କଟକରେ ଖୋଲା ଆକାଶ ତଳେ ପଡ଼ିଛନ୍ତି ସମ୍ବଲପୁରର କର୍କଟ ରୋଗୀ : ହେଉନି ଆଡ୍‌ମିସନ୍‌, ଅଲଟ୍ରାସାଉଣ୍ଡ୍‌ ପାଇଁ ଅପେକ୍ଷା

Advertisment
କଟକରେ ଖୋଲା ଆକାଶ ତଳେ ପଡ଼ିଛନ୍ତି ସମ୍ବଲପୁରର କର୍କଟ ରୋଗୀ : ହେଉନି ଆଡ୍‌ମିସନ୍‌, ଅଲଟ୍ରାସାଉଣ୍ଡ୍‌ ପାଇଁ ଅପେକ୍ଷା

ସମ୍ବଲପୁର : ବାମ କାନ ପାଖରେ ବଡ଼ ଟ୍ୟୁମର। ଡାକ୍ତର କହୁଛନ୍ତି କର୍କଟ ରୋଗ । ମଝିମଝିରେ ଏଭଳି ଛାତି ଫଟା କଷ୍ଟ ହେଉଛି ସହ୍ୟ କରିନପାରି ଚିଲ୍ଲାଇବା ସହିତ କାନ୍ଦି ପକାଉଛନ୍ତି। ପୁଅକୁ ଦେଖି ବୁଢ଼ା ବାପା କ’ଣ, ସାଙ୍ଗବି ଥୟ ଧରି ପାରୁନି। ଏଭଳି ଅବସ୍ଥାରେ ୪ ଦିନ ହେଲା କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ର ବାହାରେ ଶୀତୁଆ ରାତିରେ ଖୋଲା ଆକାଶ ତଳେ ଚାଦର ଟିଏ ବିଛାଇ ରହିବାକୁ ବାଧ୍ୟ ହେଉଛନ୍ତି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବରାହମୁଣ୍ଡି ଗାଁର ସନ୍ତୋଷ ଭଂଜ(୩୨)। ଆଗାମୀ ଆଉ କେତେ ଦିନ ପର୍ଯ୍ୟନ୍ତ ଏହିଭଳି ରହିବାକୁ ପଡ଼ିବ ଜଣାନାହିଁ।

publive-image

ସନ୍ତୋଷଙ୍କ କର୍କଟ ରୋଗର ଚିକିତ୍ସା ପାଇଁ କଟକ ନେଇ ଆସିଥିବା ତାଙ୍କ ସାଙ୍ଗ ଡମରୁଧର କହନ୍ତି, ୨୦୧୯ ମସିହାରେ ସନ୍ତୋଷଙ୍କ ବାମ କାନରେ ଘା ଭଳି ହୋଇଥିଲା। ପ୍ରଥମେ ବୁର୍ଲା ଡାକ୍ତରଖାନାରେ ଦେଖାଇବା ପରେ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା। ସ୍ଥାନୀୟ ଡାକ୍ତର ତୁରନ୍ତ ତାଙ୍କୁ କଟକ ଡାକ୍ତରଖାନାକୁ ରେଫର କରି ଦେଲେ। ଡିସେମ୍ବର ମାସରେ ସେ କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ଦେଖାଇଲେ। ସେଠାରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବିଭିନ୍ନ ପ୍ରକାର ପରୀକ୍ଷଣ ପରେ ୨ ପ୍ରତିଶତ କିଡନି ରୋଗ ହୋଇଥିବା ଜଣାପଡ଼ିଥିଲା। ଏଥିଯୋଗୁଁ କିଡନି ରୋଗ ବିଭାଗକୁ ଦେଖାଇବାକୁ କର୍କଟ ରୋଗ ବିଶେଷଜ୍ଞ କହିଥିଲେ। ସେଠାରେ ସିଟି ସ୍କାନ, ଅଲଟ୍ରାସାଉଣ୍ଡ ପାଇଁ ପରାମର୍ଶ ଦେଲେ। କିଡନି ସମସ୍ୟା ଯୋଗୁଁ ସିଟି ସ୍କାନ ହେଲା ନାହିଁ। ଅଲଟ୍ରାସାଉଣ୍ଡ ପାଇଁ ମାର୍ଚ ମାସରେ ଆସିବାକୁ କହିଥିଲେ। ଠିକ ସେହି ସମୟରେ ଲକଡାଉନ ଘୋଷଣା ହୋଇଗଲା। ତେଣୁ ସନ୍ତୋଷଙ୍କ ପକ୍ଷରେ କଟକ ଯିବା ସମ୍ଭବ ହେଲା ନାହିଁ। ଏଣେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଅକ୍ଟୋବର ମାସରେ ଟ୍ୟୁମର ଫାଟିଯାଇ ଥିଲା। ଅବସ୍ଥା ଜଟିଳ ହୋଇ ପଡ଼ିଲା। ଶ୍ରମିକ ପରିବାର ହୋଇଥିବାରୁ ବାପା, ପୁଅଙ୍କ ପାଇଁ ହଠାତ କଟକ ଆସିବା ପାଇଁ ଟଙ୍କା ଯୋଗାଡ଼ କରିବାକୁ ଅନେକ ଦିନ ଲାଗି ଯାଇଥିଲା।

ଜାନୁଆରି ୬ ତାରିଖରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନର ଡାକ୍ତରଙ୍କୁ ଦେଖାଇଲେ। ଟ୍ୟୁମର ଫାଟି ଯାଇଥିବାରୁ ଡାକ୍ତର ପୁନର୍ବାର ତାଙ୍କୁ ପୁରୁଣା ଟେଷ୍ଟ ପାଇଁ କହିଥିଲେ। ପୂର୍ବ ଭଳି ୨ ପ୍ରତିଶତ କିଡନି ରୋଗ ବାହାରିଥିଲା। ଅଲଟ୍ରାସାଉଣ୍ଡ ପାଇଁ ୨୨ ତାରିଖ ନିର୍ଧାରଣ କରାଗଲା। ଏଥିସହିତ ପୁନର୍ବାର କିଡନି ରୋଗ ବିଶେଷଜ୍ଞଙ୍କୁ ଦେଖାଇବାକୁ କହିଲେ। କିଡନି ରୋଗ ବିଶେଷଜ୍ଞ କେବଳ ମଙ୍ଗଳବାର, ଗୁରୁବାର ଦେଖିଥାଆନ୍ତି। ଏହି ସମୟ ପର୍ଯ୍ୟନ୍ତ ସନ୍ତୋଷ ଡାକ୍ତରଖାନାରେ ଆଡମିସନ ପାଇଁ ପରିବାର ଅନୁରୋଧ କରିଥିଲେ। ମାତ୍ର ବର୍ତ୍ତମାନ ଏଠାରେ ଆଡମିସନ ସମ୍ଭବ ନୁହେଁ ବୋଲି ଡାକ୍ତର କହିଥିଲେ। ଏଣେ ପ୍ରତି ମୁହୂର୍ତ୍ତରେ ସନ୍ତୋଷଙ୍କ ଅବସ୍ଥା ଗୁରୁତର ହେଉଛି। ତାଙ୍କର କିମ୍ବା ବାପାଙ୍କ ଆର୍ଥିକ ଅବସ୍ଥା ବି ଏଭଳି ନୁହେଁ ଯେ କୌଣସି ହୋଟେଲ କିମ୍ବା ଧର୍ମଶାଳାରେ ରହିବେ। ତେଣୁ ଡାକ୍ତରଖାନା ବାହାରେ ଅଲଟ୍ରାସାଉଣ୍ଡ, କିଡନି ରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇବା ତାରିଖକୁ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ସନ୍ତୋଷ ତଳେ ଶୋଉଛନ୍ତି। ମଶା, ମାଛି ପ୍ରାଦୁର୍ଭାବ ସହିତ ତାଙ୍କ ଟ୍ୟୁମର କଷ୍ଟ। ତାଙ୍କର କେଉଁ ଦୁଃଖ କହିବେ ସେ ବୁଝି ପାରୁନଥିବା ଡମରୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe