କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସ୍କ୍ରାପ୍‌ ଜବତ: ଖସିଯାଇଥିବା ଚୋରା ବେପାରୀ ଗିରଫ, ଦୁଇ କୋର୍ଟଚାଲାଣ

Advertisment
କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସ୍କ୍ରାପ୍‌ ଜବତ: ଖସିଯାଇଥିବା ଚୋରା ବେପାରୀ ଗିରଫ, ଦୁଇ କୋର୍ଟଚାଲାଣ

ଧର୍ମଶାଳା : ଧର୍ମଶାଳା ଥାନା ପୁଲିସ ହାତରୁ ରବିବାର ଦିନ ଖସିଯାଇଥିବା ଚୋରା ସ୍କ୍ରାପ୍‌ ବେପାରୀ ଯାଜପୁର ସଦର ଥାନା ସାମନ୍ତରାପୁର ଗ୍ରାମର ଦାମୋଦର ସାହୁ ସୋମବାର ଦିନ ଧରାପଡ଼ିଛି। ଯାଜପୁର ଏସ୍‌ପିଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ସ୍କ୍ବାଡ୍‌ ରବିବାର ଦିନ ଦେଉଳି ଗ୍ରାମର ଏକ ଭଡ଼ାଘରୁ ବିପୁଳ ସ୍କ୍ରାପ୍‌ ଓ ବିଭିନ୍ନ ଚୋରା ସାମଗ୍ରୀ ଜବତ କରିଥିଲା। ପରେ ଦୁଇ ଅଭିଯୁକ୍ତଙ୍କୁ ଧର୍ମଶାଳା ଥାନା ପୁଲିସକୁ ହସ୍ତାନ୍ତର କରିଥିଲା। ମାତ୍ର ସେଠାରୁ ଦାମୋଦର ସାହୁ ଚମ୍ପଟ ମାରିଥିଲା। ଯାଜପୁରରୋଡ୍‌ ଥାନା ଲକ୍ଷ୍ମୀନଗର ଗ୍ରାମର ମାନସ କୁମାର ପୃଷ୍ଟିଙ୍କୁ ପୁଲିସ ଅଟକ ରଖିଥିଲା। ସୋମବାର ଏ ସଂକ୍ରାନ୍ତରେ ୧୨/୨୨ରେ ମାମଲା ରୁଜୁ କରି ଉଭୟ ଦ‌ାମୋଦର ଓ ମାନସଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ଗୋଦାମରୁ ୬ କୁଇଣ୍ଟାଲ ୮୫ କିଲୋ ତମ୍ବା, ୧.୯୨ କୁଇଣ୍ଟାଲ ପିତ୍ତଳ, ୧.୭୩ କୁଇଣ୍ଟାଲ ଆଲୁମିନିୟମ ଜବତ ହୋଇଛି। ଏଥିସହ ଏକ ଡିଜିଟାଲ ଓଜନ କଣ୍ଟା ମଧ୍ୟ ଜବତ ହୋଇଛି। ଏସବୁ ସାମଗ୍ରୀର ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ହେବ ଏବଂ ଏ ଦିଗରେ ପୁଲିସ ଅଧିକ ଅନୁସନ୍ଧାନ କରୁଥିବା ନେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଜାରକା ନିକଟ ଦେଉଳି ଗ୍ରାମରେ ଦୁଇ ବଖରା ଭଡ଼ାଘରେ ଦାମୋଦର ସାହୁ ଓ ମାନସ ଦୁଇବର୍ଷ ହେଲା ତମ୍ବା, ପିତ୍ତଳ ଆଦି ସ୍କ୍ରାପ୍‌ ବେପାର ଚଳାଇଥିଲେ। ଦିନରେ ବେପାର ସାରି ରାତିରେ ଘରକୁ ଚାଲିଯାନ୍ତି। ବିଭିନ୍ନ ସ୍ଥାନରୁ ଏସବୁ ସାମଗ୍ରୀ ଚୋରାରେ ଆସୁଥିବା ବେଳେ ଏଠାରେ ଚଢ଼ା ଦରରେ ବିକ୍ରି କରାଯାଏ। ଏ ସ˚ପର୍କରେ ଖବରପାଇ ଯାଜପୁର ଏସ୍‌ପି ସ୍ବତନ୍ତ୍ର ସ୍କ୍ବାଡ଼୍‌କୁ ଏଠାରେ ଚଢ଼ଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟର ଏସ୍‌ଆଇ ରମେଶ ସାହାଣି ଗତକାଲି ସଦଳବଳ ଆସି ୨ଜଣ ବେପାରୀଙ୍କୁ କାବୁ କରି ନେଇଥିଲେ। ପରେ ୫ଟି ଅଖାରେ ଥିବା ସ୍କ୍ରାପ୍‌ ଜବତ କରିଥିଲା। ଖବର ପାଇ ଧର୍ମଶାଳା ଥାନା ପୁଲିସ୍‌ ଜବତ ସ୍କ୍ରାପ୍‌ ସହିତ ୨ଜଣ ବେପାରୀଙ୍କୁ ଥାନାକୁ ଧରି ନେଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ଜଣେ ଖସିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe