The New Indian Express
ସୁନ୍ଦରଗଡ଼: ଶେଷକୁ ଭାରତର ମହାଲେଖାକାର ତଥା ମହାସମୀକ୍ଷକ (କମ୍ପଟ୍ରୋଲର୍ ଆଣ୍ଡ ଅଡିଟର୍ ଜେନେରାଲ)ଙ୍କ ନିର୍ଦେଶକ୍ରମେ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିର ଅଡିଟ୍ ଆରମ୍ଭ ହୋଇଛି। ୧୬ ତାରିଖରୁ ଭୁବନେଶ୍ବରରୁ ଏକ ଟିମ୍ ଆସି ପ୍ରତିଷ୍ଠାନ ଆରମ୍ଭ ସମୟ ୨୦୧୫ରୁ ଆଜି ଯାଏ ହୋଇଥିବା ସମସ୍ତ ଆୟବ୍ୟୟ, କାର୍ଯ୍ୟର ଟିକିନିଖି ହିସାବ ସହ ମାର୍ଗଦର୍ଶିକା ଅନୁସାରେ ସମସ୍ତ କାମ ହୋଇଛି କି ନାହିଁ, ତା’ର ଅଡିଟ୍ କରୁଛନ୍ତି।
ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅନ୍ତର୍ଗତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ବ୍ୟୟର ମାର୍ଗଦର୍ଶିକା ଓ ନିୟମ ଅନୁସାରେ, ପ୍ରତିଷ୍ଠାନର ୬୦ ଭାଗ ଅର୍ଥ ପ୍ରତ୍ୟକ୍ଷ ଭାବେ ଓ ୪୦ ଭାଗ ପରୋକ୍ଷରେ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନଜୀବିକା ସହ ସାମଗ୍ରିକ ବିକାଶ ପାଇଁ ବିନିଯୋଗ ହେବା କଥା। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ଟ୍ରଷ୍ଟି ସଦସ୍ୟମାନଙ୍କ ଅଗୋଚର ଏବଂ ଅନୁମୋଦନ ବିନା ଅନାବଶ୍ୟକ ଭାବେ ବହୁ ଅର୍ଥ ଅଣଖଣି ପ୍ରଭାବିତ ଅଞ୍ଚଳରେ ବ୍ୟୟ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଏ ନେଇ ସୁନ୍ଦରଗଡ଼ ସାଂସଦ ତଥା ପ୍ରତିଷ୍ଠାନର ଟ୍ରଷ୍ଟି ସଦସ୍ୟ ଜୁଏଲ ଓରାମ ଆପତ୍ତି ଉଠାଇ ସିଏଜି ଅଡିଟ୍ ପାଇଁ ୨୦୨୨ ନଭେମ୍ବର ୧୧ ତାରିଖରେ ସିଏଜିଙ୍କୁ ଚିଠି ଲେଖିଥିଲେ। କୋଇଡ଼ା ଓ ହେମଗିର ବ୍ଲକ୍ରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନକୁ ଆସୁଥିବା ଅଂଶଧନ ଓ ବିକାଶ ପାଇଁ ମିଳିଥିବା ପାଣ୍ଠିର ତୁଳନାତ୍ମକ ତଥ୍ୟ ଉଲ୍ଲେଖ କରି ଖଣି ପ୍ରଭାବିତ ଅଞ୍ଚଳର ଲୋକେ କିପରି ଉପେକ୍ଷିତ ହୋଇଛନ୍ତି, ସେ ସମ୍ପର୍କରେ ସାଂସଦ ଦୃଷ୍ଟି ଆକର୍ଷଣ କରିଥିଲେ। ଉଲ୍ଲେଖଥାଉକି, ଏହି ପାଣ୍ଠିରୁ ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ୨.୨୮ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା। ପ୍ରତିଷ୍ଠାନ ପରିଚାଳନା ନାମରେ କେବଳ ବିଶେଷଜ୍ଞ ପରାମର୍ଶ ପାଇଁ ଇଆଣ୍ଡୱାଇ ନାମକ ଏକ ବହିଃଉତ୍ସ ସଂସ୍ଥାକୁ ମାସିକ ୫୦ ଲକ୍ଷ ଓ ବାର୍ଷିକ ୬ କୋଟି ଟଙ୍କା ଦିଆଯାଉଥିବା ଚର୍ଚ୍ଚାକୁ ଆସିଥିଲା।
ଆଉଟ୍ସୋର୍ସିଂ କର୍ମଚାରୀଙ୍କ ମାସିକ ଦରମା ୩.୫ ଲକ୍ଷ!
ସୁନ୍ଦରଗଡ଼: ଟିମ୍ ଲିଡରଙ୍କ ଦରମା ସାଢ଼େ ୩ ଲକ୍ଷ। ତା’ବି କୌଣସି ବଡ଼ ଘରୋଇ କମ୍ପାନିର ନୁହେଁ, ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପରିଚାଳନା ପାଇଁ ନିଯୁକ୍ତ ଇ ଆଣ୍ଡ ୱାଇ ନାମକ ଏକ ବହିଃଉତ୍ସ ସଂସ୍ଥାର କର୍ମଚାରୀଙ୍କ ମାସିକ ଦରମା। ଏହି ଟଙ୍କା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ କାଟି ତାଙ୍କୁ ଦିଆଯାଉଛି। ପ୍ରତିଷ୍ଠାନରେ ଏମିତି ଲକ୍ଷଲକ୍ଷ ଟଙ୍କା ଦରମା ପାଉଥିବା କର୍ମଚାରୀଙ୍କ ସଂଖ୍ୟା ରହିଛି ୨୦। ଉନ୍ନୟନ ଓ ପରିଚାଳନା ପାଇଁ ଥିବା ୮ ଜଣ ବରିଷ୍ଠ ପ୍ରକଳ୍ପ ଅଧିକାରୀଙ୍କୁ ଦିଆଯାଉଛି ଜଣ ପିଛା ଅଢ଼େଇ ଲକ୍ଷ ହିସାବରେ ମାସିକ ୨୦ ଲକ୍ଷ ଟଙ୍କା। ଯୋଗାଯୋଗ ପାଇଁ ନିଯୁକ୍ତ ବରିଷ୍ଠ ପ୍ରକଳ୍ପ ଅଧିକାରୀଙ୍କ ଦରମା ଅଢ଼େଇ ଲକ୍ଷ। ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ଦରମା ୩ ଲକ୍ଷ ଟଙ୍କା ଥିବାବେଳେ ଯାନ୍ତ୍ରିକ ବିଭାଗର ୪ ଜଣ ପ୍ରକଳ୍ପ ଅଧିକାରୀଙ୍କୁ ଜଣ ପିଛା ୨ ଲକ୍ଷ ହିସାବରେ ଦିଆଯାଉଛି ୮ ଲକ୍ଷ ଟଙ୍କା। ଅର୍ଥ ବିଭାଗ ପ୍ରକଳ୍ପ ଅଧିକାରୀ ୨ ଲକ୍ଷ ଓ ୪ ଜଣ ସହକାରୀ ପ୍ରକଳ୍ପ ଅଧିକାରୀଙ୍କୁ ଜଣ ପ୍ରତି ୧.୨୫ ଲକ୍ଷ ହିସାବରେ ୫ ଲକ୍ଷ ଟଙ୍କା।
ଏମିତି ୨୦ ଜଣ କର୍ମଚାରୀ ମାସକୁ ୪୪ ଲକ୍ଷ ଟଙ୍କା ଦରମା ନେଉଛନ୍ତି। ସୂଚନା ଅଧିକାର ଆଇନ୍ରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ୩ ବର୍ଷ ପାଇଁ ଏହି କମ୍ପାନି ଅଧିକାରୀମାନଙ୍କୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ କେବଳ ଦରମା ବାବଦରେ ଜିଏସ୍ଟି ସହ ୧୮.୬୯ କୋଟି ଟଙ୍କା ଦେବାକୁ ପ୍ରତିଷ୍ଠାନ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଚୁକ୍ତି କରିଛନ୍ତି। ଏସବୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ମହାଲୁଟ୍ର ବଡ଼ ନମୁନା ବୋଲି କହିଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ। କମ୍ପାନି ସହ ଟେଣ୍ଡର ଚୁକ୍ତି ବାତିଲ ଲାଗି ଓଡ଼ିଶା ରାଜ୍ୟ କମ୍ୟୁନିଷ୍ଟ ପାର୍ଟି ସମ୍ପାଦକ ମଣ୍ଡଳୀ ସଦସ୍ୟ ଅଶୋକ କୁମାର ଦାଶ ଦାବି କରି ମୁଖ୍ୟମନ୍ତ୍ରୀ ଓ ସିଏଜିଙ୍କୁ ଜଣାଇଛନ୍ତି।
Follow Us