ସିଏଜି ସ୍ୱତନ୍ତ୍ର: ସରକାରୀ ଉଦ୍ୟୋଗ ଉପରେ ୧୩,୧୮୨ କୋଟି ଋଣ

Advertisment

୨୪ଟି ସଂସ୍ଥାର ଲାଭ ୧,୬୮୬ କୋଟି

୨୪ଟି ସଂସ୍ଥାର ଲାଭ ୧,୬୮୬ କୋଟି

ସିଏଜି ସ୍ୱତନ୍ତ୍ର: ସରକାରୀ ଉଦ୍ୟୋଗ ଉପରେ ୧୩,୧୮୨ କୋଟି ଋଣ

ସିଏଜି ରିପୋର୍ଟକୁ ପ୍ରଧାନ ମହାଲେଖାକାର (ଅଡିଟ୍‌-୧) ରାଜ କୁମାର, ପ୍ରଧାନ ମହାଲେଖାକାର ଭିଏସ୍‌ ଜାଦୋନ୍‌ ଓ ବରିଷ୍ଠ ଉପ ମହାଲେଖାକାର ସୁମନ୍ତ ରଞ୍ଜନ ଉନ୍ମୋଚନ କରୁଛନ୍ତି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୩୩ଟି ଉଦ୍ୟୋଗ ଓ ନିଗମଗୁଡ଼ିକ ମଧ୍ୟରୁ ୧୦ଟି ସଂସ୍ଥା ଉପରେ ୨୦୨୦ ମାର୍ଚ୍ଚ ସୁଦ୍ଧା‌ ୧୩,୧୮୨.୫୭ କୋଟି ଟଙ୍କାର ଦୀର୍ଘକାଳୀନ ଋଣ ରହିଛି। ସେହି ଋଣ ମଧ୍ୟରୁ ରାଜ୍ୟ ସରକାରଙ୍କ କରଜ ୧୨୭୭.୨୯ କୋଟି ଟଙ୍କା ଥିଲା। ‌କୋଣାର୍କ ଝୋଟ ଲିମିଟେଡ୍‌କୁ ୧୨.୧୩ କୋଟି ଟଙ୍କା ଋଣ ଦିଆଯାଇଥିଲା ବୋଲି ସିଏଜି ରିପୋର୍ଟରୁ ଜଣାପଡ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷ ହିସାବରୁ ଜଣାପଡ଼ିଥିଲା ଯେ ୨୦୧୯-୨୦ ମଧ୍ୟରେ ଏହି ସଂସ୍ଥା ମୂଳ ଧନ କିମ୍ବା ସୁଧ ପରିଶୋଧ କରିନାହିଁ। ଏହି ସଂସ୍ଥାର ସମ୍ପତ୍ତି ମୂଲ୍ୟ ମାତ୍ର ୫ କୋଟି ଟଙ୍କା ହୋଇଥିବା ବେଳେ ତାହା ଉପରେ ୧୨.୧୩ କୋଟି ଟଙ୍କାର ଋଣ ବାକି ପଡ଼ିଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ବାରା ତିନିଟି ସଂସ୍ଥାକୁ ଦିଆଯାଇଥିବା ଦୀର୍ଘକାଳୀନ ଋଣ ଉପରେ ୧୩୧୫.୭୩ କୋଟି ଟଙ୍କାର ସୁଧ ବକେୟା ଥିଲା। ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌, ଗ୍ରିଡ୍‌କୋ ଓ ଓଡ଼ିଶା ରାଜ୍ୟ ବିହନ ନିଗମ ଉପରେ ଏହି ସୁଧ ବକେୟା ଥିଲା ବୋଲି ସିଏଜି ଜଣାଇଛନ୍ତି। ତିନି ବର୍ଷରୁ ଅଧିକ ବକେୟା ଥିବା ୯୧୯.୬୧ କୋଟି ଟଙ୍କା ମୋଟ ବକେୟାର ପ୍ରାୟ ୭୦ ପ୍ରତିଶତ ବୋଲି ହିସାବ କରାଯାଇଛି।

୨୪ଟି ସଂସ୍ଥାର ଲାଭ ୧,୬୮୬ କୋଟି
ଭୁବନେଶ୍ବର : ଆଜି ବିଧାନସଭାରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେଂ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ୨୪ଟି ସରକାରୀ କଂପାନି ଓ ନିଗମଗୁଡ଼ିକର ମୋଟ ଲାଭ ୧୬୮୬.୦୮ କୋଟି ଟଙ୍କା ଥିଲା। ୨୦୧୮-୧୯ରେ ୨୨ଟି ସରକାରୀ କଂପାନି ଓ ନିଗମର ମୋଟ ଲାଭ ୧୧୭୪.୩୦ କୋଟି ଟଙ୍କା ଥିଲା। ୨୦୧୯-୨୦ରେ ୫୦ କୋଟି ଟଙ୍କାରୁ ଅଧିକ ଲାଭ କରିଥିବା ୫ଟି କଂପାନି ଥିଲେ। ଓଡ଼ିଶା ଖଣି ନିଗମ ୭୨୮.୭୨ କୋଟି ଟଙ୍କା, ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ ୪୨୭.୨୦ କୋଟି ଟଙ୍କା, ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ଲିମିଟେଡ୍‌ ୧୭୧.୪୮ କୋଟି ଟଙ୍କା‌, ଓଡ଼ିଶା ଜଳ ବିଦ୍ୟୁତ ନିଗମ ୧୪୪.୩୯ କୋଟି ଟଙ୍କା ଓ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ ୫୦.୧୩ କୋଟି ଟଙ୍କାର ଲାଭ କରିଥିଲେ। ଏହି ପାଞ୍ଚଟି ଉଦ୍ୟୋଗର ଲାଭ ମୋଟ ୨୪ଟି ସରକାରୀ ଉଦ୍ୟୋଗର ମିଳିତ ଲାଭର ୯୦.୨୬ ପ୍ରତିଶତ ଥିଲା। ୧୩ଟି ସରକାରୀ ନିୟନ୍ତ୍ରୀତ ଅନ୍ୟ କଂପାନି ମଧ୍ୟରୁ ଆଠଟି କଂପାନି ୨୦୨୦ ମାର୍ଚ୍ଚ ସୁଦ୍ଧା ୪.୬୫ ‌କୋଟି ଟଙ୍କାର ଲାଭ କରିଥିଲେ। ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ସାତଟି କଂପାନି ୨୦୧୯-୨୦ରେ ୩୦୪.୫୨ କୋଟି ଟଙ୍କାର କ୍ଷତି ସହିଥିଲେ। ସେଥିରୁ ଶକ୍ତି କ୍ଷେତ୍ରରେ କାମ କରୁଥିବା କଂପାନିଗୁଡ଼ିକ ୨୮୧.୦୫ କୋଟି ଟଙ୍କାର କ୍ଷତି ସହିଥିଲେ। ଏହି କଂପାନିଗୁଡ଼ିକର କ୍ଷତି ୨୦୧୮-୧୯ରେ ୩୧୩.୨୬ କୋଟି ଟଙ୍କା ଥିଲା। ‌୧୩ଟି ସରକାରୀ ନିୟନ୍ତ୍ରୀତ କଂପାନି ମଧ୍ୟରୁ ତିନିଟି କମ୍ପାନି ୨୪.୪୧ କୋଟି ଟଙ୍କାର କ୍ଷତି ସହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe