ସମ୍ବଲପୁର: ଅବକାରୀ ବିଭାଗ ଠାରୁ ବଞ୍ଜିବା ପାଇଁ ଗଞ୍ଜେଇ ଚାଲାଣକାରୀ ସବୁବେଳେ ନୂଆ ନୂଆ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି। ସିକ୍ରେଟ୍ ଚାମ୍ବରରେ ଗଞ୍ଜେଇ ଚାଲାଣ କରିବା ଉପାୟ ପୁରୁଣା ହୋଇସାରିଥିବା ବେଳେ ବେପାରୀ ଏବେ ଦାମୀ କାର୍ ଉପାୟ ଆପଣାଇଛନ୍ତି। ଏକ ୪୦ ଲକ୍ଷ ଟଙ୍କାର କାର୍ରେ ଗଞ୍ଜେଇ ଚାଲଣ ହେଉଥିବା ବେଳେ ଶୁକ୍ରବାର ସମ୍ବଲପୁର ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା। ଦାମୀ ଗାଡ଼ି ଉପରେ ସନ୍ଦେହ କମ୍ ହେଉଥିବାରୁ ବେପାରୀମାନେ ଏହାକୁ ମୁଖ୍ୟ ଅସ୍ତ୍ର କରୁଥିବା କହାଯାଉଛି।
ଗଞ୍ଜେଇ ଚାଲାଣ ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ଶୁକ୍ରବାର ସକାଳେ ଶାସନ ଟୋଲ୍ ଗେଟ୍ ନିକଟରେ ଗାଡ଼ି ଯାଞ୍ଚ କରିଥିଲା। ଉକ୍ତ ହୋଣ୍ଡା ଆକର୍ଡ ଗାଡ଼ି(ଡିଏଲ୍୩ସି ବିଇ ୨୮୭୦)କୁ ଯାଞ୍ଚ କରିବା ବେଳେ ସେଥିରୁ ୫୫ କେଜି ଗଞ୍ଜେଇ ବାହାରିଥିଲା। ଗଞ୍ଜେଇ ଚାଲାଣ କରୁଥିବା ୨ ଅଭିଯୁକ୍ତକୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ଦିଲ୍ଲୀ ନ୍ୟୁ ସିଲମ୍ପୁର ଥାନା ଅଞ୍ଚଳର ରାଜ୍ କୁମାର(୫୧) ଓ ଉତ୍ତରପ୍ରଦେଶ ବିଜୟନଗର ଥାନା ଅଞ୍ଚଳର ନର୍ସିଂ ଭାଟି(୩୬)। ସେମାନେ ସୋନପୁରରୁ ଦିଲ୍ଲୀକୁ ଗଞ୍ଜେଇ ନେଉଥିଲେ। ଅବକାରୀ ବିଭାଗ ଗଞ୍ଜେଇ ସହ କାର୍କୁ ଜବତ କରିଛି।
Follow Us