ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଞ୍ଜିକା ସମୀକରଣ ବୈଠକ: ପାଞ୍ଜିକାର ବିଭ୍ରାନ୍ତି କଲେ ଏଣିକି କାର୍ଯ୍ୟାନୁଷ୍ଠାନ

ଶ୍ରୀମନ୍ଦିରରେ ୨୦୨୫-୨୬ ବର୍ଷରେ ଅନୁଷ୍ଠିତ ହେବାକୁ ଯାଉଥିବା ସମସ୍ତ ପର୍ବପର୍ବାଣି ଓ ଯାନିଯାତ୍ରା ଆଜି ତିଥି ଓ ନକ୍ଷତ୍ରକୁ ମେଳ କରାଯାଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ, ନିଜ ନିଜ ପାଞ୍ଜିରେ ପ୍ରକାଶ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି।

jagannath temple-the financial express

ପୁରୀ: ଶ୍ରୀମନ୍ଦିରରେ ୨୦୨୫-୨୬ ବର୍ଷରେ ଅନୁଷ୍ଠିତ ହେବାକୁ ଯାଉଥିବା ସମସ୍ତ ପର୍ବପର୍ବାଣି ଓ ଯାନିଯାତ୍ରା ଆଜି ତିଥି ଓ ନକ୍ଷତ୍ରକୁ ମେଳ କରାଯାଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ, ନିଜ ନିଜ ପାଞ୍ଜିରେ ପ୍ରକାଶ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି। ଯଦି କେହି ଏଥିରେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି ଓ ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇବାକୁ ଚେଷ୍ଟା କରନ୍ତି, ସେମାନଙ୍କ ବିରୋଧରେ ଶ୍ରୀମନ୍ଦିର ଆଇନ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି।

ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଜିକା ବା ପାଞ୍ଜି ସମୀକରଣ ବୈଠକ ମୁଖ୍ୟ ପ୍ରଶାସକ ଡ. ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସମେତ ମୁକ୍ତିମଣ୍ଡପ ପଣ୍ଡିତସଭା ସଦସ୍ୟ, ପୂଜାପଣ୍ଡା ନିଯୋଗ, ଦେଉଳକରଣ, ତଢ଼ଉକରଣ ଓ ୫ଟି ପଞ୍ଜିକାର ଗଣକ ତଥା ପାଞ୍ଜିକାରମାନେ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀମନ୍ଦିରର ବାର୍ଷିକ ପର୍ବପର୍ବାଣି ଓ ଯାନିଯାତ୍ରା ସମ୍ପର୍କରେ ତ୍ରୁଟିବିହୀନ ପଞ୍ଜିକା ପ୍ରସ୍ତୁତ ପାଇଁ ଆମେ ଲକ୍ଷ୍ୟ ରଖିଥିଲୁ। ପୂର୍ବରୁ ବିଭିନ୍ନ ସେବାୟତ ନିଯୋଗ ସହ ବି ଆଲୋଚନା ହୋଇଥିଲା। ପୂଜାପଣ୍ଡା ନିଯୋଗ, ମୁକ୍ତିମଣ୍ଡପ ପଣ୍ଡିତସଭା ପଣ୍ଡିତ, ଦେଉଳକରଣ, ତଢ଼ଉକରଣ ଓ ଅନ୍ୟ ସେବା ସମ୍ପୃକ୍ତ ସେବକମାନେ ଏଥିରେ ସହଯୋଗ କରିଥିଲେ। ଆଜିର ବୈଠକକୁ ୮ଟି ପଞ୍ଜିକାର ପ୍ରକାଶକଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା, କିନ୍ତୁ ୫ଟି ପଞ୍ଜିକାର ଗଣକ ତଥା ପାଞ୍ଜିକାରମାନେ ଅଂଶଗ୍ରହଣ କରିଥିଲେ। ବିଗତ କିଛି ବର୍ଷ ହେଲା ଓଡ଼ିଶାରେ ପ୍ରକାଶିତ ପାଞ୍ଜିରେ ପର୍ବପର୍ବାଣିରେ ସାମଞ୍ଜସ୍ୟ ରହୁ ନଥିବାରୁ ବିଭ୍ରାନ୍ତି ସୃଷ୍ଟି ହେଉଛି।

ଚୂଡ଼ାନ୍ତ ହେଲା ୨୦୨୫-୨୬ ବର୍ଷର ପର୍ବପର୍ବାଣି ଓ ଯାନିଯାତ୍ରା

ଏହା ଜନମାନସରେ ଦ୍ବନ୍ଦ୍ବ ଉପୁଜାଉଛି। ଗତ କିଛି ବର୍ଷ ହେଲା ଦେଖାଦେଇଥିବା ଏହି ତ୍ରୁଟିବିଚ୍ୟୁତିର ସମାଧାନ ପାଇଁ ନୀତି ପ୍ରଶାସକଙ୍କ ନେତୃତ୍ବରେ ଏକ ସବ୍‌କମିଟି ଗଠନ କରାଯାଇଛି। ଏହି କମିଟି ପାଞ୍ଜି ସମୀକରଣ ବୈଠକ କରି ଆସୁଛି। ଆଜିର ବୈଠକରେ ଶ୍ରୀରାଧାରମଣ ବିଶୁଦ୍ଧ ଖଡ଼ିରତ୍ନ ପଞ୍ଜିକା, ଓଡ଼ିଶା କୋହିନୂର ପ୍ରେସ ପଞ୍ଜିକା, ଅରୁଣୋଦୟ ପ୍ରେସ ଖଡ଼ିରତ୍ନ ପଞ୍ଜିକା, ଜିଏମ୍‌ ତ୍ରିପାଠୀ ଉତ୍କଳ ଜାତୀୟ ଖଡ଼ିରତ୍ନ ପଞ୍ଜିକା ଓ ବ୍ରହ୍ମପୁର ଭାଗ୍ୟଦୀପ ପ୍ରେସ ପଞ୍ଜିକାର ପାଞ୍ଜିକାରମାନେ ଉପସ୍ଥିତ ଥିଲେ। ଏହି ୫ ପଞ୍ଜିକା ବ୍ୟତୀତ ରାଜ୍ୟରେ ଯେଉଁ ଅନ୍ୟ ପାଞ୍ଜିକାରମାନେ ପଞ୍ଜିକା ଛପାଉଛନ୍ତି, ସେମାନେ ନିଜ ନିଜ ପଞ୍ଜିକାରେ ଶ୍ରୀମନ୍ଦିର ଅନୁମୋଦିତ ପର୍ବପର୍ବାଣି ସ୍ଥାନିତ କରିବାକୁ ଅନୁରୋଧ କରାଯାଉଛି। କୌଣସି ପରିସ୍ଥିତିରେ ଆମେ ଭୁଲ୍‌ ତଥ୍ୟ ଦେବୁନି। ଆଜି ମୁକ୍ତିମଣ୍ଡପ ପଣ୍ଡିତସଭା ଓ ବିଦ୍ବାନମାନଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପାଣ୍ଡୁଲିପି ଓ ୫ ପଞ୍ଜିକାରଙ୍କ ପାଣ୍ଡୁଲିପି ମେଳକ କରାଯାଇ ଏହି ପର୍ବପର୍ବାଣି ଚୂଡ଼ାନ୍ତ ହୋଇଛି। ସେମାନେ ଶ୍ରୀମନ୍ଦିର ସମ୍ବନ୍ଧୀୟ ପର୍ବପର୍ବାଣିକୁ ତ୍ରୁଟିଶୂନ୍ୟ କରିବାକୁ ଆମେ ତାଲିକା ଦେଇଛୁ।  ଯେଉଁମାନେ ଶୀଘ୍ର ପଞ୍ଜିକା ଛପାଉଛନ୍ତି, ସେମାନେ ପ୍ରଦତ୍ତ ତାଲିକା ଅନୁସାରେ ଆବଶ୍ୟକ ସଂଶୋଧନ କରି ପଞ୍ଜିକା ଛପାଇ ପାରିବେ ବୋଲି ଡ. ପାଢ଼ୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe