ କରାଯିବା ଉଚିତ। ଏହାଛଡ଼ା ଦିନରେ ସ୍ଲିପର୍‌ ବସ୍‌ ଚଳାଚଳ ପାଇଁ ଅନୁମତି ପ୍ରଦାନ, ତୃତୀୟ ପକ୍ଷକୁ ବସ୍‌ ପ୍ରଦାନ ପାଇଁ ସରକାରୀ କଟକଣା କୋହଳ, ବିନା କାଗଜପତ୍ରରେ ଚାଲୁଥିବା ‘ମୋ ବସ୍‌’କୁ ବନ୍ଦ ପାଇଁ ଦାବି କରାଯାଇଛି। ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବସ୍‌ ମାଲିକ ସଂଘର ଏହି ବୈଠକରେ ଦେବେନ୍ଦ୍ର ସାହୁ, ବରଦାପ୍ରସନ୍ନ ଆଚାର୍ଯ୍ୟ, ଅଜୟ ବାରିକ ଓ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe