ବୃକ୍ଷରୋପଣ ତ୍ରୁଟି ଧରିଲେ ସିଏଜି, ଶାଳ ବଦଳରେ ଲାଗୁଥିଲା ଶାଗୁଆନ

Advertisment

ରକ୍ଷଣାବେକ୍ଷଣ ପାଇଁ ପାଣ୍ଠି ମିଳୁନଥିଲା, ସମନ୍ୱୟର ଅଭାବ, ସ୍ଥାନ ଚୟନରେ ଭୁଲ

ରକ୍ଷଣାବେକ୍ଷଣ ପାଇଁ ପାଣ୍ଠି ମିଳୁନଥିଲା, ସମନ୍ୱୟର ଅଭାବ, ସ୍ଥାନ ଚୟନରେ ଭୁଲ

ଓଡ଼ିଶାରେ ଆବାସ ନିର୍ମାଣ, ବନୀକରଣ ଲକ୍ଷ୍ୟ ସନ୍ତୋଷଜନକ ନୁହେଁ: କେନ୍ଦ୍ର

moneycontrol.com

ଭୁବନେଶ୍ବର : ବୃକ୍ଷରୋପଣକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ ହେଉନଥିଲା। ଯେଉଁ କିଛି ଯୋଜନା କାର୍ଯ୍ୟ ‌ହେଉଥିଲା, ସେଥିରେ କାହାର କାହା ସହ ସମନ୍ବୟ ରହୁନଥିଲା। ପୁଳା ପୁଳା ତ୍ରୁଟି ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ବେ ବୃକ୍ଷରୋପଣର ଲାଭ ମିଳୁନଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଏହି ତ୍ରୁଟିକୁ ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)। ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ସିଏଜି ରିପୋର୍ଟରୁ ଏଭଳି ତଥ୍ୟ ମିଳିଛି। ରିପୋର୍ଟ ଅନୁସାରେ ଜଙ୍ଗଲ ସମ୍ପଦର ପରିଚାଳନା ପାଇଁ ରାଜ୍ୟର ନିଜସ୍ବ ଜଙ୍ଗଲ ନୀତି ନାହିଁ। ସେଥିପାଇଁ ସବୁଜ ବଳୟ ବଢ଼ାଇବା ଲାଗି ଉପଯୁକ୍ତ ଯୋଜନା ପ୍ରସ୍ତୁତ ହୋଇପାରୁନାହିଁ। ବିନା ଅନୁମୋଦିତ ଯୋଜନାରେ ଜଙ୍ଗଲ ବିଭାଜନଗୁଡ଼ିକ କାମ କରୁଛନ୍ତି। ଶାଳ ହେଉଛି ଓଡ଼ିଶାର ମୂଳ ସ୍ବଦେଶୀ ପ୍ରଜାତି। କିନ୍ତୁ ତାହାକୁ ସମ୍ପୂର୍ଣ୍ଣ ଅଣଦେଖା କରି ଶାଗୁଆନକୁ ପ୍ରମୁଖ ପ୍ରଜାତି ଭାବେ ରୋପଣ କରାଯାଇଥିଲା। ଫଳରେ ଉଦ୍ଭିଦ ସମୂହ ଓ ଜୈବ ବିବିଧତା ଉପରେ ତାହାର ପ୍ରଭାବ ପଡ଼ିଥିଲା।

ମନରେଗା ଅଧୀନରେ ଯେଉଁ ବୃକ୍ଷରୋପଣ କରାଯାଉଥିଲା ସେଥିରେ ବନ ଖଣ୍ଡ ଅଧିକାରୀ ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ) ମଧ୍ୟରେ କୌଣସି ସମନ୍ବୟ ରହୁନଥିଲା। ଡିଏଫ୍‌ଓ କିମ୍ବା ବିଭାଗ ପାଖରେ ଜବ୍‌ କାର୍ଡଧାରୀଙ୍କ ସର୍ବନିମ୍ନ ସୂଚନା ମଧ୍ୟ ନଥିଲା ବୋଲି ଅଡିଟ୍ ବେଳେ ସିଏଜି ଜାଣିବାକୁ ପାଇଛନ୍ତି। କେବଳ ସେତିକି ନୁହେଁ, ମନରେଗା ଅଧୀନରେ ଲଗାଯାଇଥିବା ଗଛଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଦ୍ବିତୀୟ ବର୍ଷରୁ ପାଣ୍ଠି ମିଳୁନଥିଲା। ସେଥିପାଇଁ ଗଛଗୁଡ଼ିକ ବଞ୍ଚିରହିବା ନେଇ ଅନିଶ୍ଚିତତା ଦେଖାଦେଉଥିଲା।

publive-image Mint

୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ୪୮୫ ବୃକ୍ଷରୋପଣ ପ୍ରକଳ୍ପ ମଧ୍ୟରୁ ୧୯୧ଟି ଫେଲ୍ ମାରିଥିଲା। ତେଣୁ ୧୩.୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହାର କୌଣସି ଲାଭ ମିଳିନଥିଲା। ଘଞ୍ଚ ଜଙ୍ଗଲରେ ବୃକ୍ଷରୋପଣ ପାଇଁ ଯେଉଁ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଥିଲା ତାହା ଅନୁପଯୁକ୍ତ ଥିଲା। ବନ ଖଣ୍ଡ ଅଧିକାରୀ ବୃକ୍ଷରୋପଣ ପ୍ରକଳ୍ପ ପ୍ରସ୍ତାବ ଦାଖଲରେ ଅହେତୁକ ବିଳମ୍ବ କରୁଥିଲେ। ସେଥିପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଫଳ ହୋଇଥିଲା। କ୍ଷତିପୂରକ ବନୀକରଣ କାର୍ଯ୍ୟକ୍ରମଗୁଡ଼ିକ ଧାର୍ଯ୍ୟ ତିନି ବର୍ଷ ଭିତରେ ହୋଇପାରିନଥିଲା। ‌ସେଥିପାଇଁ ଜଙ୍ଗଲ ଜମିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଜଙ୍ଗଲକୁ ଯେଉଁ କ୍ଷତିପୂରଣ ମିଳିବା କଥା ତାହା ମିଳିନଥିଲା।

ଅଡିଟ୍ ଟିମ୍‌ ପକ୍ଷରୁ ୪୧ଟି ବୃକ୍ଷରୋପଣ ପ୍ରକଳ୍ପର ସରଜମିନ ଯାଞ୍ଚ କରାଯାଇଥିଲା। ସେଥିରୁ ୨୦ଟି ବିଫଳ ଓ ସାତଟି ଆଂଶିକ ସଫଳ ହୋଇଥିବା ଜଣାପଡ଼ିଥିଲା। ଏହି କାରଣରୁ ୨.୬୭ କୋଟି ଟଙ୍କା ପାଣିରେ ପଡ଼ିଥିଲା। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ବନୀକରଣ ଏମିତି ସ୍ଥାନରେ ହେବା କଥା ‌ଯେଉଁଠି ବୃକ୍ଷ ବଞ୍ଚିପାରିବ। କିନ୍ତୁ ଦେଖାଯାଇଥିଲା ଯେ ଅନେକ ଗଛକୁ ଫୁଟ୍‌ପାଥ୍ ଭଳି ଖୋଲା ସ୍ଥାନରେ ଲଗାଯାଇଥିଲା। ସେଥିରୁ ଅଳ୍ପ କିଛି ଶାଗୁଆନ ପ୍ରଜାତିର ଗଛ ବଞ୍ଚୁଥିଲା। କିନ୍ତୁ ସେଗୁଡ଼ିକ ଠିକ୍ ଭାବେ ବଢ଼ୁନଥିଲା। ଟ୍ରେଞ୍ଚ୍‌ଗୁଡ଼ିକୁ ଠିକ୍ ଭାବେ ଖୋଳାଯାଉନଥିଲା।

publive-image

ବ୍ଲକ୍ ବୃକ୍ଷରୋପଣ ଓ ସହରୀ ବୃକ୍ଷରୋପଣ କାର୍ଯ୍ୟର ବିଭିନ୍ନ ଉପାଦାନ ସମାନ ଥିବା ବେଳେ ସହରୀ ବୃକ୍ଷରୋପଣ ପାଇଁ ମନୁଷ୍ୟ ଦିବସକୁ ଅଧିକ ସ୍ଥିର କରାଯାଇଥିଲା। ଏହାକୁ ନେଇ ସିଏଜି ତାଙ୍କ ରିପୋର୍ଟରେ ଆପତ୍ତି ଉଠାଇଛନ୍ତି। କହିଛନ୍ତି ଯେ ଏଭଳି ନିଷ୍ପତ୍ତି ଯୋଗୁ ଅଯଥାରେ ୩୯.୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାକୁ ରୋକାଯାଇପାରିଥାନ୍ତା। ସହରାଞ୍ଚଳ ବୃକ୍ଷରୋପଣ ଅଧୀନରେ ବାଡ଼ ନିର୍ମାଣ ଓ ତୃତୀୟ ବର୍ଷର ରକ୍ଷଣାବେକ୍ଷଣ ପାଇଁ ପାଣ୍ଠିର ଅନିୟମିତ ଆବଣ୍ଟନ ଯୋଗୁଁ ୧୪.୮୨ କୋଟି ଟଙ୍କା ଅଯଥା ଖର୍ଚ୍ଚ ହୋଇଥିଲା। ଟେଣ୍ଡର ଆହ୍ବାନ ନକରି ଜଳ ସିଞ୍ଚନ ପାଇଁ ୬୯.୧୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ଏଥିରେ ନିୟମକୁ ଠିକ୍ ଭାବେ ପାଳନ କରାଯାଇନଥିବା ସିଏଜି କହିଛନ୍ତି। ରାସ୍ତା ପ୍ରସସ୍ତୀକରଣ ଯୋଗୁଁ ଆଭେନ୍ୟୁ ବୃକ୍ଷରୋପଣ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସମନ୍ବୟ ଅଭାବ ଯୋଗୁଁ ସଂସ୍ଥା ଠାରୁ କ୍ଷତିପୂରଣ ଆଦାୟ କରାଯାଇପାରିନଥିଲା। ଉପଯୁକ୍ତ ଆଲୋକ ପଡ଼ୁନଥିବା ସ୍ଥାନରେ ବାଉଁଶ ଲଗାଯିବାରୁ ସେଗୁଡ଼ିକ ଠିକ୍ ଭାବେ ଉଧେଇ ନଥିଲା। କେନ୍ଦୁଝର ଡିଭିଜନର ହଦଗଡ଼ ଅଭୟାରଣ୍ୟରେ ୧୦ ହେକ୍ଟର ଜମିରେ ୨.୦୨ ଲକ୍ଷ ଟଙ୍କା ବ୍ୟୟରେ ବାଉଁଶ ଗଛ ଳଗାଯାଇଥିଲା। ଅଡିଟ୍ ବେଳେ ସେଠାରେ ବାଉଁଶ ଗଛର ଅସ୍ତିତ୍ବ ବି ଦେଖିବାକୁ ମିଳିନଥିଲା। ବୌଦ୍ଧ, କେନ୍ଦୁଝର ଓ କୋରାପୁଟର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବାଉଁଶ ଗଛଗୁଡ଼ିକର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା। କେନ୍ଦ୍ରାପଡ଼ା ରାଜନଗର ଅନ୍ତର୍ଗତ ସାନବୁଟୀରେ ଲଗାଯାଇଥିବା ମ୍ୟାନ୍‌ଗ୍ରୋଭ୍ ମଧ୍ୟରୁ ଶତକଡ଼ା ୩୬.୪୬ ବଞ୍ଚିଥିଲା। ତାହାକୁ ବିଫଳ ବୃକ୍ଷରୋପଣ ଭାବେ ବିବେଚନା କରାଯାଉଛି।

ସିଏଜି କରିଥିବା ଅଡିଟ୍‌ରୁ ଜଣାପଡ଼ିଛି ଯେ ବୃକ୍ଷରୋପଣ ଯୋଜନା ବିଫଳ ହେବାର ବହୁ କାରଣ ରହିଛି। ସେଥିରୁ ଅନ୍ୟତମ ହେଉଛି ଅବାସ୍ତବ ଯୋଜନା। ଅବକ୍ଷୟ ଜଙ୍ଗଲ ଜମି ଓ ରାଜସ୍ବ ଜମି ସମ୍ବନ୍ଧୀୟ ତଥ୍ୟ ଉପଲବ୍ଧ ନଥିବା କାରଣରୁ କ୍ଷେତ୍ରୀୟ କର୍ମଚାରୀମାନେ ଭାଗ ଭାଗ କରି ଯୋଜନା ପ୍ରଦାନ କରୁଥିଲେ। ରେଞ୍ଜ୍‌, ବିଭାଗ ଓ ବନ ମୁଖ୍ୟାଳୟ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିନଥିଲା। ୨୦୧୩-୧୪ରୁ ୨୦୧୭-୧୮ ପର୍ଯ୍ୟନ୍ତ ହୋଇଥିବା ବୃକ୍ଷରୋପଣଗୁଡ଼ିକର ଅଡିଟ୍ କରି ସିଏଜି ଏହି ସବୁ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ସମୟ ଭିତରେ ବୃକ୍ଷରୋପଣ ବାବଦରେ ୧୧୭୬.୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe