ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର       

Advertisment
ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର       

ବରଗଡ଼/ଝାରବନ୍ଧ/ପାଇକମାଳ/ପଦ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଗୋଟିଏ ଦିନରେ ପଦ୍ମପୁର ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍‌ରେ ନିର୍ବାଚନୀ ସଭା କରିଛନ୍ତି। ପ୍ରତି ସଭାରେ ସେହି ବ୍ଲକ୍‌ର ଦାବି ମୁତାବକ ଘୋଷଣା କରିଛନ୍ତି। ଝାରବନ୍ଧଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାକ୍‌ଦର୍ହା ଡ୍ୟାମ୍‌ର ଉନ୍ନତୀକରଣ ହେବ ବୋଲି ଘୋଷଣା କରିଥିଲେ। ଏହାବାଦ୍‌ ବହୁ ଦିନର ଦାବି ଥିବା ଉଚ୍ଚକ୍ଷମତା ସଂପନ୍ନ ଗ୍ରିଡ୍‌ ପାଇଁ ଶୀଘ୍ର କାମ ହେବ ବୋଲି ଘୋଷଣା କରିଥିଲେ। ଏହାପରେ ସେ ପାଇକମାଳଠାରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ। ପାଇକମାଳକୁ ଏନ୍‌ଏସିରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାବାଦ୍‌ ଗୋଷ୍ଠୀ କେନ୍ଦ୍ର ମଧ୍ୟ ସ୍ଥାପନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପଦ୍ମପୁରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଡ଼ ଘୋଷଣା କରିଥିଲେ। ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ପ୍ରକ୍ରିୟା ସରିବ ବୋଲି କହିଥିଲେ। ଏଥି ସହିତ ନିର୍ବାଚନ ଆଚରଣ ବିଧି ଉଠିବା ପରେ ଚା‌ଷୀଙ୍କୁ ଘୋଷଣା ମୁତାବକ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ ବୋଲି ଭରସା‌ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପ୍ରତି ସମାବେଶରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସମାଲୋଚନା ବେଳେ ସେ ରେଳ ଲାଇନ୍‌ ପ୍ରସଂଗ ଉଠାଇଥିଲେ। ସେ ଆହ୍ବାନ କରି ପ୍ରଶ୍ନ ରଖିଥିଲେ, ରେଳ ଲାଇନ୍‌ କେଉଁ ଗାଁ ଦେଇ ଯିବ, ଷ୍ଟେସନ୍‌ କେଉଁଠି ହେବ, ଡିପିଆର୍‌ ହୋଇଛି କି, ରାଜ୍ୟ ସରକାରଙ୍କ ପାଖ‌ରେ ଜମି ଅଧିଗ୍ରହଣ ପାଇଁ ଆବେଦନ ହୋଇଛି କି? ଏସବୁର ପ୍ରଶ୍ନର ଉତ୍ତର ନିର୍ବାଚନ ପ୍ରଚାରକୁ ଆସିଥିବା କେନ୍ଦ୍ରମନ୍ତ୍ରୀମ‌ାନେ ଦେଇ ପାରିବେ କି ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଅନ୍ୟପକ୍ଷରେ ପ୍ରାର୍ଥିନୀ ବର୍ଷାଙ୍କ ଉପରେ ବିଜେପି ବ୍ୟକ୍ତିଗତ ଟିପ୍ପଣୀ କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ବିଜେପି ବ୍ୟକ୍ତିଗତ ଜୀବନରୁ ଦୂରେଇ କାମ କରୁ ବୋଲି ମୁଖ୍ୟମନ୍ତ୍ରୀ କହିଲେ। ‘ମୁଁ କଥାରେ ନୁହେଁ, କାମରେ ବିଶ୍ବାସ କରେ’ ବୋଲି ମୁଖ୍ୟମନ୍ତ୍ରୀ ଟିପ୍ପଣୀ କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ବିସ୍ତୃତ ବିବରଣୀ ରଖିଥିଲେ। ବିଜେପୁର ନିର୍ବାଚନମଣ୍ଡଳୀକୁ ସେ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ। ଉକ୍ତ ନିର୍ବାଚନମଣ୍ଡଳୀରେ ୪ ହଜାର କୋଟି ଟଙ୍କାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି। ପଦ୍ମପୁରରେ ବି ସେହିଭଳି କାର୍ଯ୍ୟ ଆଗକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ପୁଣି ମୁଖ୍ୟମନ୍ତ୍ରୀ କହିଲେ, ବିଜେଡି ସରକାର ଖଟିଖିଆ ଏବଂ ସାଧାରଣ ଲୋକଙ୍କ ସରକାର। କେନ୍ଦୁପତ୍ର ବୋନସ୍‌ ଦେବାରେ ଓଡ଼ିଶା ସାରା ଭାରତରେ ପ୍ରଥମ। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଟଙ୍କା ଓ ୧୫୦୦ ଟଙ୍କା ବୋନସ୍‌ ଦିଆଯାଇଛି। ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ। ଏହାଛଡ଼ା କେନ୍ଦୁପତ୍ର ତୋଳାଳିଙ୍କ ପିଲାଙ୍କ ପାଠପଢ଼ା ଏବଂ ଝିଅଙ୍କ ବାହାଘର ପାଇଁ ସୁବିଧା କରାଯିବ। କେନ୍ଦ୍ରର ବିଜେପି ସରକାର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲଗାଇ ଏବେ ତୋଳାଳିଙ୍କ ପାଇଁ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ପଦ୍ମପୁର ଚାଷୀଙ୍କ ଫସଲ ବୀମା କେନ୍ଦ୍ର ନିକଟରେ ୧୮ ମାସ ପଡ଼ି ରହିଥିଲା। ତେବେ ଚାଷୀମାନେ ବିଜେପି ପ୍ରାର୍ଥୀଙ୍କୁ ନାମାଙ୍କନ ଦାଖଲରୁ ନିବୃତ୍ତ ରଖିବା ପରେ ୪୮ ଘଣ୍ଟା ମଧ୍ୟରେ ବୀମା ଟଙ୍କା ମିଳିବ ବୋଲି ଘୋଷଣା କଲା।

publive-image

କିନ୍ତୁ ଏଯାଏ ପଦ୍ମପୁରର ବହୁତ ଚାଷୀ ବୀମା ରାଶି ପାଇନାହାନ୍ତି। ଚାଷୀଙ୍କ ଉନ୍ନତି ପାଇଁ ପଦ୍ମପୁରରେ ୧୦୦୦ କୋଟି ଟଙ୍କାର କାମ ହୋଇଛି। ଆଗକୁ ଏହାକୁ ତ୍ବରାନ୍ବିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜେପିର ଓଡ଼ିଶା ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଚାପ ପକାଇ ଗ୍ରାମୀଣ ଆବାସ ଯୋଜନାକୁ ବନ୍ଦ କରିଦେଲେ। ପ୍ରାୟ ଦୁଇବର୍ଷ ହେଲା ଏହା ବନ୍ଦ ଥିବାରୁ ପଦ୍ମପୁର ଅଞ୍ଚଳର ୨୫ ହଜାର ଗରିବ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ଯଦି କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ପ୍ରତି ଏଭଳି ଆଚରଣ ରୁହେ, ତେବେ ଓଡ଼ିଶା ସରକାର ନିଜେ ଘର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ପଦ୍ମପୁରରେ ବିକାଶ ଧାରା ତ୍ବରାନ୍ବିତ କରିବାକୁ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଭୋଟ୍‌ ଦେବାକୁ ସେ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe