୧୯୮୫ ମସିହାରେ ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ହୋଇଥିଲେ ସରପଞ୍ଚ

Advertisment
୧୯୮୫ ମସିହାରେ ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ହୋଇଥିଲେ ସରପଞ୍ଚ

ଆନନ୍ଦପୁର : ବର୍ତ୍ତମାନ ସରପଞ୍ଚ ନିର୍ବାଚନ ବ୍ୟୟବହୁଳ ହୋଇପଡ଼ିଛି। ଘରୁ ବାହାରକୁ ବାହାରିଲେ ଖାଲି ଟଙ୍କା ଆଉ ଟଙ୍କା ଦରକାର। ନିର୍ବାଚନ ନୁହେଁ ସତେ ଯେମିତି ଟଙ୍କା ପଇସାର ଖେଳ ଚାଲିଛି ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ପୁରୁଣାବାନ୍ଧଗୋଡ଼ା ଗ୍ରାମର ୮୯ବର୍ଷୀୟ ପୂର୍ବତନ ସରପଞ୍ଚ ବୈକୁଣ୍ଠ ମହାନ୍ତି। ସେ ମାତ୍ର ୨୦ଟଙ୍କା ଖର୍ଚ୍ଚ କରି ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

୧୯୮୫ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଶ୍ରୀ ମହାନ୍ତି ସରପଞ୍ଚ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେତେବେଳେ ପୁରୁଣାବାନ୍ଧଗୋଡ଼ା ଓ ଗଁପୁର ମିଶିକରି ଗୋଟିଏ ପଞ୍ଚାୟତ ଥିଲା। ତାଙ୍କ ବିରୋଧରେ ଆଉ ୫ଜଣ ପ୍ରାର୍ଥୀ ହୋଇଥିଲେ। ନିକଟତମ ପ୍ରତିଦ୍ବନ୍ଦ୍ବୀ ବଂଶୀଧର ଜେନାଙ୍କଠାରୁ ୧୭୬ଟି ଭୋଟ୍ ଅଧିକ ପାଇ ସେ ବିଜୟୀ ହୋଇଥିଲେ। ସେତେବେଳେ କେବଳ ଗାଁକୁ ଗାଁ ବୁଲି ପ୍ରଚାର ହେଉଥିଲା। ଲୋକମାନେ ସମ୍ମାନର ସହ ଗ୍ରାମରେ ନେତାଙ୍କୁ ସ୍ବାଗତ କରୁଥିଲେ। ନିଜ ପକ୍ଷରୁ ସେ କେବଳ ମାତ୍ର ୨୦ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ଦଳ ପକ୍ଷରୁ ଶହେଟି ପୋଷ୍ଟର ଯୋଗାଇ ଦିଆଯାଇଥିଲା। ସେ ୧୯୯୦ ପର୍ଯ୍ୟନ୍ତ ୫ ବର୍ଷ ଧରି ସରପଞ୍ଚଭାବେ ସଫଳତାର ସହିତ କାର୍ଯ୍ୟ କରିଥିଲେ।

publive-image

ସେତେବେଳେ ଗ୍ରାମାଞ୍ଚଳ ପାଇଁ ସରକାରଙ୍କ ସ୍ବଳ୍ପ ଯୋଜନା ଥିଲା। ସରପଞ୍ଚଙ୍କ କ୍ଷମତା ମଧ୍ୟ ସୀମିତ ରହିଥିଲା। ପାଞ୍ଚବର୍ଷ ମଧ୍ୟରେ ପୁରୁଣାବାନ୍ଧଗୋଡ଼ାଠାରୁ ଗଁପୁର, ଗଁପୁରଠାରୁ ଜର୍ଦ୍ଦା, ନୂଆମାଳିଆଠାରୁ ବରାଙ୍ଗ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା। ୩ଟି ପୋଖରୀ ଖୋଳାଯିବା ସହ ଗୋଟିଏ କ୍ଲବ୍‌ ଘର ନିର୍ମାଣ ହୋଇଥିଲା। ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଓ ନିଶାପ ପାଇଁ ସରପଞ୍ଚଙ୍କୁ ଡକା ପଡୁଥିଲା। ଏବେର ନିର୍ବାଚନକୁ ଶ୍ରୀ ମହାନ୍ତି କହିଛନ୍ତି, ବର୍ତ୍ତମାନ ସରପଞ୍ଚ ନିର୍ବାଚନରେ ୨୦ ଲକ୍ଷରୁ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଗାଁ ରାଜନୀତି କଳୁଷିତ ହେଉଥିବା ଶ୍ରୀ ମହାନ୍ତି କହିଛନ୍ତି। ଗାଁରେ ଭାଇଭାଇ, ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଏବଂ ଶତ୍ରୁତା ବଢ଼ୁଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe