ଲଘୁଚାପ ବର୍ଷାକୁ ନେଇ ଆଶଙ୍କାରେ କୋବିଚାଷୀ

Advertisment
ଲଘୁଚାପ ବର୍ଷାକୁ ନେଇ ଆଶଙ୍କାରେ କୋବିଚାଷୀ

ରସୁଲପୁର : ଲଘୁଚାପ କାରଣରୁ ୩ ଦିନ ହେଲା କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗିରହିଛି। ତେଣୁ ଚିନ୍ତାରେ ପଡ଼ିଛନ୍ତି କୋବି ଚାଷୀ। ବର୍ଷା ଅଧିକ ହେଲେ କୋବି ସହିତ ଅନ୍ୟାନ୍ୟ ପନିପରିବା ଫସଲ ନଷ୍ଟ ହୋଇଯିବା ନିଶ୍ଚିତ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

publive-image

ରସୁଲପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଭାବରେ କୋବି ଚାଷ ହେଉଛି। ବଡ଼କଇଁଚି ପଞ୍ଚାୟତର ଗରୁଆଳ ଗ୍ରାମ କୋବି ଚାଷ ପାଇଁ ପ୍ରସିଦ୍ଧ। ଗାଁର ପ୍ରାୟ ୯୦ ପ୍ରତିଶତ ଚାଷୀ କୋବି ଲଗାଇଥାନ୍ତି। ଉଭୟ ଫୁଲ କୋବି ଓ ବନ୍ଧା କୋବି ଚାଷ ହୋଇଥାଏ। ଗରୁଆଳ କୋବିର ସ୍ୱତନ୍ତ୍ର ଚାହିଦା ରହିଛି ବୋଲି ଚାଷୀ ଦାମୋଦର ସାହୁ କୁହନ୍ତି। ବାରବାଟୀ ପରିବା ବଜାରରେ ଗରୁଆଳ କୋବି ଶୁଣିଲେ ବ୍ୟବସାୟୀମାନେ ଏହାକୁ ଆଗ କିଣି ନିଅନ୍ତି। ଏବେ ଯେତିକି ବର୍ଷା ହୋଇଛି ତାହା କୋବି ଓ ଅନ୍ୟ ଫସଲର ବିଶେଷ କ୍ଷତି କରିବ ନାହିଁ। ଯଦି ଏହାଠାରୁ ସାମାନ୍ୟ ଅଧିକ ବର୍ଷା ହୁଏ ତେବେ ତାହା କ୍ଷତି କରିବ। ଏବେ ଲଗାଯାଉଥିବା କୋବିଗଛ ପଚି ଯିବ ଓ ଅମଳ ଅପେକ୍ଷାରେ ରହିଥିବା କିମ୍ବା ୧ ସପ୍ତାହ ପରେ ଅମଳ ଯୋଗ୍ୟ ହେବାକୁ ଥିବା ଛୋଟଛୋଟ କୋବି ମଧ୍ୟ ବର୍ଷାପାଣିରେ ପଚିଯିବ।

publive-image

କେବଳ ଗରୁଆଳ ଗ୍ରାମର ଚାଷୀମାନେ ୧ ଶହ ଏକରରୁ ଅଧିକ ଜମିରେ କୋବିଚାଷ କରିଛନ୍ତି। ଗୋଟିଏ ଗୁଣ୍ଠ ଜମିରେ ହାରହାରି ୪୦୦ ରୁ ୪୫୦ କୋବି ଗଛ ରହୁଛି। ଏଥିପାଇଁ ଚାରା ରୋପଣଠାରୁ ଅମଳ ପର୍ଯ୍ୟନ୍ତ ଗଛ ପ୍ରତି ୫ ରୁ ୬ ଟଙ୍କା ଖର୍ଚ୍ଚ ହୋଇଥାଏ। ଏବେ ଲାଗିଥିବା କୋବି ଜାନୁଆରି ଦ୍ବିତୀୟ ସପ୍ତାହ ବେଳକୁ ବାହାରିବ। ଯଦି କୋବି ଗୋଟାକ ସେତେବେଳେ ୧୦ ଟଙ୍କାରେ ବିକ୍ରି ହୁଏ ତାହେଲେ ହୁଏତ କିଛି ଲାଭ ହେବ। ନହେଲେ ମୂଳ ଟଙ୍କା ଉଠିବା କଷ୍ଟ ହେବ। ବେଳେବେଳେ କୋବି ଗୋଟାକୁ ୨ଟଙ୍କାରେ ବିକ୍ରି କରିବାକୁ ପଡ଼ିଥାଏ। ଏମିତି ପରିସ୍ଥିତି ହୁଏ ଯେ କୋବି ଆଦୌ ବିକ୍ରି ହୁଏ ନାହିଁ। ସେତେବେଳେ ଚାଷୀକୁ ବିପୁଳ କ୍ଷତି ସହିବାକୁ ପଡିଥାଏ ବୋଲି ଗରୁଆଳର କାଶୀନାଥ ପଣ୍ତା, ବାସୁଦେବ ପରିଡ଼ା, ଅମୂଲ୍ୟ ମହାନ୍ତି, ନାରାୟଣ ପତି ଓ ହଳଧର ମହାରଣା ପ୍ରଭୃତି କହିଛନ୍ତି। ଖର୍ଚ୍ଚ ଅଧିକ ହେଉଥିବା କାରଣରୁ କୋବି ଚାଷୀମାନଙ୍କୁ ରିହାତି ଦରରେ ସାର ଓ କୀଟନାଶକ ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ କହନ୍ତି। ଅଧିକ ଅମଳ ସମୟରେ କୋବି ସାଇତି ରଖିବା ପାଇଁ ଶୀତଳଭଣ୍ତାର ସୁବିଧା ଥିଲେ ସେମାନେ ଏତେ ପରିମାଣର କ୍ଷତି ସହନ୍ତେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe