Advertisment

ବନ ବିଭାଗ ଜାଣତରେ ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଚାଷ

Advertisment
ଚାରି ଜିଲ୍ଲାରେ ବଢ଼ୁଛି ଗଞ୍ଜେଇ ଚାଷ, ୩ ମାସରେ ୩୨ କ୍ବିଣ୍ଟାଲ୍ ୭୦ କେଜି ଗଞ୍ଜେଇ ଜବତ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ବନାଞ୍ଚଳରେ ବ୍ୟାପକ ଭାବରେ ଗଞ୍ଜେଇ ଚାଷ କରାଯାଉଛି। ଚୋରା ଚାଲାଣ ବେଳେ ଜିଲ୍ଲାର ମାଫିଆମାନେ ବିଭିନ୍ନ ସ୍ଥାନରେ ଧରା ପଡ଼ୁଛନ୍ତି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଥାନାଞ୍ଚଳରେ ଧରା ପଡ଼ୁଥିବା ‌ଗଞ୍ଜେଇ ଓ ମାଫିଆଙ୍କ ବୌଦ୍ଧ ଜିଲ୍ଲା ସହ ଲିଙ୍କ୍‌ ଥିବା ନଜରକୁ ଆସୁଛି। ଏଥିଯୋଗୁଁ ବୌଦ୍ଧ ଜିଲ୍ଲା ବଦନାମ ହେଉଛି। ଏହି କାରବାର ଜିଲ୍ଲାର ମୁଖ୍ୟ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ପୁଲିସ ଓ ଅବକାରୀ ବିଭାଗକୁ ଗଞ୍ଜେଇ ଚାଷରେ ରୋକ ଲଗାଇବା ପାଇଁ ସ୍ବତନ୍ତ୍ର ଦାୟିତ୍ବ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ପୁଲିସ ମହାନିର୍ଦ୍ଦେଶକ ବିଭିନ୍ନ ଜିଲ୍ଲାରେ ମାଓ ଦମନକୁ ନେଇ ସମୀକ୍ଷା କଲା ବେଳେ ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବା ନେଇ ସମୀକ୍ଷା କରୁଛନ୍ତି। ତେବେ, ଅଧିକାଂଶ ଚାଷ ଜଙ୍ଗଲ ଅଞ୍ଚଳରେ ହେଉଥିବାରୁ ବନ ବିଭାଗର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

publive-image

ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ କରିବା ନିଶାରେ କଲେଜ ଛାତ୍ରଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ଏହି କାରବାରରେ ଧରାପଡ଼ି ଜେଲ୍‌ ଯାଇଛନ୍ତି। ମାଫିଆଙ୍କ ପୃଷ୍ଠପୋଷକତାରେ ସ୍ଥାନୀୟ ଲୋକେ ଜଙ୍ଗଲ କାଟି ଗଞ୍ଜେଇ ଚାଷ କରୁଛନ୍ତି। ଜଙ୍ଗଲର ଦୁର୍ଗମ ସ୍ଥାନରେ ଥିବା ସମତଳ ଭୂମିକୁ ସଫା କରି ଚାଷ କରାଯାଉଛି। ବିଭିନ୍ନ ସମୟରେ ଅବକାରୀ ଓ ପୁଲିସ ସଂରକ୍ଷିତ ଜଙ୍ଗଲରେ ଥିବା ଗଞ୍ଜେଇ ଚାଷ ନଷ୍ଟ କରୁଛନ୍ତି। ହେଲେ ନିଜ ଅଧୀନସ୍ଥ ଜଂଗଲରେ ହେଉଥିବା ଅବୈଧ ଚାଷ ବିଷୟରେ ବନ ବିଭାଗ କିପରି ଜାଣି ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ଜଙ୍ଗଲ ସୁରକ୍ଷା ପାଇଁ ବନ ବିଭାଗର ସ୍ବତନ୍ତ୍ର କାର୍ଯ୍ୟପନ୍ଥା ରହିଛି। ଅଞ୍ଚଳ ଭାଗ କରି ଜିଲ୍ଲାର ସମସ୍ତ ବନାଞ୍ଚଳ ଦାୟିତ୍ବରେ କର୍ମଚାରୀ ରହିଛନ୍ତି। କେଉଁ ଅଞ୍ଚଳରେ କି ଗଛ ଅଛି, କେତେଟା ପାହାଡ଼ ଅଛି, କେତେ ସମତଳ ଭୂମି ରହିଛି ସବୁ ହିସାବ କର୍ମଚାରୀଙ୍କ ପାଖରେ ରହିବା ସ୍ବାଭାବିକ। ସେହି ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ଶିକାର ଓ ଗଛକଟା ରୋକିବା ହିଁ ଏମାନଙ୍କ ଦାୟିତ୍ବ। ତେବେ ସେହି ବନ‌ାଞ୍ଚଳରେ ଗଞ୍ଜେଇ କିଆରି ଠାବ କରି ଅବକାରୀ ଓ ପୁଲିସ ବିଭାଗ ନଷ୍ଟ କରୁଛନ୍ତି। ନିଜ ଅଞ୍ଚଳରେ ଗଛ କାଟି ଗଞ୍ଜେଇ ଚାଷ କରାଯାଉଥିବା ବିଷୟ ବିଭାଗୀୟ କର୍ମଚାରୀ ଜାଣି ପାରୁନଥିବା ପରିବେଶବିତ୍‌ମାନେ ସହଜେ ଗ୍ରହଣ କରି ପାରୁନାହାନ୍ତି। ବିଭାଗୀୟ କର୍ମଚାରୀଙ୍କ ଜାଣତରେ ଗଞ୍ଜେଇ ଚାଷ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଯଦି ଅଭିଯୋଗ ସତ ହୁଏ ତେବେ ସାଂଘାତିକ। ବନ ବିଭାଗ ନ ଚାହିଁଲେ ଜଙ୍ଗଲରେ ଗଞ୍ଜେଇ ଚାଷ ରୋକାଯାଇ ପାରିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe