South China Morning Post
ହୀରାକୁଦ ଜଳଭଣ୍ଡାରକୁ ଶୂନ ଫ୍ଲୋରାଇଡ ନିର୍ଗମନ ନିଶ୍ଚିତ କରିବାକୁ ଗୁରୁତ୍ବ
୫ ଜିଲ୍ଲା ଶିଳ୍ପାଞ୍ଚଳରେ ପ୍ରୟୋଗ ହେବ ଜିଓ-ଡାଟାବେସ୍
ଭୁବନେଶ୍ବର : ରାଜ୍ୟର ୧୪୫ଟି ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପଙ୍କ ମଧ୍ୟରୁ ମାତ୍ର ୨୪ଟି ସଂସ୍ଥା ଉଚ୍ଚ କ୍ଷମତା ସଂପନ୍ନ ପ୍ରଦୂଷଣ ପର୍ଯ୍ୟବେକ୍ଷଣ କ୍ୟାମେରା ଲଗାଇଛନ୍ତି। ସେସବୁକୁ ୱେବ ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ନିରୀକ୍ଷଣ ସହ ସଂଯୋଜିତ କରାଯାଇଛି। ୬୧ଟି ଶିଳ୍ପରେ କ୍ୟାମେରା ସ୍ଥାପନ କାର୍ଯ୍ୟ ଚାଲୁ ରହିଛି। ବଳକା ୬୦ ସଂସ୍ଥା ଏ ପର୍ଯ୍ୟନ୍ତ ପ୍ରଦୂଷଣ ପର୍ଯ୍ୟବେକ୍ଷଣ କ୍ୟାମେରା ଲଗାଇ ନାହାନ୍ତି। ତେଣୁ ନିର୍ଧାରିତ ସମୟରେ କ୍ୟାମେରା ସ୍ଥାପନ ଓ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସହ ସଂଯୋଜନ କରିବା ଲାଗି ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିଚାଳନା ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ବୋର୍ଡର ସଭାଗୃହରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଶ୍ରୀ ମହାପାତ୍ର କହିଥିଲେ ହୀରାକୁଦ ଜଳଭଣ୍ଡାର ନିକଟରେ ଆଲୁମିନିୟମ୍ ପ୍ଲାଣ୍ଟ ରହିଛି। ଏହି ପ୍ଲାଣ୍ଟରୁ ଫ୍ଲୋରାଇଡ ଯେପରି ଜଳଭଣ୍ଡାରକୁ ନ ଯାଏ ତାହା ଉପରେ ସତର୍କ ଦୃଷ୍ଟି ଦିଆଯିବା ଜରୁରୀ। ଶିଳ୍ପମାନଙ୍କରୁ ନିର୍ଗତ ହେଉଥିବା ଫ୍ଲୋରାଇଡର ବୈଜ୍ଞାନିକ ବିଘଟନ ସଂପୃକ୍ତ ଶିଳ୍ପ ସଂସ୍ଥାର ପରିସର ଭିତରେ ନିଶ୍ଚିତ କରିବା ଓ ବିଘଟନ ପ୍ରକ୍ରିୟାରେ ଯେପରି ଭୂତଳ ଜଳ ସଂକ୍ରମିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶିଳ୍ପ ସଂସ୍ଥା ଓ ପ୍ରଦୂଷଣ ବୋର୍ଡର ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ଶ୍ରୀ ମହାପାତ୍ର କହିଥିଲେ ଯେ ବିଭିନ୍ନ ଶିଳ୍ପାଞ୍ଚଳ ଓ ସହରରେ ପ୍ରଦୂଷଣ ମୁକ୍ତ ସ୍ବଚ୍ଛ-ବାୟୁ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ହେବ। ସହରାଞ୍ଚଳ-ଜଙ୍ଗଲ ସ୍ବଚ୍ଛ ବାୟୁ, ଭୂତଳ ଜଳସ୍ତର ଓ ସୁସ୍ଥ ଜୀବନ ଧାରଣରେ ସହାୟକ ହୋଇଥାଏ। ଏହାସହ ସହରାଞ୍ଚଳ ଜଙ୍ଗଲ ବିକାଶଧାରାକୁ ସତେଜ ରଖିବା ସହିତ ସବୁଜ ବାତାବରଣ ସୃଷ୍ଟି କରିଥାଏ। ଭୁବନେଶ୍ବରରେ ଥିବା ଭରତପୁର ଅଭୟାରଣ୍ୟ, ଏକାମ୍ର କାନନ, ଜୟଦେବ ବାଟିକା ଓ ଚନ୍ଦକା ଜଙ୍ଗଲ ରେଞ୍ଜ ଭୁବନେଶ୍ବର ସହର ପାଇଁ ବରଦାନ ସଦୃଶ କାର୍ଯ୍ୟ କରୁଛି।
ଏକାମ୍ର କ୍ଷେତ୍ରରେ ସ୍ବଚ୍ଛ-ବାୟୁ ଯୋଜନା ଓ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଅଞ୍ଚଳମାନଙ୍କରେ ପରିବେଶ ପରିମାପକ ଜିଓ ଡାଟାବେସ୍ ପ୍ରସ୍ତୁତି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଏକାମ୍ର କ୍ଷେତ୍ର ସ୍ବଚ୍ଛ-ବାୟୁ କାର୍ଯ୍ୟ ଯୋଜନାରେ ସର୍ବନିମ୍ନ ନିର୍ଗମନ ଜୋନ୍(ଲେସ୍ ଏମିସନ ଜୋନ୍) ପଦ୍ଧତି ପ୍ରୟୋଗ କରାଯିବ। ଭୁବନେଶ୍ବର ମହାନଗର ନିଗମ, ପ୍ରଦୂଷଣ ବୋର୍ଡ, ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ ଓ ସ୍ଥାନୀୟ ବାସିନ୍ଦାମାନଙ୍କୁ ସକ୍ରିୟଭାବେ ସାମିଲ କରିବା ସହିତ ଯୋଜନାର କାର୍ଯ୍ୟାନ୍ବୟନକୁ ଅଧିକ ଲକ୍ଷ୍ୟଭେଦୀ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ.ମୁରୁଗେସାନ କହିଥିଲେ, ତାଳଚେର ସହର ପାଇଁ ପ୍ରାକୃତିକ ପରିବେଶ ମାପକ ଜିଓ ଡାଟାବେସ୍ ପ୍ରସ୍ତୁତ ହୋଇଛି। ଏହି ବ୍ୟବସ୍ଥାକୁ ଶୀଘ୍ର ରାଉରକେଲା, କେନ୍ଦୁଝର, ବାଲେଶ୍ବର, କଳିଙ୍ଗନଗର ଓ ଅନୁଗୁଳ ଶିଳ୍ପାଞ୍ଚଳରେ ପ୍ରୟୋଗ କରାଯିବ। ତ୍ବରିତ ନିଷ୍ପତ୍ତି ଓ କାର୍ଯ୍ୟାନ୍ବୟନ ପାଇଁ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟମାନଙ୍କୁ ଅଧିକ କ୍ଷମତା ବିକେନ୍ଦ୍ରୀକରଣ ପ୍ରସ୍ତାବ ବୈଠକରେ ଅନୁମୋଦିତ ହୋଇଥିଲା। ବୈଠକରେ ପରିବେଶ ନିର୍ଦେଶକ ସୁକାନ୍ତ ନନ୍ଦ, ବ୍ରଏଲର ଓ ଫ୍ୟାକ୍ଟ୍ରିଜ୍ ନିର୍ଦେଶକ ଏନ୍.ଥିରୁମାଲା ନାୟକ, ପ୍ରଦୂଷଣ ବୋର୍ଡର ବିଶେଷଜ୍ଞ ସଦସ୍ୟ ଅଜିତ ପଟ୍ଟନାୟକ, ପ୍ରଫେସର ଅତନୁ ପତି, ଜି.କେ ରାୟଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ସାମିଲ ହୋଇଥିଲେ।
Follow Us