ବିଦାୟ ୨୦୧୯ : ବିବାଦରେ ଲୁଚିଗଲା ସଫଳତା

Advertisment
ବିଦାୟ ୨୦୧୯ : ବିବାଦରେ ଲୁଚିଗଲା ସଫଳତା

youtube.com

ଭୁବନେଶ୍ବର, (ମହମ୍ମଦ ହିଫ୍‌ଜୁର ‌ରହେମାନ୍) : ୨୦୧୯। ଏହି ବର୍ଷଟି ବହୁଚର୍ଚିତ ହୋଇ ରହିବ। ଉଭୟ କିଛି ବିବାଦ ଏବଂ କିଛି ଉଲ୍ଲେଖନୀୟ ସଫଳତା ପାଇଁ। ଏହି ବର୍ଷର ଆରମ୍ଭ ଏଭଳି ଏକ ରାଜନୈତିକ ଘଟଣାରୁ ଆରମ୍ଭ ହେଲା ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ତାହାହେଲା ଏକ ଅଣ କଂଗ୍ରେସ ସରକାର ଅଧିକ ଆସନ ସହିତ କ୍ରମାଗତ ଦ୍ବିତୀୟ ଥର କ୍ଷମତାସୀନ ହେବା। ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନଡିଏ ଦ୍ବିତୀୟ ଥର ଲାଗି ନିର୍ବାଚିତ ହେବା ସହିତ ଅଧିକ ଆସନ (୩୫୩) ପାଇଥିଲା। ଏହାପରେ ମୁସଲିମ୍‌ ମହିଳା ତଲାକ ବିଲ ଏବଂ ଧାରା ୩୭୦ ଉଚ୍ଛେଦ ଭଳି କିଛି ନିଷ୍ପତ୍ତି ରାଜନୈତିକ ବାତାବରଣକୁ ସରଗରମ କରି ରଖିଲା। ଏହି ସମୟ ମଧ୍ୟରେ ‌ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟଙ୍କ ବହୁପ୍ରତୀକ୍ଷିତ ରାୟ ଯୁଗାନ୍ତକାରୀ ଥିଲା। ୯ ନଭେମ୍ବର ୨୦୧୯ରେ ଆସିଥିଲା ଏହି ରାୟ। ଭାରତୀୟ ଇତିହାସରେ ଥିଲା ଏକ ଅବିସ୍ମରଣୀୟ ଦିନ। ଏହି ରାୟକୁ ଯେଉଁଭଳି ସବୁ ବର୍ଗର ଲୋକେ ବିନମ୍ରତା ସହ ଗ୍ରହଣ ‌କଲେ ସେଥିରୁ ଜଣାପଡ଼ୁଥିଲା ଧର୍ମ ନାମରେ ତିକ୍ତତାର ଯୁଗ ଶେଷ ହେଲା। ଶାନ୍ତି ଓ ସଦଭାବନାର ନୂଆ ଅଧ୍ୟାୟ ସୃଷ୍ଟି ହେଲା।

କିନ୍ତୁ ଏହି ଐତିହାସିକ ମୁହୂର୍ତକୁ ମାସେ ପୂରଣ ହେଉ ହେଉ ଆସିଗଲା ୧୧ ଡିସେମ୍ବର ୨୦୧୯। ଉକ୍ତ ଦିନ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଥିଲା ନାଗରିକତା ସଂଶୋଧନ ବିଲ୍ (ସିଏବି)। ପାକିସ୍ତାନ, ଅ‌ାଫଗାନିସ୍ତାନ ଓ ବାଂଲାଦେଶରୁ ନିର୍ଯାତିତ ହୋଇ ଭାରତରେ ଆଶ୍ରୟ ନେଇଥିବା ଲୋକଙ୍କୁ ନାଗରିକତା ପ୍ରଦାନ କରିବା ଲାଗି ଏହି ବିଲ୍‌ରେ ବ୍ୟବସ୍ଥା ରହିଛି। ରାଷ୍ଟ୍ରପତିଙ୍କ ମୋହର ପରେ ଏହା ଆଇନରେ (ସିଏଏ) ପରିଣତ ହୋଇଛି। ଏହା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଧର୍ମ ଆଧାରରେ ନାଗରିକତା ପ୍ରଦାନ ଲାଗି ସଂଶୋଧିତ ଆଇନରେ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ହିଁ ଏବେ ବିବାଦର ମୁଖ୍ୟ କାରଣ ହୋଇଛି। ଏହାକୁ ବିଭିନ୍ନ ବର୍ଗର ଲୋକ ବିରୋଧ କରୁଛନ୍ତି। ଏହାକୁ ନେଇ କର୍ଣ୍ଣାଟକରୁ ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରରୁ ଆସାମ ଯାଏଁ ଦେଶ ଅଶାନ୍ତ ହୋଇପଡ଼ିଛି। ୨୦୧୯ ଯାଉ ଯାଉ ସରକାରଙ୍କ ଏହି ପଦକ୍ଷେପ ସବୁଠାରୁ ବିବାଦୀୟ ହୋଇପଡ଼ିଥିଲା।

ନୂଆ ଆଇନ ଏବଂ ପ୍ରସ୍ତାବିତ ଏନ୍‌ଆର୍‌ସିକୁ ବିରୋଧ କରି ବିଭିନ୍ନ ସ୍ଥାନରେ ପ୍ରତିବାଦ ଆନ୍ଦୋଳନ ହିଂସାକାଣ୍ଡର ରୂପ ନେବାରୁ ପାଖ‌ାପାଖି ୨୫ ଜଣ ଲୋକ ପ୍ରାଣ ହରାଇଥିଲେ। ଏଥିରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ଉତ୍ତର ପ୍ରଦେଶ। ଏହି ରାଜ୍ୟରେ ୨୦ ଜଣ ପ୍ରାଣ ହରାଇଥିଲେ। ତେବେ ସବୁଠାରୁ ଆଶ୍ବସ୍ତିର ବିଷୟଟି ହେଲା ‌ଯେ ଏହି ଆନ୍ଦୋଳନ ‌ଯୋଗୁଁ କୌଣସି ସାଂପ୍ରଦାୟିକ ହିଂସାକାଣ୍ଡ ଘଟିନଥିଲା।

କିନ୍ତୁ ଏହି ଘଟଣାରେ ସବୁଠାରୁ ବିବାଦୀୟ ହୋଇପଡ଼ିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ମୁସଲିମ ସଂପ୍ରଦାୟ ବିରୁଦ୍ଧରେ ସେ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଥିଲେ ‌ବୋଲି ଅଭିଯୋଗ ଉଠିଥିଲା। ସେ ପ୍ରତିଶୋଧ ନେବାକୁ ଘୋଷଣା କରିବା ସହିତ ମୁସଲିମ ଲୋକଙ୍କ ସଂପତ୍ତି ଜବତ କରିଥିଲେ। ଏଥିରେ ଉତ୍ସାହିତ ହୋଇ ରାଜ୍ୟ ପୋଲିସ ମୁସଲିମ ସଂପ୍ରଦାୟ ଉପରେ ବିଭିନ୍ନ ପ୍ରକାର ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲା। ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଜଣେ କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଥିଲେ।

୨୦୧୯ ବର୍ଷଟି ଅର୍ଥନୀତି ଦୃଷ୍ଟିରୁ ମଧ୍ୟ ଉତ୍ସାହଜନକ ନଥିଲା। ଅଭିବୃଦ୍ଧି ହାର ୪.୫କୁ ଖସିଯାଇଥିଲା। ଗତ ୬ ବର୍ଷରେ ଏହାଥିଲା ସବୁଠାରୁ କମ୍। ମାନ୍ଦାବସ୍ଥ‌ା ଏମିତି ଘାରିଲା ‌େଯ ନିକଟ ଭବିଷ୍ୟତରେ ଭାରତୀୟ ଅର୍ଥନୀତି ସଳଖିବାକୁ ନେଇ ଅର୍ଥନୀତିଜ୍ଞମାନେ ସନ୍ଦେହରେ ରହିଛନ୍ତି। ଗ୍ରାମାଞ୍ଚଳରେ ଲୋକମାନେ ଖାଇବା ଉପରେ ଖର୍ଚ କମ୍ କରିବାକୁ ବାଧ୍ୟ ହୋଇଥିଲେ। ଯାହାକି ସବୁଠାରୁ ଚିନ୍ତାଜନକ ବିଷୟ ଥିଲା। ବେକାରି ସମସ୍ୟା ମଧ୍ୟ ଗତ ୪୫ ବର୍ଷରେ ସବୁଠାରୁ ଅଧିକ। ଅନେକ ବ୍ୟାଙ୍କ ଏବଂ ଟେଲିକମ୍ କଂପାନୀ ମଧ୍ୟ ଦୁର୍ଦିନ ଦେଇ ଗତି କରିଛନ୍ତି। ସଙ୍କଟରୁ ଏମାନଙ୍କୁ ଉଦ୍ଧାର କରିବା ଲାଗି ସରକାରଙ୍କୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ପଡ଼ିଥିଲା।

ଏସବୁ ସତ୍ତ୍ବେ ଆମ ଦେଶ ଆଗକୁ ବଢ଼ିଛି। ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଉ‌ଲ୍ଲେଖନୀୟ ସଫଳତା ହାସଲ କରିଛି। ବିଶେଷ କରି ମହାକାଶ ବିଜ୍ଞାନରେ। ଏହି ବର୍ଷ ଭାରତ ୫୦ଟି ବିଦେଶୀ ଉପଗ୍ରହକୁ ମହାକାଶ କକ୍ଷରେ ଅବସ୍ଥାପିତ କରିବ‌ାରେ ସଫଳ ହୋଇଛି। ମିସନ୍‌ ଶକ୍ତି ମଧ୍ୟ ଏକ ବଡ଼ ସଫଳତା ଥିଲା। ଆକାଶରେ ପଇଁତରା ମାରୁଥିବା ଏବଂ ଭାରତ ପ୍ରତି ବିପଦ ସୃଷ୍ଟି କରୁଥିବା ଶତ୍ରୁ ପକ୍ଷର ଉପଗ୍ରହକୁ ନଷ୍ଟ କରିବ‌ାରେ ଆମ ଦେଶ ସମର୍ଥ ବୋଲି ପ୍ରମାଣିତ କରିଛି। ମାର୍ଚ ମାସରେ ଭାରତ ପକ୍ଷରୁ ଉପଗ୍ରହକୁ ୩୦୦ କିଲୋମିଟର ଦୂରରୁ ଧ୍ବଂସ କରିପାରୁଥିବା କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଥିଲା। ଏହାସହିତ ସବୁଠାରୁ ବଡ଼ ସଫଳତା ଥିଲା ଚନ୍ଦ୍ରଯାନ-୨। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫଳତା ସହିତ ଅବତରଣ କରିପାରି ନଥିଲେ ମଧ୍ୟ ଏହି ଅଭିଯାନକୁ ବଡ଼ ସଫଳତା ବୋଲି କୁହାଯିବ। ଏହାକୁ ଆମେରିକା ମଧ୍ୟ ପ୍ରଶଂସା କରିବାକୁ ବାଧ୍ୟ ହୋଇଥିଲା। ସେହିଭଳି ‘ଅସ୍ତ୍ର’ କ୍ଷେପଣାସ୍ତ୍ର ପରୀକ୍ଷା ଥିଲା ମଧ୍ୟ ଆଉ ଉଲ୍ଲେଖନୀୟ କଥା। ଆକାଶରୁ ଆକାଶ ମାର୍ଗରେ ଆକ୍ରମଣ କରିପାରୁଥିବା ଏଭଳି କ୍ଷେପଣାସ୍ତ୍ର ପରୀକ୍ଷା କରିବାରେ ଭାରତ ହେଉଛି ରୁଷିଆ ଏବଂ ଆମେରିକା ପରେ ବିଶ୍ବର ତୃତୀୟ ଶକ୍ତି।

ମୋଦୀ ସରକାରଙ୍କ ବୈଦେଶିକ ନୀତି ମଧ୍ୟ ସଫଳ ହୋଇଛି। ଆନ୍ତର୍ଜାତିକ ମଞ୍ଚରେ ଚୀନ ସହାୟତାରେ କଶ୍ମୀର ପ୍ରସଙ୍ଗ ଉଠାଇବା ଲାଗି ପାକିସ୍ତାନର ସମସ୍ତ ଉଦ୍ୟମ ବିଫଳ ହୋଇଛି। ପାକିସ୍ତାନ ଏକଘରିକିଆ ‌େହାଇଯାଇଛି। ତେବେ ବିଦେଶରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ଆମେରିକାର ହଷ୍ଟନରେ କାର୍ଯ୍ୟକ୍ରମ ‘ହାୱଡ଼ି ମୋଦୀ’। ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆମେରିକା ମାଟିରେ‌ କୌଣସି ବିଦେଶୀ ନେତାଙ୍କର ଏଭଳି କାର୍ଯ୍ୟକ୍ରମ କେବେ ଦେଖିବାକୁ ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe