ବିଜେପୁର ପାଇଁ ତିନି ଦଳର ପ୍ରାର୍ଥୀ‌ ଖୋଜା, ବିଜେଡି ଟିକଟ ଦୌଡ଼ରେ ଅଧଡଜନ ନେତା

Advertisment
୨୧ ମାସରେ ତୃତୀୟ ନିର୍ବାଚନ : ବିଜେପୁର ରାଜନୀତି ଚଳଚଞ୍ଚଳ, ପ୍ରାର୍ଥୀ ଚୟନ ଉପରେ ନଜର

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ଉପନିର୍ବାଚନ ପାଇଁ ଓଲଟଗଣତି ଆରମ୍ଭ ହୋଇଛି। ଏଥିସହିତ ବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ଦଳରେ ପ୍ରାର୍ଥୀ ‌େଖାଜିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି।

ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଏଠା‌ରେ ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃହତ୍‌ ବ୍ୟବଧାନରେ ବିଜୟ ହାସଲ କରିଥିଲେ। ତେଣୁ ଉପନିର୍ବାଚନରେ ମଧ୍ୟ ଏହି ବ୍ୟବଧାନର ପାଖାପାଖି ସଂଖ୍ୟା ବଜାୟ ରଖିବାକୁ ଦଳ ଚେଷ୍ଟା କରିବ। ଏହି ସକାଶେ ଜଣେ ଦକ୍ଷ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ଦଳ ଚିନ୍ତା କରୁଛି। ପୂର୍ବତନ ବିଧାୟିକା ରୀତା ସାହୁଙ୍କ ସମେତ ଆଉ ଅଧଡଜନ୍ ନେତା ଟିକଟ୍‌ ଦୌଡ଼ରେ ଅଛନ୍ତି। ରୀତାଙ୍କୁ ପୁଣି ବିଜେଡି ସାମନାକୁ ଆଣିବ ନା ନୂଆ ଚେହେରା ଦେବ, ତାହା ଦଳ ପାଇଁ ସବୁଠୁ ବଡ଼ ଚିନ୍ତା।

ଅନ୍ୟପକ୍ଷରେ ଲୋକସଭା ଟିକଟ୍‌ରୁ ବାଦ୍‌ ପଡ଼ିଥିବା ଡ. ପ୍ରଭାସ ସିଂହ, ବିଜେପି ଛାଡ଼ି ବିଜେଡିରେ ମିଶିଥିବା ସୁବାସ ଚୌହାନ, ପ୍ରଭାତାଦିତ୍ୟ ମିଶ୍ର ପ୍ରମୁଖ ମଧ୍ୟ ଟିକଟ୍‌ ଦୌଡ଼ରେ ଅଛନ୍ତି। ଟିକଟ୍‌ ହାତେଇବା କସରତ ମୌନ ଭାବେ ଚାଲିଛି। ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରିଥିବାରୁ ଉଭୟ ବିଜେପି ଏବଂ କଂଗ୍ରେସ ବିଜେପୁର ଆସନ ଦଖଲ କରି ମାନସିକସ୍ତରରେ ଆଶ୍ବସ୍ତ ଅନୁଭବ କରିବାକୁ ତୟାର ଅଛନ୍ତି। ଉଭୟ ଦଳ ପାଇଁ ମଧ୍ୟ ପ୍ରାର୍ଥୀ ଚୟନ ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗତ ଉପନିର୍ବାଚନ ତୁଳନାରେ ଏଥର ବିଜେପି କମ୍‌ ଭୋଟ୍‌ ପାଇଥିଲା। ତେଣୁ ଦଳ ସନତଙ୍କୁ ପୁଣି ସୁଯୋଗ ଦେବ ନା ନାହିଁ, ଦଳୀୟ ମହଲରେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସନତଙ୍କୁ ଟିକଟ୍‌ ଦେବା ପରେ ଉପନିର୍ବାଚନରେ ପ୍ରାର୍ଥୀ ଥିବା ଅଶୋକ ପାଣିଗ୍ରାହୀ ଅସନ୍ତୋଷ ଜାହିର କରିଥିଲେ। ଉପନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି, ତାଙ୍କୁ ସାଧାରଣ ନିର୍ବାଚନ ବେଳେ ପୁଣି ଟିକଟ୍‌ ମିଳିବ ବୋଲି କାଳେ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଗତ ଉପନିର୍ବାଚନ ଏବଂ ସାଧାରଣ ନିର୍ବାଚନର ଭୋଟ୍‌ ସଂଖ୍ୟା ଫରକ୍‌ ଆଧାରରେ ଏଥର ଅଶୋକ ପୁଣି ଟିକଟ୍‌ ଦାବିଦାର ରହିବେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ମଧ୍ୟ ବିଜେପୁରରୁ ଲଢ଼ିବା ପାଇଁ ସୁଯୋଗ ଦେବାକୁ କିଛି ଦଳୀୟ କର୍ମୀ ମତ ଦେବା ଆରମ୍ଭ କଲେଣି। ତେଣୁ ବିଜେପି ମଧ୍ୟ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଦୋଛକି ମଧ୍ୟରେ ରହିଛି।

ଏହି ‌କ୍ଷେତ୍ର‌ରେ ସବୁଠୁ ବେଶି ଚିନ୍ତାରେ ଅଛି କଂଗ୍ରେସ। ସାଧାରଣ ନିର୍ବାଚନରେ ଦଳ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ମଇଦାନକୁ ଓହ୍ଲାଇଥିଲା। ରିପୁଙ୍କ ଅଭିଜ୍ଞତା ବଳରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଥିଲା। ହେଲେ କଂଗ୍ରେସ ବିଜେପୁରରେ ଶୋଚନୀୟ ପ୍ରଦର୍ଶନ କରିଥିଲା। ତେଣୁ ଦଳ ସ୍ଥାନୀୟ ନେତାକୁ ଟିକଟ୍‌ ଦେବ ନା ବାହାରୁ ପ୍ରାର୍ଥୀ ଆମଦାନୀ କରିବ, ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe