ଆତ୍ମହତ୍ୟା କଲେ ନିହତ ବ୍ୟବସାୟୀଙ୍କ ଭାବିପତ୍ନୀ: ପ୍ରତିବାଦ ବେଳେ ପୁଲିସ-ଗ୍ରାମବାସୀ ସଂଘର୍ଷ

Advertisment
ଆତ୍ମହତ୍ୟା କଲେ ନିହତ ବ୍ୟବସାୟୀଙ୍କ ଭାବିପତ୍ନୀ: ପ୍ରତିବାଦ ବେଳେ ପୁଲିସ-ଗ୍ରାମବାସୀ ସଂଘର୍ଷ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ହଂସପୁର ଗ୍ରାମର ସିମେଣ୍ଟ୍ ବେପାରୀ କୃଷ୍ଣଚନ୍ଦ୍ର ପରିଡ଼ାଙ୍କୁ ସଂଘବଦ୍ଧ ହତ୍ୟା ଘଟଣାରେ ଆଉ ଏକ ଦୁଃଖଦ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁରେ ମ୍ରିୟମାଣ ଭାବିପତ୍ନୀ ତଥା ଉକ୍ତ ଗ୍ରାମର ଆରତି ପାହାନ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ସହିତ ପୁଲିସ୍‌ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।

କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁପରେ ତାଙ୍କ ଭାବିପତ୍ନୀ ଆରତି ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। କୃଷ୍ଣଚନ୍ଦ୍ରଙ୍କୁ ଯେଉଁଠି ହତ୍ୟା କରାଯାଇଥିଲା, ଆଜି ସେହିସ୍ଥାନକୁ ଯାଇ ଆରତି ବିଷ ପିଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ହେଲେ, ଚିକିତ୍ସାଧୀନ ଅବସ୍ଥାରେ ଆରତିଙ୍କ ମୃତ୍ୟୁ ହୋଇଥିଲା।

ଦୁଇ ଦୁଇଟି ନିରୀହ ଜୀବନଦୀପ ଲିଭିଯିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଉଠିବା ସହ ଶତାଧିକ ପୁରୁଷ ଓ ମହିଳା ଗ୍ରାମର ଛତ୍ରପୁର-ବଡ଼ମାଧପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଏହାସହ ହଂସପୁରରୁ ଛତ୍ରପୁର ଓ ବ୍ରହ୍ମପୁର ସହରକୁ ଜଳଯୋଗାଣ ପ୍ରକଳ୍ପକୁ ବନ୍ଦ କରି ଆନ୍ଦୋଳନକୁ ଜୋର୍‌ଦାର କରିଥିଲେ। ଫଳରେ, ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଗ୍ରାମବାସୀ ପାଲଟା ଟେକାପଥର ମାଡ଼ କରିଥିଲେ। ଏଥିରେ ଚମାଖଣ୍ଡି ଥାନାଧିକାରୀ ଓ ଗଞ୍ଜାମ ଥାନାଧିକାରୀ ଆହତ ହୋଇଥିଲେ। ଏହାସହ ଚମାଖଣ୍ଡି ଥାନାର ଗୋଟିଏ ଗାଡ଼ି ଏବଂ ପିସିଆର୍ ଭ୍ୟାନ୍‌ର କାଚ ବି ଭାଙ୍ଗିଯାଇଥିଲା।

୨ ଗାଡ଼ି ଭାଙ୍ଗିଲେ, ଟେକା ମାଡ଼ରେ ଦୁଇ ଥାନା ଆଇଆଇସି ଆହତ
ସନ୍ଧ୍ୟାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ପରିସ୍ଥିତି ନିୟନ୍ତ୍ରଣର ବାହାରେ ଚାଲିଯିବାରୁ ଗଞ୍ଜାମ ଏସ୍‌.ପି.ବ୍ରିଜେଶ କୁମାର ରାଏ ଓ ଅତିରିକ୍ତ ଏସ୍‌.ପି.ଠାକୁର ପ୍ରସାଦ ପାତ୍ର ପୁଲିସ ଫୋର୍ସ ସହ ପହଞ୍ଚିଥିଲେ। ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ଥିବାବେଳେ ତୁରନ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରିବାକୁ ଦାବି କରିଥିଲେ। ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ ମଧ୍ୟ ପହଞ୍ଚି ଗ୍ରାମବାସୀଙ୍କ ବୁଝାସୁଝା କରିଥିଲେ ହେଁ କୌଣସି ସୁଫଳ ମିଳିପାରିନି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ପୁଲିସ ସନ୍ଧ୍ୟାରେ ୨ ଜଣ ଅଟକ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ, ସେହି ଗ୍ରାମର ପଙ୍କଜ ବିଶ୍ବାଳ ଓ ସୀମା ବିଶ୍ବାଳ।

ଅନ୍ୟପକ୍ଷରେ ଆରତିଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମେ ୩ ତାରିଖରେ ଉଭୟଙ୍କ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିବା ବେଳେ ଭୋଜି ଓ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ଦଇବକୁ ଆଉ କିଛି ମଞ୍ଜୁର ଥିଲା। ବରକନ୍ୟା ଉଭୟ ଆରପାରିକୁ ଚାଲିଗଲେ। ଏହି ଘଟଣା ବିଶ୍ବାସ କରିହେଉନି ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe