ଆଖୁ ଫସଲ ବଳଦ ଖାଇଦେବାରୁ ଗଣ୍ଡଗୋଳ: ଜଣେ ମୃତ, ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

ଦେଓଗାଁ: ବଳଦ ଆଖୁ ଫସଲ ଖାଇଦେବାରୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ସାଲେପାଲି ଗାଁରେ ହତ୍ୟାକାଣ୍ଡ ଘଟିଛି। ବଳଦ ମାଲିକ ଭିକାରି ସାମଲଙ୍କ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତ ଚାଷୀ ସଞ୍ଜୟ ସାମଲ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି।

ସୂଚନା ଅନୁସାରେ, କିଛିଦିନ ତଳେ ସାଲେପାଲି ଗାଁର ଚାଷୀ ଭିକାରି ସାମଲ ତାଙ୍କ ବଳଦକୁ ନିକଟସ୍ଥ ପଡ଼ିଆକୁ ଚରାଇବା ପାଇଁ ନେଇଥିଲେ। ଗୋଟିଏ ବଳଦ ସଞ୍ଜୟ ସାମଲଙ୍କ ଆଖୁ କିଆରିକୁ ପଶି ଫସଲ ଖାଇଦେବା ସହ ନଷ୍ଟ କରି ଦେଇଥିଲା। ଆଖୁ ଚାଷୀ ସଞ୍ଜୟ ପରେ ଭିକାରିଙ୍କ ଘରକୁ ଆସି କ୍ଷତିପୂରଣ ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଭିକାରିଙ୍କ ଟଣ୍ଟିକୁ ସଞ୍ଜୟ ଚିପିଦେବାରୁ ସେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବଲାଙ୍ଗୀର ଡାକ୍ତରଖାନା ଓ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ।

ଗତ ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭିକାରିଙ୍କ ମୃତ୍ୟୁ ହୋଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଶବ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ଦେଓଗାଁ ଥାନାରେ ଶବ ରଖି ଦୋଷୀକୁ ଗିରଫ କରିବାକୁ ଦାବି କରିଥିଲେ। ମୃତ ଭିକାରିଙ୍କ ସ୍ତ୍ରୀ ଦୀପାଞ୍ଜଳି ସାମଲ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କାର୍ଯ୍ୟକଳାପକୁ ସନ୍ଦେହ କରି ମୃତକଙ୍କ ପରିବାର ଲୋକେ ଶୁକ୍ରବାର ରାତିରେ ଥାନାରେ ହଟ୍ଟଗୋଳ କରିଥିଲେ। ଏସ୍‌ଆଇ ଜଗଜୀବନ ସା ତଦନ୍ତ ଚାଲିଛି, ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶବ ନେଇ ପରିବାର ଲୋକେ ଗାଁକୁ ଯାଇଥିଲେ। ଭିକାରିଙ୍କ ମୃତ୍ୟୁ ପରଠାରୁ ଅଭିଯୁକ୍ତ ସଞ୍ଜୟ ଫେରାର୍‌ ଥିଲେ। ଶୁକ୍ରବାର ସନ୍ଧ୍ୟାରେ ସେ ବଲାଙ୍ଗୀର ଜେଏମ୍‌ଏଫ୍‌ସିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe