Worldorgs.com
କଟକ : କଟକ ବଡ଼ ମେଡିକାଲ (ଏସ୍ସିବି)ରେ ସରକାରଙ୍କ ମାଗଣା ସେବା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି। ଅର୍ଥୋପେଡିକ୍ ୱାର୍ଡରେ ଘରୋଇ ସଂସ୍ଥା ଯେଉଁଭଳି ବେପାର କରୁଛନ୍ତି, ସେଇଥିରୁ ହିଁ ଏ ସମ୍ପର୍କିତ ଅଭିଯୋଗ ସ୍ପଷ୍ଟ ହୋଇଛି। ଏସ୍ସିବି ଅର୍ଥୋପେଡିକ୍ ବିଭାଗର ଦୁଇଟି କୋଠାରେ ୬ଟି ୱାର୍ଡ, ଟ୍ରମା, ଆଇସିୟୁ ରହିଛି। ପ୍ରତିଦିନ ଓପିଡିକୁ ହାରାହାରି ଭାବେ ୬ଶହ ରୋଗୀ ଆସିଥା’ନ୍ତି। ଯଦି କାହାର ଏକ୍ସରେ’ ଆବଶ୍ୟକତା ପଡୁଛି, ତା’ହେଲେ ରୋଗୀଙ୍କୁ ଟେକି ଟେକି ନେବାକୁ ପଡ଼ୁଛି। ସେଥିପାଇଁ କେତେବେଳେ ପାଳି ପଡ଼ିବ, ସେକଥା ରୋଗୀ ସଂପର୍କୀୟ ବି ଜାଣିପାରୁ ନାହାନ୍ତି। ଏଭଳି ବ୍ୟବସ୍ଥାରୁ ବେଶ୍ ଫାଇଦା ଉଠାଉଛି ଏକ ନିର୍ଦ୍ଦିଷ୍ଟ ଘରୋଇ ଡାଇଗ୍ନୋଷ୍ଟିକ୍ ସେଣ୍ଟର। ଉକ୍ତ କେନ୍ଦ୍ରର କର୍ମଚାରୀ ପ୍ରତିଦିନ ୱାର୍ଡରେ ଆସି ପୋର୍ଟେବୁଲ ଏକ୍ସରେ’ ଧରି ଘୂରି ବୁଲୁଛନ୍ତି। ରୋଗୀଙ୍କ ଏକ୍ସରେ’ କରିବା ସହ ଏଥିପାଇଁ ୨ଶହ ଟଙ୍କା ନେଉଛନ୍ତି।
ଏସ୍ସିବିର ୱାର୍ଡ ଭିତରକୁ ବିନା ପାସ୍ରେ କାହାକୁ ଅନୁମତି ନାହିଁ। ଏପଟେ ସରକାର ବିଶ୍ବସ୍ତରୀୟ ଏସ୍ସିବି ପାଇଁ ୩ ହଜାରରୁ ଅଧିକ କୋଟି ବ୍ୟୟରେ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି। ହେଲେ ଏସ୍ସିବିରେ ଆବଶ୍ୟକ ଏକ୍ସରେ’ ଅଥବା ରେଡିଓଗ୍ରାଫର ବି ନାହାନ୍ତି। ଫଳରେ ସରକାରଙ୍କ ମାଗଣା ଚିକିତ୍ସା ସେବା ଘୋଷଣାର ଇଏ କଣ ବାସ୍ତବ ଚିତ୍ର ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଅନ୍ୟପଟେ ଅର୍ଥୋପେଡିକ୍ ବିଭାଗରେ କେବଳ ୱାର୍ଡ ପାଇଁ ମେଡିକୋ ଲିଗାଲ କେସ୍ ପାଇଁ ଜଣେ ରେଡିଓଗ୍ରାଫର ରହିଥିବା ବେଳେ ଓଟିରେ ସିଆର୍ମ ମେସିନ୍ ପାଇଁ ୨ଜଣ ରେଡିଓଗ୍ରାଫର ରହିଛନ୍ତି।
ଏସ୍ସିବିରେ ଯଦି ଏଭଳି ସ୍ଥିତି, ତା’ହେଲେ ରାଜ୍ୟର ଅନ୍ୟ ସରକାରୀ ମେଡିକାଲରେ ରୋଗୀ ସେବା ସ୍ଥିତି କିଭଳି ରହିଛି? ତେବେ, ଏଭଳି ଘଟଣା ସଂପର୍କରେ ସେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ଏସ୍ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ। ଏ ସଂପର୍କରେ ସେ ତଦନ୍ତ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।
Follow Us