ଲକ୍‌ଡାଉନ୍‌ରେ ୨୫ହଜାରରୁ ଅଧିକ ରୋଗୀଙ୍କୁ ମିଳିଛି କର୍କଟ ସେବା

ଲକ୍‌ଡାଉନ୍‌ରେ ୨୫ହଜାରରୁ ଅଧିକ ରୋଗୀଙ୍କୁ ମିଳିଛି କର୍କଟ ସେବା

Healthline

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ସମୟରେ ବି ରାଜ୍ୟରେ ଅନ୍ୟ ରୋଗ ପାଇଁ ସ୍ବାସ୍ଥ୍ୟସେବା ଜାରି ରହିଛି। ବିଶେଷକରି କର୍କଟ ଭଳି ରୋଗ ପାଇଁ ରାଜ୍ୟବ୍ୟାପୀ ଚିକିତ୍ସା କେନ୍ଦ୍ର ଗୁଡ଼ିକରେ ରୋଗୀମାନଙ୍କୁ ସେବା ଦିଆଯାଇଛି। ମାର୍ଚ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୨୫୪୧୮ଜଣ ବହିର୍ବିଭାଗ (ଓପିଡି) ସେବା ପାଇଥିବା ଜଣାପଡ଼ିଛି। ଏହାସହ ୬୮୬୮ କମୋ ସାଇକେଲ ଓ ୩୫୨୧ଜଣଙ୍କୁ ପେଲିଆଟିଭ କେୟାର/ପେନ୍ କ୍ଲିନିକ୍‌ ସେବା ରାଜ୍ୟର ୩୨ଟି ଡେ କେୟାର କେନ୍ଦ୍ରରେ ରୋଗୀମାନଙ୍କୁ ଏହି ସେବା ଯୋଗାଇ ଦିଆଯାଇଛି।

ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୩୫-୫୦ ହଜାର ନୂତନ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଏଥିରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୩୫/୩୬ ହଜାର ଓ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଘରୋଇ ହସ୍ପିଟାଲର ରୋଗୀ ରହିଛନ୍ତି। ପ୍ରତିବର୍ଷ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି ତହିଁରୁ ଏକ ତୃତୀୟାଂଶ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ବଳକା ଦୁଇ ତୃତୀୟାଂଶ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ମଧ୍ୟ ଅନେକ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ସାଧାରଣ ଜୀବନ ବଞ୍ଚୁଛନ୍ତି। ରାଜ୍ୟରେ ଏବେ ପ୍ରାୟ ଦେଢ଼ ଲକ୍ଷ କର୍କଟ ସରଭାଇଭର(ଚିହ୍ନଟ ଓ ସୁସ୍ଥ) ବ୍ୟକ୍ତି ରହିଛନ୍ତି।

ରାଜ୍ୟରେ ଏବେ କର୍କଟ ରୋଗର ଶୀଘ୍ର ଚିହ୍ନଟ ହେବା ଫଳରେ ମୃତକଙ୍କ ସଂଖ୍ୟା ପୂର୍ବ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି। ଆଣ୍ଟିବଡି ପରୀକ୍ଷା, ଏସ୍‌ସିବିରେ ମଲେକ୍ୟୁଲାର ବାୟୋଲୋଜି ପରୀକ୍ଷାଗାର ଜରିଆରେ ରକ୍ତ ସଂଗ୍ରହ କରାଯାଇ ସ୍କ୍ରିନିଂ କରାଯାଉଛି। ଯାହାଫଳରେ ରୋଗୀଙ୍କ ଶରୀରରେ କର୍କଟ ରୋଗ ଆରମ୍ଭ ହୋଇଛି କି ନାହିଁ ତାହାର ସ୍କ୍ରିନିଂ ହେଉଛି। ରାଜ୍ୟରେ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ। ତମ୍ବାଖୁ ସେବନ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଜରାୟୁ କର୍କଟ ମଧ୍ୟ ଚିନ୍ତା ଜନକ ସ୍ଥିତିରେ ରହିଛି।

publive-image Drug Discovery and Development

ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କର୍କଟ ରୋଗ ଓ କେମୋ ସେବା ଉପଲବ୍ଧ ହେଉଛି। ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାଦ୍ କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌ ରାଉରକେଲାରେ ଡେ କେୟାର ସୁବିଧା ଦିଆଯାଉଛି। ଡେ କେୟାର କେନ୍ଦ୍ରରେ କେମୋ ଓ ପେଲିଆଟିକ୍ କେୟାରକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହାବାଦ୍ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଏମ୍‌କେସିଜି ଓ ବୁର୍ଲାରେ ରେଡିଓ ଥେରାପି ଚିକିତ୍ସାର ସୁବିଧା ରହିଛି।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, କରୋନା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ଜିଲ୍ଲାରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ହୋଇଥିବାରୁ ରୋଗୀମାନେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର କିମ୍ବା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ଚିକିତ୍ସା କେନ୍ଦ୍ରକୁ ଆସିପାରି ନ ଥିଲେ। ଯାହାଫଳରେ ଜିଲ୍ଲାସ୍ତରରେ ଥିବା ଡେ କେୟାର ସେଣ୍ଟରରେ ରୋଗୀଙ୍କ ଭିଡ଼ ବଢ଼ି ଥିଲା। ଜିଲ୍ଲାରେ ଏଥିପାଇଁ ୬ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ତେଣୁ କର୍କଟ ରୋଗୀମାନଙ୍କୁ ଠିକ୍ ସମୟରେ ଯେପରି‌ କେମୋ ଥେରାପି ଦିଆଯାଇ ପାରିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲକ୍‌ଡାଉନ୍‌ ସମୟରେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସ୍ପେଶାଲ ମେସେଞ୍ଜର ଓ ସ୍ବତନ୍ତ୍ର ଯାନ ଜରିଆରେ କେମୋ ଓ ଅନ୍ୟାନ୍ୟ ଔଷଧ ଜିଲ୍ଲାସ୍ତରକୁ ଯୋଗାଇ ଦିଆଯାଇଥିଲା। ସାଧାରଣତଃ କଟକ ଓ ଭୁବନେଶ୍ବରରେ ଜିଲ୍ଲାସ୍ତରରୁ ଆସୁଥିବା ଇଣ୍ଡେଣ୍ଟ ପରେ ଔଷଧ ଜିଲ୍ଲାକୁ ଯୋଗାଇ ଦିଆଯାଇଥାଏ। ତେବେ ଲକ୍‌ଡାଉନ୍‌ ପାଇଁ ହଠାତ୍ ଜିଲ୍ଲାରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ କିଛିଦିନର ବ୍ୟବଧାନରୁ କେମୋ ଓ ଅନ୍ୟାନ୍ୟ ଔଷଧ ଜିଲ୍ଲାକୁ ଯୋଗାଇ ଦିଆଯାଇଥିଲା ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe