ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆହ୍ବାନ : ବିଧାୟକ, ସାଂସଦ, ଯୁବଛାତ୍ରଙ୍କ ସହଯୋଗ ଲୋଡ଼ିଲା ‘ଓଡ଼ିଶା-ମୋ ପରିବାର’

ନେତାଜୀ ଜୟନ୍ତୀରୁ ବିଜୁଙ୍କ ଶ୍ରାଦ୍ଧ ଯାଏ, ରକ୍ତଦାନ ପାଇଁ ସ୍ୱତନ୍ତ୍ର ଅଭିଯାନ କରିବ ‘ଓଡ଼ିଶା-ମୋ ପରିବାର’

ଭୁବନେଶ୍ୱର : ରକ୍ତର ଅଭାବ ପୂରଣ କରିବା ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଏକ ବଡ଼ ମାଧ୍ୟମ। କୋଭିଡ୍‌-୧୯ ସଂକ୍ରମଣ ଜନିତ କଟକଣା ଯୋଗୁଁ ଏହି ସମସ୍ୟା ଏବେ ଉତ୍କଟ ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକରେ ଓଡ଼ିଶା-ମୋ ପରିବାର’ ଏହି ରକ୍ତ ସଂଗ୍ରହ ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ନିଷ୍ପତ୍ତି ନେଇଛି। ସାରା ରାଜ୍ୟରେ ବର୍ଷକୁ ଏକ ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ସ୍ବେଚ୍ଛାସେବୀ ସଙ୍ଗଠନ, ବିଧାୟକ, ସାଂସଦ, ଜନ ପ୍ରତିନିଧି, ସାମାଜିକ ସଙ୍ଗଠନ ଆଗେଇ ଆସିବା ପାଇଁ ‘ଓଡ଼ିଶା-ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଦେବୀ ପ୍ରସାଦ ମିଶ୍ର, ସହ ମୁଖ୍ୟ ସଂଯୋଜକ ଅତନୁ ସବ୍ୟସାଚୀ ନାୟକ ଏକ ସମ୍ବାଦିକ ସମ୍ମିଳନୀରେ ଆହ୍ବାନ ଦେଇଛନ୍ତି।

ରାଜ୍ୟରେ ବର୍ଷକୁ ୪ ଲକ୍ଷ ୟୁନିଟ୍‌ ରକ୍ତର ଆବଶ୍ୟକତା ରହିଛି। ସେଥିରୁ ପ୍ରାୟ ୨ ଲକ୍ଷ ୟୁନିଟ୍‌ ରକ୍ତ ପ୍ରତିବଦଳରେ ସଂଗ୍ରହ ହେଉଥିବା ବେଳେ ବାକି ୨ ଲକ୍ଷ ୟୁନିଟ୍‌ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକରୁ ସଂଗୃହୀତ ହୋଇଥାଏ। ଯାହା ଉପରେ ରାଜ୍ୟର ୫୬ଟି ରକ୍ତ ଭଣ୍ଡାର ନିର୍ଭରଶୀଳ। କୋଭିଡ୍‌-୧୯ କଟକଣା ‌ସତ୍ତ୍ବେ ‘ଜୀବନ ବିନ୍ଦୁ’ ମାଧ୍ୟମରେ ୨୦ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ଭୁବନେଶ୍ବର, କଟକ ଭଳି ସ୍ଥାନରେ ଯୁବ, ଛାତ୍ର ସଙ୍ଗଠନ ପକ୍ଷରୁ ସପ୍ତାହବ୍ୟାପୀ ‘ଜୀବନ ବିନ୍ଦୁ ଶିବିର’ ଅନୁଷ୍ଠିତ ହେଉଛି। ରାଜ୍ୟରେ ଥିବା ୮୦ ହଜାର ଥାଲାସେମିଆ, ସିକିଲସେଲ୍‌, ହେମୋଫିଲିଆ ରୋଗୀଙ୍କ ପାଇଁ ରକ୍ତ ସବୁ ମାସରେ ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ମେଣ୍ଟାଇବା ଲାଗି ରକ୍ତଦାନକୁ ଏକ ଅଭିଯାନ ଭାବେ ନେବା ଦରକାର। ଏଥିପାଇଁ ‘ଓଡ଼ିଶା-ମୋ ପରିବାର’ ପକ୍ଷରୁ ଚଳିତବର୍ଷ ଅଗଷ୍ଟ ମାସରୁ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe