The News Minute
ଦିଗପହଣ୍ଡି/କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ବ୍ଲକ୍ ମହୁରୀ କାଳୁଆ-ଅନନ୍ତେଇ ଗ୍ରାମ ମଝି ରାସ୍ତାକଡ଼ରୁ ଆଜି ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର ହୋଇଛି। ମୃତକଜଣକ ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ଖାଲାସି ସାହିର ଶିବଶଙ୍କର ବେହେରା (୪୫) ଓ ସେ ଜଣେ ଲେମ୍ବୁ ବ୍ୟବସାୟୀ ବୋଲି ଜଣାପଡ଼ିଛି।
ଶିବ ଗତକାଲି ରାତିରୁ ନିଖୋଜ ଥିବା ବେଳେ ଆଜି ସକାଳେ ତାଙ୍କର ଶବ ମିଳିଥିଲା। ଛାତି, ମୁଣ୍ଡ ଓ ହାତରେ ଗୁରୁତର କ୍ଷତ ଚିହ୍ନ ରହିଥିବାରୁ ଛୁରୀ ଭୁସି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦିଗପହଣ୍ଡି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ଏସ୍.ପି. ଡା.ଶରବଣା ବିବେକ ଏମ୍. ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇ ନଥିବା ବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୋଜନା ପ୍ରସ୍ତୁତ ହୋଇଥିବା ସନ୍ଦେହ କରାଯାଉଛି। ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଛି।
ଖାଲାସି ସାହିରେ ରହୁଥିବା ଶିବ ଜଣେ ଲେମ୍ବୁ ବ୍ୟବସାୟୀ ହୋଇଥିବା ବେଳେ ଗତକାଲି ସକାଳେ ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ କୁଆଡ଼େ ଯାଇଥିଲେ। ମଧ୍ୟାହ୍ନରେ ଫେରିବା ପରେ ଅପରାହ୍ଣ ପ୍ରାୟ ୪ଟା ବେଳେ ପୁଣିଥରେ ସମ୍ପୃକ୍ତ ବ୍ୟକ୍ତିଜଣକ ଶିବଙ୍କୁ ଡାକିବା ପାଇଁ ଘରକୁ ଆସିଥିଲେ ବୋଲି ତାଙ୍କ ପୁଅ ମଙ୍ଗଳା କହିଛନ୍ତି। ବାପା ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ଗତକାଲି ଅପରାହ୍ଣରୁ ଯାଇ ରାତିରେ ଆଉ ଫେରି ନଥିଲେ। ରାତିସାରା ନିଖୋଜ ରହିବା ପରେ ଆଜି ସକାଳେ ମହୁରୀ କାଳୁଆ-ଅନନ୍ତେଇ ରାସ୍ତାରେ ଶିବଙ୍କ ଶବ ଠାବ ହୋଇଥିଲା।
ତେବେ ଶିବଙ୍କୁ କିଏ ଓ କାହିଁକି ହତ୍ୟା କଲା ସେ ସମ୍ପର୍କରେ ପୁଅ ମଙ୍ଗଳା କିଛି କହିପାରୁ ନାହାନ୍ତି। ବାପାଙ୍କ ସହିତ ଥିବା ବ୍ୟକ୍ତିଜଣକ ଘଟଣା ସମ୍ପର୍କରେ କିଛି ଜାଣିଥାଇ ପାରନ୍ତି ବୋଲି ସେ ଅନୁମାନ କରୁଛନ୍ତି। ଶିବଙ୍କୁ ଘରୁ ଡାକି ନେଇଥିବା ବ୍ୟକ୍ତିକୁ ପୁଲିସ ଥାନାରେ ଅଟକ ରଖି ଜେରା କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡ ସମ୍ପର୍କରେ କୌଣସି ସୁରାକ୍ ପାଇପାରି ନାହିଁ। ପୂର୍ବ ଶତ୍ରୁତାରୁ ହିଁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଦିଗପହଣ୍ଡି ଥାନାଧିକାରୀ ଦୀପ୍ତିରଂଜନ ବେହେରା ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛନ୍ତି। ଏନେଇ ଦିଗପହଣ୍ଡି ଥାନାରେ କେସ୍ ନମ୍ବର ୨୪୯/୨୨ରେ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
Follow Us