ନୂଆଦିଲ୍ଲୀ: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଶୌଚାଳୟ ଭଳି ସାର୍ବଜନୀନ ସୁବିଧା ନାହିଁ। ଏହା ସହ ଭିନ୍ନକ୍ଷମଙ୍କ ପାଇଁ ଏଠାରେ ସୁବିଧା ଉପଲବ୍ଧ ନଥିବା ବେଳେ ପାର୍କିଂ, କ୍ଲୋକ୍ ରୁମ୍ ଓ ବ୍ୟାଖ୍ୟାନ ସେବା ମିଳୁନି। ଏହି ବିଶ୍ବପ୍ରସିଦ୍ଧ ଐତିହ୍ୟର ସମ୍ମୁଖରେ ବେଆଇନ ନିର୍ମାଣ ସହ ଅତିକ୍ରମଣ ଦୃଷ୍ଟିକୁ ଆସିଛି। ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣକୁ ନେଇ ପ୍ରସ୍ତୁତ ଅଡିଟ୍ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ରିପୋର୍ଟରେ କୁହାଯାଇଛି, ୧୯୩୯ରେ ଏଏସ୍ଆଇ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ହାତକୁ ନେବା ପୂର୍ବରୁ ମନ୍ଦିରର ଗର୍ଭଗୃହକୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା। କୋଣାର୍କରେ ସ୍ଥାପନ କରାଯାଇଥିବା ସିସିଟିଭିଗୁଡ଼ିକ କାର୍ଯ୍ୟକ୍ଷମ ହୋଇନାହିଁ। କୋଣାର୍କ, ରତ୍ନଗିରି ଓ ଲଳିତଗିରିରେ ଏଏସ୍ଆଇ ଦ୍ବାରା ‘ସାଇଟ୍ ମ୍ୟୁଜିୟମ୍’ ପ୍ରତିଷ୍ଠା କରାଯାଇଛି। କୋଣାର୍କ ‘ସାଇଟ୍ ମ୍ୟୁଜିୟମ’ରେ ୨୦୧୬-୧୭ ରୁ ୨୦୧୯-୨୦ ପର୍ଯ୍ୟନ୍ତ ପ୍ରାଚୀନ ଅବଶେଷଗୁଡ଼ିକର ପ୍ରତ୍ୟକ୍ଷ ଯାଞ୍ଚ (ଫିଜିକାଲ୍ ଭେରିଫିକେସନ୍) କରାଯାଇନାହିଁ। ଅନ୍ୟ ପକ୍ଷରେ ମନ୍ତ୍ରାଳୟ ଓ ଏଏସ୍ଆଇ ପକ୍ଷରୁ ବର୍ଷକୁ ଥରେ ପୁରାତନ ଅବଶେଷଗୁଡ଼ିକୁ ଯାଞ୍ଚ କରିବା ପାଇଁ ଜାନୁଆରି ୨୦୨୨ରେ କୁହାଯାଇଥିଲା।
ମନ୍ଦିରର ୧୩ଟି ପ୍ରାଚୀନ ଅବଶେଷ ନିଖୋଜ ହୋଇଥିବା ବିଶେଷଜ୍ଞ କମିଟି ପକ୍ଷରୁ ୨୦୧୫ରେ କୁହାଯାଇଥିଲା। ହେଲେ ପୁରାତନ ଅବଶେଷଗୁଡ଼ିକୁ ଖୋଜିବା ପାଇଁ କୌଣସି ପ୍ରୟାସ କରାଯାଇନାହିଁ। ମନ୍ଦିରର ‘ସାଇଟ୍ ମ୍ୟୁଜିୟମ’ରେ ପୁରାତନ ଅବଶେଷ ରଖାଯିବା ପରିବର୍ତ୍ତେ ଐତିହ୍ୟ ନିକଟରେ ପଡ଼ିରହିଛି। ‘ସାଇଟ୍ ମ୍ୟୁଜିୟମ’ରେ ମୂର୍ତ୍ତିଗୁଡ଼ିକୁ ପ୍ରଦର୍ଶିତ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ଏଏସ୍ଆଇ ଭୁବନେଶ୍ବର ସର୍କଲ ପକ୍ଷରୁ ସୂର୍ଯ୍ୟ ମନ୍ଦିର କୋଣାର୍କ ଏବଂ ଖଣ୍ଡଗିରି-ଉଦୟଗିରି ଗୁମ୍ପାରେ ସାଉଣ୍ଡ୍ ଆଣ୍ଡ୍ ଲାଇଟର ବ୍ୟବସ୍ଥା ହୋଇଛି। ତେବେ ଅଡିଟ୍ ବେଳେ ଖଣ୍ଡଗିରି-ଉଦୟଗିରିରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ନଥିବା ଅଡିଟ୍ ରିପୋର୍ଟରେ କୁହାଯାଇଛି।
Follow Us