ମୁଣ୍ଡ ଉପରେ ଉପନିର୍ବାଚନ, ଝାରସୁଗୁଡ଼ା ବିଜେପିରେ ଗୋଷ୍ଠୀ ବିବାଦ

ସଭାପତିଙ୍କ ଇସ୍ତଫା ପରେ ଗୋଷ୍ଠୀ ବିବାଦ ଉଗ୍ର ହେବା ଆଶଙ୍କା

ମୁଣ୍ଡ ଉପରେ ଉପନିର୍ବାଚନ, ଝାରସୁଗୁଡ଼ା ବିଜେପିରେ ଗୋଷ୍ଠୀ ବିବାଦ

ଝରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ର‌ାର୍ଥୀ ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା କରିବା ପରେ ଜିଲ୍ଲା ବିଜେପିକୁ  ଜୋରଦାର ଝଟ୍‌କା ଲାଗିଛି । ଜିଲ୍ଲା ସଭାପତି ମଙ୍ଗଲ ସାହୁ  ପଦରୁ ଇସ୍ତଫା ଦେଇ ବିଜେପିରେ ଥିବା ଅନ୍ତର୍ଦ୍ବନ୍ଦ୍ବ, ଗୋଷ୍ଠୀ ବିବାଦକୁ ପଦାରେ ପକାଇ ଦେଇଛନ୍ତି। ସେ ଅଭିଯୋଗ କିରଛନ୍ତି, ଝାରସୁଗୁଡ଼ା ଜିଲ୍ଲା ବିଜେପିରେ କେହି ମୁଖ୍ୟ ନାହାନ୍ତି। ମୁରବି ବିହୀନ ହୋଇଛି ବିଜେପି। ଏଠାରେ କର୍ମୀଙ୍କ ଅପେକ୍ଷା ନେତାଙ୍କ ଭୂମିକା ବଢ଼ିଯାଇଛି। ନିଷ୍ଠାର ସହିତ କାର୍ଯ୍ୟ କରୁଥିବା ନେତା ଏଠାରେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ଦଳର ବରିଷ୍ଠ ଓ କନିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଦଳରେ ସମନ୍ବୟ ରଖିବା ସମ୍ଭବ ହେଉନି। ଦଳର ଏଭଳି ଆଭ୍ୟନ୍ତରୀଣ ବ୍ୟାପାରକୁ ପ୍ରଘଟ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଶ୍ରୀ ସାହୁ।

ଝାରସୁଗୁଡ଼ା ଜିଲ୍ଲାରେ ବିଜେପିର ଶକ୍ତିବୃଦ୍ଧି ଘଟୁଥିବା ନେଇ କୁହାଯାଉଥିବା ବେଳେ ଦଳ ଭିତରେ ପରସ୍ପର ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଗୋଷ୍ଠୀ ବିବାଦ ରହିଥିବା ଶ୍ରୀ ସହୁଙ୍କ ଇସ୍ତଫା ପରେ ସୂଚାଇ ଦେଇଛି। ମଙ୍ଗଲ ସାହୁ  ସାଂସଦ ସୁରେଶ ପୂଜାରୀଙ୍କ ପ୍ରତିନିଧି ମଧ୍ୟ ଥିଲେ। ଦଳରେ ସେ ବିଭିନ୍ନ ପଦ ପଦବିରେ ୨୫ ବର୍ଷ ଧରି କାମ କରିଥିବା ସେ ଉଲ୍ଲେଖ କରିଛନ୍ତି। ତେବେ ଏପରି କ’ଣ ହେଲା ଯେ ଉପନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ଥିବା ବେଳେ ପ୍ରାର୍ଥୀ ଘୋଷଣା ଦିନ ସେ ସଭାପତି ଦାୟିତ୍ବ ତ୍ୟାଗ କଲେ।

ଏହାକୁ ନେଇ ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବହୁ ଦିନରୁ ଜିଲ୍ଲାରେ ବିଜେପି ବିଭକ୍ତ ହୋଇ ସମାନ୍ତରାଳ କାର୍ଯ୍ୟକ୍ରମ କରି ଆସୁଥିଲା। ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ସୁନ୍ଦରଗଡ଼ରୁ ଆସି ଝାରସୁଗୁଡ଼ାରେ ଡେରା ପକାଇ ଝାରସୁଗୁଡ଼ା ବିଧାନସଭା ଆସନକୁ ନଜର ରଖି କାର୍ଯ୍ୟକ୍ରମ ଚଳାଉଥିବା ବେଳେ ଝାରସୁଗୁଡ଼ା ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦିନେଶ ଜୈନଙ୍କ ସହିତ ତାଙ୍କ ବୁଝାମଣା ଠିକ୍‌ ନଥିବା ଦେଖା ଯାଇଛି। ଶ୍ରୀ ଜୈନ ଗତ ୨୦୧୯ ମସିହା ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବ ଦାସଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରି ୫୨ ହଜାରୁ ଅଧିକ ଭୋଟ ହାତେଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହି ଦୃଷ୍ଟିରୁ ଅନ୍ୟ କେହି ତାଙ୍କ ସ୍ଥାନ ନେଉ ସେ ଚାହୁଁ ନାହାନ୍ତି। ଏପଟେ ଶ୍ରୀ ତ୍ରିପାଠୀ ସୁନ୍ଦରଗଡ଼ରୁ ଆସିଥିବାରୁ ଏଠାରେ ଗ୍ରହଣୀୟ ହୋଇ ପାରୁ ନଥିବା ବେଳେ ସଂଗଠନ ସୁଦୃଢ଼ କରିବାରେ ବି ବିଫଳ ହୋଇଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ସେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ନିଜର କାର୍ଯ୍ୟକ୍ରମ ସୀମିତ ରଖିଛନ୍ତି।

ଏଥି ସହିତ ସେ  ମନ୍ତ୍ରୀ ନବ ଦାସଙ୍କୁ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ବିରୋଧକୁ ଜୋରଦାର କରିଛନ୍ତି। ଆସନ୍ତା ୨୦୨୪ ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଟିକେଟ ପାଇଁ ସେ ଆଶାୟୀ ଥିବା ତାଙ୍କର କାର୍ଯ୍ୟକ୍ରମରୁ ସ୍ପଷ୍ଟ ବାରି ହେଉଛି। ଏପଟେ ସାଂସଦ ଶ୍ରୀ ପୂଜାରୀ ଓ ରାଧାରାଣୀ ପଣ୍ଡାଙ୍କ ମଧ୍ୟରେ ଉତ୍ତମ ସଂପର୍କ ନଥିବା ମଧ୍ୟ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଶ୍ରୀ ପୂଜାରୀ ଓ ମନ୍ତ୍ରୀ ନବ ଦାସଙ୍କ ମଧ୍ୟରେ ଥିବା ଉତ୍ତମ ସଂପର୍କକୁ ବିଜେପି କର୍ମକର୍ତ୍ତା ହଜମ କରି ପାରୁନାହାନ୍ତି। ବିଗତ ଦିନରେ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ବେଳେ ବାହାରେ ମନ୍ତ୍ରୀ ଶ୍ରୀ ଦାସଙ୍କୁ କଳାପତାକା ଦେଖାଇବା ପାଇଁ ବିଜେପି କର୍ମକର୍ତ୍ତା ପ୍ରସ୍ତୁତ ଥିବା ବେଳେ ସାଂସଦ ଶ୍ରୀ ପୂଜାରୀ  ମନ୍ତ୍ରୀଙ୍କ ସହିତ ସଭା ସ୍ଥଳରେ ଥିବାରୁ ସେମାନେ ଅପ୍ରସ୍ତୁତ ହୋଇ ପଡ଼ିଥିଲେ। ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ଶ୍ରୀମତୀ ପଣ୍ଡା ଓ ସାଂସଦ ଶ୍ରୀ ପୂଜାରୀ ଉଭୟଙ୍କ ପ୍ରଭାବ ରହିଛି।  ଉଭୟ ନେତା ଭୋଟ ହାତେଇବା ପାଇଁ ମିଳିତ କୌଶଳ କରିବେ ନା ଦଳରେ ଥିବା କନ୍ଦଳ ଦୂର କରିବେ ତାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ଦେଖା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe