ଡ୍ରାଇଭରଙ୍କ ମୃତ୍ୟୁର ପ୍ରତିବ‌ାଦ : ଆଜି ପୁରୀକୁ ଗଡ଼ିବନି ବସ୍‌

Advertisment
ଡ୍ରାଇଭରଙ୍କ ମୃତ୍ୟୁର ପ୍ରତିବ‌ାଦ : ଆଜି ପୁରୀକୁ ଗଡ଼ିବନି ବସ୍‌

Update Odisha

ପୁରୀ : ମଙ୍ଗଳବାର ପୁରୀରୁ‌ କୌଣସି ବସ୍‌ ଗଡିବନି। ପୁରୀକୁ ମଧ୍ୟ କିଛି ବସ୍‌ ଅନ୍ୟ ରୁଟର ଆସିବାକୁ ଦିଆଯିବ ନାହିଁ। ପୁରୀ-କୋଣାର୍କ,ପୁରୀ-ଭୁବନେଶ୍ବର, ପୁରୀ-ସାତପଡା ଓ ଅନ୍ୟ ରୁଟ୍‌କୁ ପୁରୀରୁ ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ନୀଳିଗିରି ମୋଟର କର୍ମଚାରୀ ସଂଘର ସାଧାରଣ ସଂପାଦକ ହୃଷୀକେଶ ପାଣି ସୂଚନା ଦେଇଛନ୍ତି। ପୁରୀକୁ ପ୍ରତିଦିନ ଯା’ଆସ କରୁଥିବା ପ୍ରାୟ ୨୦୦ରୁ ଅଧିକ ବସ୍‌ ଓ ସେଥିରେ କାମ କରୁଥିବା ୮୦୦ ରୁ ଅଧିକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡିଛି।

ଗତ ୩୦ ତାରିଖ ଦିନ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ର ଚନ୍ଦ୍ରଭାଗା ନିକଟରେ ଦୁଇଟି ବସ୍‌ ମଧ୍ୟରେ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରାପଡା ଅଞ୍ଚଳରୁ ରିଜର୍ଭରେ ଆସିଥିବା ଓଡି୨୯-ଜି-୦୫୧୫ ‘ସାଇରାମ’ ନାମକ ଘରୋଇ ବସ୍‌ ସହ ଓଆର-୧୩-୯୬୦୬ ନମ୍ବର ବିଶିଷ୍ଠ ‘ଷୋଳପୁଅ ମା’ ବସର ଧକ୍‌କା ହୋଇଥିଲା। ଏଥିରେ‘ଷୋଳପୁଅ ମା’ ବସ ଡ୍ରାଇଭର ଅର୍ଜୁନ ମହାକୁଡଙ୍କୁ ଅନ୍ୟ ବସର ଯାତ୍ରୀମାନେ ପିଟି ପିଟି ମାରିଦେଇଥିବା ନେଇ ଅଭିଯୋଗ ହୋଇଥିଲା। ହେଲ୍‌ପର୍‌ ରଶ୍ମିରଞ୍ଜନ ବେହେରା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ମାତ୍ର, ଏହି ଘଟଣାକୁ ପୁଲିସ ଚପାଇ ‌ ଦେବାକୁ ଉଦ୍ୟମ କରୁଥିବା ପ୍ରତିବାଦରେ ନୀଳିଗିରି ମୋଟର କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe