India information retrieval system - Worldorgs.com
ବରଗଡ଼: ନୂଆ ବସ୍ଷ୍ଟାଣ୍ଡରୁ ବସ୍ ଗଡ଼ାଇବାକୁ ପ୍ରଶାସନ ବିଭିନ୍ନ କସରତ କରୁଥିବାବେଳେ ଘରୋଇ ବସ୍ ମାଲିକ ସଂଘ ଏହାକୁ ତୀବ୍ର ବିରୋଧ କରିଛି। ପ୍ରଶାସନ ଏବଂ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଥିବା ଏହି ପୁରୁଣା ବିବାଦ କ୍ରମଶଃ ଉଗ୍ର ରୂପ ଧାରଣ କରିଛି। ମଂଗଳବାର ବିଳମ୍ବିତ ସଂଧ୍ୟାରେ ହୋଇଥିବା ସଂଘର ବୈଠକର ନିଷ୍ପତ୍ତି ଅନୁସାରେ ଆଜିଠୁ ବରଗଡ଼ ସହର ଦେଇ ବସ୍ ଚଳାଚଳ ବନ୍ଦ ରହିଛି। ବରଗଡ଼ ଘରୋଇ ବସ୍ ମାଲିକ ସଂଘର ଏହି ଆନ୍ଦୋଳନକୁ ଅନ୍ୟ ଜିଲ୍ଲାରୁ ବି ସମର୍ଥନ ମିଳିଛି। ସମ୍ବଲପୁର, ବଲାଂଗୀର, ସୋନପୁର ଏବଂ ପଦ୍ମପୁର ବସ୍ ମାଲିକ ସଂଘ ସମର୍ଥନ ଜଣାଇବା ଫଳରେ ଏହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହେବ ବୋଲି ପ୍ରତୀୟମାନ ହେଲାଣି। ଅନ୍ୟପକ୍ଷରେ ଛତିଶଗଡ଼ ବସ୍ ମାଲିକ ସଂଘ ମଧ୍ୟ ବରଗଡ଼କୁ ବସ୍ ଚଳାଚଳ ବନ୍ଦ କରିବ ବୋଲି କହି ସାରିଲାଣି। ଅଚାନକ ବସ୍ ବନ୍ଦ ହେବା ଫଳରେ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ବୁଧବାର ବସ୍ ମାଲିକ ସଂଘ ଏବଂ ପ୍ରଶାସନ ମଧ୍ୟରେ କୌଣସି ଆଲୋଚନା ଆଗେଇ ନାହିଁ।
ଫଳରେ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ ରହିବା ନିଶ୍ଚିତ ହୋଇଛି। ସଂଘର ସଂପାଦକ ଶେଖ୍ ନଜିମୁଦ୍ଦିନ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଶାସନ ପୂର୍ବର ୧୫ ଦଫା ଦାବି ଉପରେ ଯୁଦ୍ଧକାଳୀନ ଭାବେ କାର୍ଯ୍ୟ କରିବାକୁ ପୁନର୍ବାର ପ୍ରତିଶ୍ରୁତି ଦେଇଛି। ସଂଘ ଏହାକୁ ଅପେକ୍ଷା କରିଛି। ତୁରନ୍ତ ନୂଆ ବସ୍ଷ୍ଟାଣ୍ଡରୁ ବସ୍ ଚଳାଇବାରେ କିଛି ଅସୁବିଧା ନାହିଁ। ହେଲେ ପୁରୁଣା ବସ୍ଷ୍ଟାଣ୍ଡର ସମ୍ମୁଖ ବ୍ୟାରିକେଟିଂ ହଟାଇବା ଜରୁରୀ। ନୂଅା ବସ୍ଷ୍ଟାଣ୍ଡରୁ ବସ୍ ବାହାରି ପୁରୁଣା ସ୍ଥାନରେ ୫ମିନିଟ୍ ରହଣୀ ପରେ ଯାତ୍ରୀଙ୍କୁ ନେଇ ଯିବ। ଏହି ପ୍ରମୁଖ ସମସ୍ୟାର ସମାଧାନ କଲେ ହିଁ ବସ୍ ଚଳାଚଳ ସମ୍ଭବ ବୋଲି ସଂପାଦକ କହିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ୨୦ ତାରିଖରୁ ନୂଆ ବସ୍ଷ୍ଟାଣ୍ଡରୁ ବସ୍ ଗଡ଼ିଥିଲା। ଘରୋଇ ବସ୍ ମାଲିକ ସଂଘ ଦେଇଥିବା ୧୫ଟି ପ୍ରସ୍ତାବ ଉପରେ ସହମତି ପରେ ବସ୍ ଚାଲିଥିଲା। ଏଥିରେ ବସ୍ଷ୍ଟାଣ୍ଡରେ ୪ଟି ନୂଆ ବସ୍ ବେ', ଶୌଚାଳୟର ପୁନରୁଦ୍ଧାର ସହ ଏହାର ପରିଚାଳନା ଦାୟିତ୍ବ ସ୍ବତନ୍ତ୍ର ସଂସ୍ଥାକୁ ହସ୍ତାନ୍ତର, ସଂଘର ନୂତନ ସଭାଗୃହ ଓ କାର୍ଯ୍ୟାଳୟ ନିର୍ମାଣ, ଜବରଦଖଲ ଉଚ୍ଛେଦ, ଆଲୋକୀକରଣ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସଂଘ ଦାବି ରଖିଥିଲା। ସେହିପରି ପୁରୁଣା ବସ୍ଷ୍ଟାଣ୍ଡରେ ବସ୍ ଡିପୋ ଓ ୱାଟର୍ ସର୍ଭିସିଂ ସେଣ୍ଟର, ବସ୍ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ, ବସ୍ଷ୍ଟାଣ୍ଡର ମାଲିକାନା ପୌର ପରିଷଦ ନିର୍ବାହ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ଦାବି ପୂରଣ ପରିବର୍ତେ ପୁରୁଣା ବସ୍ଷ୍ଟାଣ୍ଡ ଚାରିପାଖରେ ବ୍ୟାରିକେଡିଂ ବ୍ୟବସ୍ଥାକୁ ସଂଘ ବିରୋଧ କରିଛି।
Follow Us