ଡାକିଲାଣି ଶ୍ରୀକ୍ଷେତ୍ର: ଯୋଗଦେବେ ଦେଶର ସାଧୁସନ୍ଥ, ୮୫୦ ଅତିଥି

ସବୁ ସାଂସଦ, ବିଧାୟକଙ୍କୁ ବି ନିମନ୍ତ୍ରଣ, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଡାକିଲାଣି ଶ୍ରୀକ୍ଷେତ୍ର: ଯୋଗଦେବେ ଦେଶର ସାଧୁସନ୍ଥ, ୮୫୦ ଅତିଥି

ପୁରୀ: ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଶେଷ ସ୍ପର୍ଶ ପାଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଲୋକାର୍ପଣ ପାଇଁ ହୋଇଛି ଭବ୍ୟ ଆୟୋଜନ। ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି ଶ୍ରୀମନ୍ଦିର, ପରିକ୍ରମା ପ୍ରକଳ୍ପ ସହ ଶ୍ରୀକ୍ଷେତ୍ରର ପରିପାଟ୍ଟୀ। ମନ୍ତ୍ରପାଠରେ ଗୁଞ୍ଜରିତ ହେଉଛି ଆଧ୍ୟାତ୍ମିକ ସହର। ବଢ଼ିଚାଲିଛି ଉତ୍କଣ୍ଠା। ଶ୍ରୀକ୍ଷେତ୍ରର ଏହି ଭବ୍ୟ ଆୟୋଜନ ଭକ୍ତଙ୍କୁ ହାତଠାରି ଡାକିଲାଣି। ଦିନ କେଇଟାର ଅପେକ୍ଷା। ଦେଶର ପ୍ରତି କୋଣରୁ ସାଧୁସନ୍ଥଙ୍କ ସହ ୮୫୦ଜଣ ନିମନ୍ତ୍ରିତ ଅତିଥି ବି ଏହି ଭବ୍ୟ ଆୟୋଜନର ଭକ୍ତିରସରେ ଭିଜିବାକୁ ଅନାଇ ବସିଛନ୍ତି। ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଭବ୍ୟ ମହୋତ୍ସବ।

ଏଥିପାଇଁ ଗତକାଲିଠାରୁ ଉତ୍ସବମୁଖର ହୋଇଛି ଶ୍ରୀକ୍ଷେତ୍ର। ଅଙ୍କୁରରୋପଣ ପରେ ଆଜି ଅଙ୍କୁରପୂଜନ ନୀତି ସଂପନ୍ନ ହୋଇଛି। ଆସନ୍ତାକାଲି ଯଜ୍ଞ ଅଧିବାସ ପରେ ଜାନୁଆରି ୧୫ ତାରିଖରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ମହାଯଜ୍ଞ ଆରମ୍ଭ ହେବ। ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତା ଭାବେ ପୂଜାରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଓ ଫଳକ ଲୋକାର୍ପଣ କରିବେ। ଏହି ଭବ୍ୟ ଆୟୋଜନରେ ସାମିଲ୍‌ ହେବାକୁ ଓଡ଼ିଶା ସହ ଦେଶ ବିଦେଶର ମଠ, ମନ୍ଦିରର ସାଧୁସନ୍ଥ, କାର୍ଯ୍ୟକର୍ତ୍ତାକୁ ନିମନ୍ତ୍ରଣ କରାଯାଇଛି। କେଉଁଠୁ କେଉଁମାନେ ଆସୁଛନ୍ତି, ସେମାନଙ୍କ ତାଲିକା ସହ ରହିବା ଓ ଖାଇବା ବ୍ୟବସ୍ଥା ବି ସରିଛି। ଏବେଠୁ ୪୪ ଫ୍ଲାଟୁନ୍‌ ଫୋର୍ସ ଓ ଶତାଧିକ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ପଇଁତରା ମାରିବା ଆରମ୍ଭ କରି ଦେଇଛନ୍ତି। ଲୋକାର୍ପଣ ଉତ୍ସବ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଅନ୍ୟ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଛନ୍ତି। ଆୟୋଜନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି, ୧୭ ତାରିଖରେ ପ୍ରକଳ୍ପ ଲୋକାର୍ପଣ ହେବ। ତା' ପୂର୍ବରୁ ଆମେ ସମସ୍ତ ପ୍ରସ୍ତୁତି ସାରିଦେବୁ। ସବୁ କାମ ବି ସରି ଯାଇଛି। ସଫାସଫା କାମ ଚାଲିଛି, ଯାହା ସରିଯିବ। ଶେଷ ସମୟରେ ସୌନ୍ଦର୍ଯ୍ୟୀକରଣ ପାଇଁ ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା ବି ଶେଷ ହୋଇଯାଇଛି। ଆଲୋକୀକରଣ ବ୍ୟବସ୍ଥା ବି ସରିଛି। ଶ୍ରୀଦାଣ୍ଡ କାମ ବି ଶେଷ ହୋଇଛି। କେବଳ ଲୋକାର୍ପଣର ଭବ୍ୟ ମୁହୂର୍ତ୍ତକୁ ଅପେକ୍ଷା। ଅଦ୍ୟାବଧି ସବୁକିଛି ସୁରୁଖୁରୁରେ ଚାଲିଛି। ଗତକାଲିଠାରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଛତିଶାନିଯୋଗ, ସେବାୟତ, ପୁରୀ ସହରବାସୀ, ବିଶେଷ କରି ଯେଉଁମାନେ ଏହି ପ୍ରକଳ୍ପ ପାଇଁ ଖୁସିରେ ଜମି ଦାନ କରିଛନ୍ତି, ସେମାନଙ୍କୁ ଆନ୍ତରିକା କୃତଜ୍ଞତା ଜଣାଉଛି। ଯେଉଁ ପ୍ରକଳ୍ପ ୭ ଦିନ ପୂର୍ବରୁ ଅସମ୍ଭବ ମନେ ହେଉଥିଲା, ତାହା ଆଜି ପୂର୍ଣ୍ଣ ହୋଇଛି। ମହାପ୍ରଭୁଙ୍କ ଇଚ୍ଛା ଥିଲା, ଏହି ପ୍ରକଳ୍ପ ଭଲରେ ହେଉ। ରାଜ୍ୟ ସରକାର ଯେଉଁ ଆଭିମୁଖ୍ୟ ଥିଲା ଓ ମୁଖ୍ୟମନ୍ତ୍ରୀ ଯାହା ଚିନ୍ତା କରିଥିଲେ, ତାହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ସୁରୁଖୁରୁରେ ଶେଷ ହୋଇଛି। ଶ୍ରୀମନ୍ଦିରକୁ ଆସିବାକୁ ଆମକୁ ଦୁଇଟି ରାସ୍ତା ମିଳିଗଲା। ପୂର୍ବରୁ ବଡ଼ଦାଣ୍ଡ ଥିଲା। ଏବେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚି ପାର୍କିଂ ପରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସି ପାରିବେ। ଯେତେ ଲୋକ ଆସିଲେ ବି ସମଙ୍ଗ ପାର୍କିଂରେ ସବୁ ଗାଡ଼ି ପାର୍କିଂ ହୋଇପାରିବ। ଏବେ ଶ୍ରୀମନ୍ଦିର ପାଖକୁ ଗାଡ଼ି ଆସିବା ଦରକାର ନାହିଁ। ସବୁ ପାର୍କିଂ ସ୍ଥଳରୁ ବ୍ୟାଟେରି ଚାଳିତ ବସ ଓ ଅଟୋ ଚାଲିବ। ଦର୍ଶନ ପାଇଁ ଆସୁଥିବା ଭକ୍ତ ସୁବିଧାରେ ଯାଆସ କରିପାରିବେ। ବାକି ଏବେ ଆମର ଦାୟିତ୍ବରେ ଏହି ପ୍ରକଳ୍ପ ସବୁକୁ ସୁରକ୍ଷିତ ରଖିବା ଓ ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକତା ବଜାୟ ରଖିବା। ଶ୍ରୀସେତୁ ଲୋକାର୍ପଣ ଦିନ ଲୋକାର୍ପିତ ହେବ ବୋଲି ଶ୍ରୀ ଜେନା କହିଛନ୍ତି।

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଏ ଭିତରେ ଯଜ୍ଞର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୧୫ ତାରିଖରୁ ଅଖଣ୍ଡଦୀପ ସ୍ଥାପନ କରାଯିବ। ମହାପ୍ରଭୁଙ୍କ କୃପାରୁ ସବୁକିଛି ଭଲରେ ଚାଲିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପୂର୍ଣ୍ଣ ହୋଇଯାଇଛି। ବଡ଼ଦାଣ୍ଡ ଓ ପୁରୀ ସହର ସୌନ୍ଦର୍ଯ୍ୟୀକରଣ ଶେଷ ହୋଇସାରିଛି। ୧୭ ତାରିଖରେ ୮୫୦ଜଣ ଅତିଥି ଯୋଗଦେବେ। ଦେଶ ବିଦେଶରୁ ନିମନ୍ତ୍ରିତ ଅତିଥି ଏଥିରେ ଯୋଗଦେବେ। ଶ୍ରୀମନ୍ଦିର ସେବାୟତମାନେ ବି ଯୋଗଦେବେ। ଏଥିସହ ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କୁ ବି ନିମନ୍ତ୍ରଣ କରାଯାଇଛି। ଦେଶର ସବୁ ସାଧୁସନ୍ଥଙ୍କୁ ଡକାଯାଇଛି। ୧୭ ତାରିଖରେ ସମସ୍ତଙ୍କୁ ଡାକିପାରୁନୁ। ୧୭ ତାରିଖରେ ପରେ ବାକି ସମସ୍ତେ ଆସିବେ, ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରିବେ ବୋଲି ଶ୍ରୀ ବର୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe