Campus unrest again: Unexpected pressure on the government to stop the college elections! Photograph: (sambad.in)
ଭୁବନେଶ୍ବର: କ୍ୟାମ୍ପସରେ ହିଂସା ଏବଂ କୋଭିଡ୍ -୧୯ ମହାମାରୀ ସମେତ ବିଭିନ୍ନ କାରଣ ଯୋଗୁ ପୂର୍ବ ବିଜେଡି ସରକାର ୨୦୧୮ ମସିହାରୁ କଲେଜ ନିର୍ବାଚନ ବନ୍ଦ କରି ଦେଇଥିଲେ। ବିଜେପି ସରକାର ୨୦୨୪ ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସାତ ବର୍ଷର ବ୍ୟବଧାନ ପରେ, ଓଡ଼ିଶା ସରକାର ଚଳିତ ବର୍ଷ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘର ନିର୍ବାଚନ କରିବାକୁ ଯୋଜନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ଚଳିତ ବର୍ଷ ଛାତ୍ର ସଂଘ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କିନ୍ତୁ ସମ୍ପ୍ରତି ଲଗାତାର ଭାବେ କିଛି ଦିନ ଧରି ରାଜ୍ୟର ବିଭିନ୍ନ ପ୍ରମୁଖ କଲେଜର କ୍ୟାମ୍ପସ୍ ଅଶାନ୍ତ ହେବାରେ ଲାଗିଛି। ଏହାକୁ ନେଇ ପୁଣିଥରେ କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପୁଣି କ୍ୟାମ୍ପସ୍ ଅଶାନ୍ତ ହେବା ଆଳରେ କଲେଜ ନିର୍ବାଚନ ବନ୍ଦ ପାଇଁ ସରକାରଙ୍କ ଉପରେ ଅଜଣା ଚାପ ପକାଯାଉଛି କି ବୋଲି ଏବେ ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଲାଣି। ନୂଆ ସରକାର ରାଜି ଥିବାବେଳେ ଅଜଣା ଚାପ କାହିଁକି ବୋଲି ଚର୍ଚ୍ଚା ମଧ୍ୟ ସରଗରମ ହେବାରେ ଲାଗିଲାଣି।
ଛାତ୍ର ସଂସଦ ନିର୍ବାଚନ ଏକ ପ୍ରକ୍ରିୟା ଯାହାଦ୍ବାରା ପାଠପଢ଼ା ସମୟରେ ଛାତ୍ର ଜୀବନରୁ ରାଜନୀତି ସମ୍ପର୍କରେ ଆବଶ୍ୟକ ଜ୍ଞାନ ତଥା ଅଭିଜ୍ଞତା ହାସଲ କରିବା ସମ୍ଭବ ହୋଇଥାଏ। ମାତ୍ର ଏହାକୁ ବନ୍ଦ କରିବା ଦ୍ବାରା ଛାତ୍ର ସମାଜଙ୍କର ଭଡ଼ ଧରଣର କ୍ଷତି ହୋଇଥାଏ।
ପୂର୍ବରୁ ୭ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାବେଳେ ଏବେ ରାଜ୍ୟର ବିଭିନ୍ନ କ୍ୟାମ୍ପସ୍ର ସ୍ଥିତିରୁ କୋକୁଆ ଭୟ ଭଳି ଅଜଣା ଆଶଙ୍କା ଛାତ୍ର ମହଲରେ ବ୍ୟାପିବାରେ ଲାଗିଛି। ପୁଣି ସମାନ ସ୍ଥିତି ହୁଏତ ଲାଗୁ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ପ୍ରଥମେ ବାଲେଶ୍ବର ଫକୀର ମୋହନ କଲେଜରେ ଏକ ଛାତ୍ର ଆନ୍ଦୋଳନ ଯୋଗୁ ଜଣେ ଛାତ୍ରୀ ନିଜ ଜୀବନ ନେଇଥିଲେ। ଏହି ଘଟଣା କେବଳ ରାଜ୍ୟ ନୁହେଁ ସମଗ୍ର ଦେଶକୁ ମଧ୍ୟ ଦୋହଲାଇ ଦେଇଥିଲା। ରାଜ୍ୟର ରାଜନୈତିକ ପରିବେଶ ମଧ୍ୟ ବେଶ୍ ସରଗରମ ହୋଇ ଉଠିଥିଲା। ଏହାକୁ ନେଇ ରାଜନୀତି ଅଧିକ ହୋଇଥିବାବେଳେ ସମବେଦନା କମ୍ ଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଏହି ଘଟଣା ରାଜ୍ୟର ବିଭିନ୍ନ କଲେଜର କ୍ୟାମ୍ପସ୍ରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିଥିଲା। ପରସ୍ପର ବିରୋଧୀ ରାଜନୈତିକ ଛାମୁଆ ଗୋଷ୍ଠୀ ତଥା ସହଯୋଗୀ ଗୋଷ୍ଠୀଙ୍କ ମଧ୍ୟରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପର କାଦୁଅ ଫିଙ୍ଗା ମଧ୍ୟ ଆରମ୍ଭ ହୋଇଥିଲା।
ସେହିପରି ରାଗିଂକୁ ନେଇ ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଛି। ପରବର୍ତ୍ତୀ ସମୟରେ କ୍ୟାମ୍ପସ୍ ବାହାରେ ଦୁଇ ଗୋଷ୍ଠୀ ଛାତ୍ର ମୁହାଁମୁହିଁ ହେବା ସହ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଦ୍ବିତୀୟ ବର୍ଷ ଛାତ୍ର ଓ ଅଣଛାତ୍ର ମିଳିତ ଭାବେ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ଭୁଜାଲି ଧରି ଗୋଡ଼ାଇଥିଲେ।
ଭୁଜାଲି ଚୋଟରେ ଏକାଧିକ ଛାତ୍ର ଆହତ ହୋଇଥିଲେ। ଛାତ୍ରମାନେ ନାବାଳକ ହୋଇଥିବାରୁ କୌଣସି ମାମଲା ରୁଜୁ ନ କରି ସନ୍ଧ୍ୟା ବେଳକୁ ଅଭିଭାବକଙ୍କୁ ଡାକି ଅଣ୍ଡରଟେକିଂ ଲେଖି ଅଟକ ଛାତ୍ର ଓ ଅଣଛାତ୍ରଙ୍କୁ ଛାଡ଼ିଥିଲେ। ତେବେ ଏହାକୁ ନେଇ କ୍ୟାମ୍ପସ୍ରେ ଚାପା ଉତ୍ତେଜନା ଲାଗି ରହିଛି। ଛାତ୍ରମାନଙ୍କର ଏଭଳି ଆକ୍ରୋଶ ମୂଳକ କାର୍ଯ୍ୟରୁ ସନ୍ଦେହ କରାଯାଉଛି ଯେ, ଏହା ପଛରେ ହୁଏତ କିଛି ରାଜନୈତିକ ଗୋଷ୍ଠୀର ପ୍ରରୋଚନା ଥାଇପାରେ। ନହେଲେ ନାବାଳକ ଛାତ୍ରମାନେ ସର୍ବସାଧାରଣ ସ୍ଥଳରେ ଏଭଳି ମୁହାଁମୁହିଁ ହୋଇ ନଥାନ୍ତେ।
ସେହିପରି ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଅଗଷ୍ଟ ୧୫ରୁ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନି। ଦୁଇଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ଗୋଷ୍ଠୀର କିଛି ଛାତ୍ରୀଙ୍କ ଭିଡିଓ ରେକଡିଂକୁ ନେଇ ପୁଣି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଖବରପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ହସ୍ତକ୍ଷେପ କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ହେଲେ କ୍ୟାମ୍ପସ୍ରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଅନ୍ୟପକ୍ଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗଣ୍ଡଗୋଳ ମାମଲାରେ ବିଶ୍ଵବିଦ୍ୟାଳୟ ଶୃଙ୍ଖଳା କମିଟି ବୈଠକ ୫ ଛାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜକ ଛାତ୍ରଙ୍କୁ ନୋଟିସ୍ ଜାରି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଣଛାତ୍ରଙ୍କ ଆକ୍ରମଣରେ ଜଣେ ଛାତ୍ର ଲହୁଲୁହାଣ ହୋଇଥିଲେ। ଛାତ୍ରସଂସଦ ନିର୍ବାଚନ ପୂର୍ବରୁ ପତିଆରା ଜାହିର ପାଇଁ ଏହି ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି।
ନୂଆଖାଇ ପର୍ବ ପାଇଁ ଭଞ୍ଜବିହାର ପରିସରରେ ବିଦ୍ୟାର୍ଥୀଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କ୍ୟାମ୍ପସ୍ ଭିତରେ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଅଣଛାତ୍ର ବିନା ଅନୁମତିରେ ପ୍ରବେଶ କରିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀମାନେ ଏହାକୁ ବିରୋଧ କରିବା ସହ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଏହାକୁ କେନ୍ଦ୍ର କରି ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏଭଳି ଘଟଣା ଧୀରେଧୀରେ ଅନ୍ୟ କଲେଜ କ୍ୟାମ୍ପସ୍କୁ ବ୍ୟାପିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ଯଦି ଏଭଳି ଘଟଣା ଜାରି ରୁହେ ତେବେ ଏହାର ନକାରାତ୍ମକ ପ୍ରଭାବ ଛାତ୍ର ସଂସଦ ନିର୍ବାଚନ ଉପରେ ପଡ଼ିବାର ଆଶଙ୍କା ବଢ଼ିବାରେ ଲାଗିଛି। ବିଭିନ୍ନ କଲେଜ କ୍ୟାମ୍ପସ୍ରେ ଘଟୁଥିବା ଉତ୍ତେଜନାମୂଳକ ଘଟଣା ପଛରେ କାହାର ହାତ ରହିଛି ନା ଏହା ଅଚାନକ ଘଟୁଛି ସେନେଇ ମଧ୍ୟ ସନ୍ଦେହ ବୃଦ୍ଧି ପାଇବାରେ ଲାଗିଛି।
Campus unrest | college elections
Follow Us