ଭାଙ୍ଗିଲେ ମନ୍ତ୍ରିମଣ୍ଡଳ, ଓଡ଼ିଶା ଇତିହାସରେ ପ୍ରଥମ ଘଟଣା

ସବୁ ମନ୍ତ୍ରୀଙ୍କଠାରୁ ଇସ୍ତଫା ମଗାଇଲେ, ବାଚସ୍ପତି ବି ଇସ୍ତଫା ଦେଲେ, ଆଜି ଶପଥ ନେବେ ନୂଆ ମନ୍ତ୍ରୀ

୨ରେ ପଦ୍ମପୁର ଆସିବେ ମୁଖ୍ୟମନ୍ତ୍ରୀ

Oneindia Tamil

ଭୁବନେଶ୍ବର : ‘ମୁଖ୍ୟମନ୍ତ୍ରୀ ଚାହୁଛନ୍ତି, ଆପଣ ଇସ୍ତଫା ଦିଅନ୍ତୁ। ମେଲ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦିଅନ୍ତୁ।’

ଶନିବାର ଅପରାହ୍ନ ୧ଟାରୁ ୨ଟା ଭିତରେ ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କ ପାଖକୁ ଲୋକସେବା ଭବନର ତୃତୀୟ ମହଲାରୁ କଲ୍ ଆସିଲା। କଲ୍ କରୁଥିବା ଅଧିକାରୀ ଏଇ ଦୁଇ ଧାଡ଼ି କହୁଥିଲେ। ମନ୍ତ୍ରୀମାନେ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଇସ୍ତଫାପତ୍ର ମେଲ୍ ଯୋଗେ ପଠାଇଦେଲେ। ଯେଉଁ ମନ୍ତ୍ରୀମାନେ କଲ୍ ଉଠାଇ ନ ଥିଲେ ସେମାନଙ୍କ ବ୍ୟକ୍ତିଗତଙ୍କ ସଚିବଙ୍କୁ ଜଣାଇ ଦିଆଗଲା। ଅପରାହ୍ନ ୩ଟା ସୁଦ୍ଧା ସବୁ ମନ୍ତ୍ରୀଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଯାଇଥିଲା। ମୁଖ୍ୟମନ୍ତ୍ରୀ ତାହାକୁ ତୁରନ୍ତ ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଥିଲେ।

ମନ୍ତ୍ରୀମାନଙ୍କ ପାଖକୁ ଫୋନ୍‌ ଗଲା ପରେ କାହାକୁ ଫୋନ୍‌ ଯାଇଛି ଓ କାହାକୁ ନ ଯାଇଛି, ତାହାକୁ ନେଇ କ୍ଷମତା କରିଡର୍‌ରେ କିଛି ସମୟ ପାଇଁ ସରଗରମ ଆଲୋଚନା ହେଲା। ମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଅନ୍ୟ ମନ୍ତ୍ରୀ ଓ ତାଙ୍କ କର୍ମଚାରୀମାନଙ୍କୁ ତୃତୀୟ ମହଲାର କଲ୍ ସମ୍ପର୍କରେ ବୁଝୁଥା’ନ୍ତି। କିଛି ମିନିଟ୍ ମଧ୍ୟରେ ସ୍ପଷ୍ଟ ହୋଇଗଲା ଯେ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି।

publive-image odisha.gov.in

ସଙ୍ଗେ ସଙ୍ଗେ ବଦଳିଗଲା ମନ୍ତ୍ରୀ କରିଡର୍‌ର ପରିବେଶ। ଅଧିକାଂଶ ମନ୍ତ୍ରୀ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିଲେ। କର୍ମଚାରୀମାନଙ୍କର ଧାଁଧଉଡ଼ ଆରମ୍ଭ ହୋଇଗଲା। କାଗଜପତ୍ର ବନ୍ଧା ଚାଲିଲା। ଫାଇଲ୍ ସବୁ ମନ୍ତ୍ରୀଙ୍କ ଘରକୁ ଗଲା। ସନ୍ଧ୍ୟା ପୂର୍ବରୁ ମନ୍ତ୍ରୀ କରିଡର୍ ଶୂନ୍‌ଶାନ୍‌ ହୋଇଗଲା।

କେବଳ ମନ୍ତ୍ରୀମାନଙ୍କୁ ନୁହେଁ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମଧ୍ୟ ଇସ୍ତଫା ଦେବାକୁ କୁହାଯାଇଥିଲା। ସରକାରୀ ଦଳ ମୁଖ୍ୟ ସଚେତନ ଓ ଉପମୁଖ୍ୟ ସଚେତକଙ୍କଠାରୁ ବି ଇସ୍ତଫା ମଗାଯାଇଥିଲା। କିନ୍ତୁ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କୁ ଇସ୍ତଫା ଦେବାକୁ କୁହାଯାଇନାହିଁ।

ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସବୁ ମନ୍ତ୍ରୀଙ୍କଠାରୁ ଇସ୍ତଫା ମଗାଇ ନ ଥିଲେ। ପ୍ରଥମ ଥର ପାଇଁ ନବୀନ ସମସ୍ତଙ୍କୁ ଚକିତ କରି ଏପରି ଏକ ପଦକ୍ଷେପ ନେଇଛନ୍ତି।
ଚତୁର୍ଥ ପାଳି ପରି ପଞ୍ଚମ ପାଳିରେ ତୃତୀୟ ବର୍ଷ ପୂରିଲା ପରେ ନବୀନ ତାଙ୍କ ଟିମ୍ ବଦଳାଇଛନ୍ତି। ଚତୁର୍ଥ ପାଳିରେ ତିନି ବର୍ଷ ପରେ ଅର୍ଥାତ ୨୦୧୭ରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଥିଲା। ପଞ୍ଚମ ପାଳିରେ ମଧ୍ୟ ତିନି ବର୍ଷ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଉଛି।

ପୁରୀ ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶନିବାର ସନ୍ଧ୍ୟାରେ ଭୁବନେଶ୍ବର ରାଜଭବନରେ ପହଞ୍ଚିଛନ୍ତି। ରାତି ପ୍ରାୟ ୮ଟା ‌ବେଳେ ମନ୍ତ୍ରୀମାନଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳ ମଞ୍ଜୁର କରିଥିଲେ।

ଆଜି ରବିବାର ଦିନ ପୂର୍ବାହ୍ନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଏଥିପାଇଁ ଭବ୍ୟ ଆୟୋଜନ କରାଯାଇଛି। ପାଖାପାଖି ୫୦୦ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ୟବସ୍ଥା ହୋଇଛି। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ସବୁ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe