ଉପନିର୍ବାଚନ ପାଇଁ ସରିଲା ପ୍ରଚାର: ବିଦାୟ ନେଲେ ଅନ୍ୟ ଜିଲ୍ଲାର ନେତା, ଆଜିଠୁ ଅନ୍ଧାରୀ ବିଜେ

Advertisment
ଉପନିର୍ବାଚନ ପାଇଁ ସରିଲା ପ୍ରଚାର: ବିଦାୟ ନେଲେ ଅନ୍ୟ ଜିଲ୍ଲାର ନେତା, ଆଜିଠୁ ଅନ୍ଧାରୀ ବିଜେ

ବରଗଡ଼/ପଦ୍ମପୁର/ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଯାଇଛି। ଅନ୍ତିମ ଦିନରେ ବିଜେଡି, ବିଜେପି ଓ କଂଗ୍ରେସ ନେତାମାନେ ଜୋରଦାର ପ୍ରଚାର କରିଛନ୍ତି। ଦିନକ ‌ପରେ ଅର୍ଥାତ ଚଳିତ ମାସ ୫ ତାରିଖରେ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ବାହାର ଜିଲ୍ଲାରୁ ଆସିଥିବା ନେତାମାନେ ଆଜିଠାରୁ ବିଦାୟ ନେଇଛନ୍ତି। ତେବେ ସ୍ଥାନୀୟ ନେତାମାନେ ଆଜି ଅନ୍ଧାରୀ ବିଜେ କରିବେ। ନିଜ ସପକ୍ଷରେ ଭୋଟ ଦେବାପାଇଁ ମତଦାତାଙ୍କୁ ପ୍ରବର୍ତ୍ତାଇବେ।

publive-image

ପଦ୍ମପୁର ଉପନିର୍ବାଚନ ପାଇଁ  ୧୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ବିଜେଡି ପ୍ରାର୍ଥିନୀ ବର୍ଷାରାଣୀ ସିଂ ବରିହା ଓ ବିଜେପିର ପ୍ରଦୀପ ପୁରୋହିତଙ୍କ ମଧ୍ୟରେ କଡ଼ାମୁକାବିଲା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସର ସତ୍ୟଭୂଷଣ ସାହୁ, ଓଜିପିର ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭାର ବିଦ୍ୟାଧର ପାଣ୍ଡବ, ସ୍ୱାଧୀନ ପ୍ରାର୍ଥୀ ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ, ଗଙ୍ଗାଧର ସାହା ନିର୍ବାଚନ ରଣାଙ୍ଗନରେ ଅଛନ୍ତି।

ଆସନ୍ତା ୫ ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ୩୧୯ଟି ବୁଥରେ ଭୋଟ ଦେବେ। ମଡେଲ ବୁଥ ୧୫ଟି ଓ ପିଙ୍କ ବୁଥ ୬ଟି କରାଯାଇଛି। ପଦ୍ମପୁରରେ ୭୪ଟି ବୁଥ ମାଓ ପ୍ରଭାବିତ ଅଞ୍ଚଳରେ ରହିଛି। ସେହିପରି ୭୮ଟି ବୁଥ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ଅପରାହ୍ନ ୪ଟା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ। ଏଥି ପାଇଁ ପୋଲିଂ ଅଧିକାରୀମାନେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସାରିଛନ୍ତି। ପୋଲିଂ କର୍ମଚାରୀମାନେ ରବିବାର ସନ୍ଧ୍ୟା ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକରେ ନିଜ ନିଜର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇବେ। ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ପାଇଁ ୯ଟି କଂପାନି କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe