ଦାନା ଛଡ଼ାଇନେଲା କରୋନା : ଅଭାବରୁ ଜୀବନ ହାରିଲେ ବ୍ୟବସାୟୀ

Advertisment
ଭଦ୍ରକ: ରଶିରେ ବନ୍ଧା ଯୁବକର ଗଳିତ ଶବ ନଦୀରୁ ଉଦ୍ଧାର 

image source--East ldho news

ରତ୍ନଗିରି : କରୋନାର ପ୍ରକୋପରୁ ବଳିଯାଇଛି ଲକ୍‌ଡାଉନ୍‌ର ଯନ୍ତ୍ରଣା। ଜୀବିକା ବୁଡ଼ିଯିବାରୁ ଜଣେ ‌ବ୍ୟବସାୟୀ ଅସହାୟ ହୋଇ ଜୀବନ ହାରିଦେଇଛନ୍ତି। ଏ ଘଟଣା ଆଜି ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତ ବ୍ୟବସାୟୀ ସ୍ବାଇଁଖଣ୍ତ ପଞ୍ଚାୟତର ଯଅଁପଡ଼ା ଗ୍ରାମର ବିଚିତ୍ର ସାହୁ (୪୦)। ଗତକାଲି ରାତିରେ ଘର ପଛପଟ ବାଡ଼ିରେ ଏକ ଗଛରେ ରଶି ଲଗାଇ ଝୁଲିପଡ଼ିଥିବା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଥିଲା। ବିଚିତ୍ର ଜଣେ କ୍ଷୁଦ୍ର ବୁଲା ବ୍ୟବସାୟୀ। ଗାଁ ଗାଁ ଓ ଯାତ୍ରା ବୁଲି ଚଣା, ମଟର ବିକିଥାନ୍ତି। ସେଥିରୁ ହେଉଥିବା ରୋଜଗାରରେ ପରିବାର ଚଳାଇଥାନ୍ତି। ଘରେ ପତ୍ନୀ କଳ୍ପନା (୩୫), ଝିଅ କାଦମ୍ବିନୀ(୧୧) ଓ ପୁଅ ପ୍ରାଣଜ୍ୟୋତି (୭)ଙ୍କୁ ନେଇ ତାଙ୍କ ସଂସାର। ଦୀର୍ଘ ୪ମାସ ହେବ କରୋନା କଟକଣା ଓ ଲକ୍‌ଡାଉନ୍- ସଟ୍‌ଡାଉନ୍‌ ଯୋଗୁଁ ତାଙ୍କ ବେପାର ବୁଡ଼ିଯାଇଥିଲା। ହାଟବଜାର, ଯାନିଯାତ୍ରା ସବୁ ବନ୍ଦ ହୋଇଯାଇଥିବାରୁ ଆଉ କିଛି କରିବାର ଉପାୟ ସେ ପାଇ ନଥିଲେ। ରୋଜଗାର ବନ୍ଦ ହୋଇଯିବାରୁ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇଯାଇଥିଲା। ଏଭଳି କଠିନ ପରିସ୍ଥିତିରେ ପାରିବାରିକ ଅଶାନ୍ତି ମଧ୍ୟ ଦେଖାଦେଇଥିଲା। ଅଭାବ ଅନଟନକୁ ସେ ଆଉ ସାମନା କରିପାରି ନଥିଲେ। ଶେଷରେ ସେ ଗଛରେ ରଶି ଲଗାଇ ଜୀବନ ହାରିଦେଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ବିଚିତ୍ରଙ୍କ ଶାଳକ ସରୋଜ କୁମାର ସାହୁ ଏ ସଂକ୍ରାନ୍ତରେ ବରୀ-ରାମଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବରୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶବ ବ୍ୟବଚ୍ଛେଦ ହୋଇ ଫେରିବା ପରେ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ତାଙ୍କ ଜୁଇ ଜଳିଥିଲା। ଏନେଇ ବରୀ ଥାନାରେ ୨୦/୨୦୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ପୁଲିସ କହିଛି। ସ୍ଥାନୀୟ ସରପ‌ଞ୍ଚ କିରଣବାଳା ଜେନା ଓ ସମିତିସଭ୍ୟ ସୁପ୍ରଭା ନାୟକ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe