Sambad English
କଟକ : କରୋନା ମହାମାରୀ ମଧ୍ୟରେ ଆଜିଠାରୁ ସାରାରାଜ୍ୟରେ ବସ୍ ଚାଲିବ। ନିଖିଳ ଓଡ଼ିଶା ବସ୍ ମାଲିକ ସଂଘର ୧୦ଦଫା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିବାପରେ ବସ୍ ଚଳାଚଳ ସ୍ବାଭାବିକ ହେବାନେଇ ଆଶା ସଂଚାର ହୋଇଛି। ମାତ୍ର, ଦୀର୍ଘ ତିନିମାସରୁ ଅଧିକ ସମୟ ଧରି ଛିଡ଼ା ହୋଇଥିବା ଗାଡ଼ିଗୁଡ଼ିକର ମରାମତି କରାଯାଇ ରାସ୍ତା ଉପରକୁ ଆଣିବା ପାଇଁ ଏବେ ଗ୍ୟାରେଜ୍ଗୁଡିକରେ ମେକାନିକ୍ ଓ ଶ୍ରମିକଙ୍କ ଅଭାବ ଦେଖାଯାଇଛି। ଏଭଳି ପରିସ୍ଥିତିରେ ସୋମବାରରୁ ମାତ୍ର ୧୦ରୁ ୧୫ ପ୍ରତିଶତ ବସ୍ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
କରେନା ମହାମାରୀ ପାଇଁ ଗତ ଏପ୍ରିଲ ୧୦ରୁ ରାଜ୍ୟ ବାହାରକୁ ଓ ମେ ମାସ ୫ରୁ ରାଜ୍ୟ ଭିତରେ ବସ୍ ଚଳାଚଳକୁ ସରକାର ବନ୍ଦ କରିଥିଲେ। ସଂକ୍ରମଣ ସ୍ଥିତିରେ ସୁଧାର ଆସିବାରୁ ଚଳିତମାସ ୧ରୁ ରାଜ୍ୟର ୨୦ଟି ଜିଲ୍ଲାରେ ଓ ଏବେ ବଳକା ୧୦ଟି ଜିଲ୍ଲାରେ ବସ୍ ଚଳାଇବାକୁ ସରକାର ଅନୁମତି ଦେଇଛନ୍ତି। ରାଜ୍ୟର ମୋଟ ୧୬ ହଜାରୁ ଅଧିକ ବସ୍ ଗତ ୩ ମାସ ଧରି ଛିଡ଼ା ହୋଇଥିବା ବେଳେ ଏବେ ସେଗୁଡ଼ିକ ଗଡ଼ିବା ପୂର୍ବରୁ ମରାମତି ଖୋଜୁଛି। କଟକ ଓ ଭୁବନେଶ୍ବରରୁ ମୋଟ ବସ୍ର ୬୦ ପ୍ରତିଶତ ଥିବା ବେଳେ ଏହାର ମରାମତି ପାଇଁ ଗ୍ୟାରେଜ୍ଗୁଡିକେର ମେକାନିକ୍ଙ୍କ ଅଭାବ ଦେଖାଯାଇଛି। କଟକ ମଙ୍ଗୁଳି ଛକରୁ ଭୁବନେଶ୍ବରର ପାତ୍ରପଡ଼ା ମଧ୍ୟରେ ୩୭୦ରୁ ଅଧିକ ଛୋଟ-ବଡ଼ ଗ୍ୟାରେଜ୍ ରହିଛି। ମାତ୍ର କରୋନା ପାଇଁ ଏଠାରେ କାମ କରୁଥିବା ମେକାନିକ୍ ଓ ଶ୍ରମିକମାନେ ଏପ୍ରିଲରୁ ସେମାନଙ୍କ ଗାଁକୁ ଚାଲିଯାଇଛନ୍ତି।
ସେପଟେ ପ୍ରତି ଗାଡ଼ିରେ ବ୍ୟବହାର ହେଉଥିବା ବ୍ୟାଟେରି ଚାର୍ଜ କରିବା ପାଇଁ ୪୮ ଘଣ୍ଟାରୁ ଅଧିକ ସମୟର ଆବଶ୍ୟକ ରହିଛି। ବସ୍ଗୁଡ଼ିକ ଛିଡ଼ା ହୋଇ ରହିଥିବାରୁ ଏବେ ଟାୟାର ଓ ଟ୍ୟୁବ୍ର ମରାମତି, କ୍ଲଜ୍ ଓ ବ୍ରେକ୍ରେ ନୂଆ ରବର, ରେଗୁଲେଟରେ କୁଲନ୍ ପଡିବା ସହିତ ମୋବିଲ୍, ଏସିରେ ଗ୍ୟାସ ଫିଲିଂ ଓ ମରାମତି, ଇଲେକ୍ଟ୍ରିକ୍ କାମ ଆଦିର ମରାମତି ଆବଶ୍ୟକ କରୁଛି। ତେବେ ଗ୍ୟାରେଜ୍ଗୁଡିକରେ ମେକାନିକ୍ ଓ ଶ୍ରମିକ ନଥିବାରୁ ଏବେ ବସ୍ ମରାମତି ପାଇଁ ସମସ୍ୟା ଦେଖାଯାଇଛି। ଗ୍ୟାରେଜ୍ରେ ୭୦ଜଣ କାମ କରୁଥିବା ବେଳେ ଏବେ ମାତ୍ର ୫ଜଣ ଅଛନ୍ତି ବୋଲି ଲିଙ୍କରୋଡ୍ର ଗ୍ୟାରେଜ୍ ମାଲିକ ବିରଞ୍ଚି ମହାମଣା କହିଛନ୍ତି। ଏଥିପାଇଁ ରାଜ୍ୟରେ ସୋମବାରରୁ ମାତ୍ର ୨ରୁ ୩ ହଜାର ବସ୍ ଚଳାଚଳ କରିବା ଆଶା ରହିଛି ବୋଲି ଅଲ୍ ଓଡ଼ିଶା ବସ୍ ଓନର ଆସୋସିଏସନ୍ର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି।
Follow Us