ଏଟିଏମ୍‌ରୁ ଟଙ୍କା ମିଳୁନି

ସୁନ୍ଦରଗଡ଼ ଜିଲ୍ଲାରେ ଅଧିକାଂଶ ଲୋକ ମୁଖ୍ୟତଃ ଏସ୍‌ବିଆଇ ଏଟିଏମ୍ ଉପରେ ନିର୍ଭରଶୀଳ ଥିବାବେଳେ ଗତ ୧୦ ଦିନ ଧରି ଅଧିକାଂଶ ଏଟିଏମ୍‌ ଖାଲି ପଡ଼ିଛି। ଆହୁରି ୧୦ ଦିନ ସମସ୍ୟା ଜାରି ରହିବ ବୋଲି ବ୍ୟାଙ୍କ ଅଧିକାରୀ କହୁଛନ୍ତି...

Can't get money from ATM.

Can't get money from ATM. Photograph: (sambad.in)

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଅଧିକାଂଶ ଲୋକ ମୁଖ୍ୟତଃ ଏସ୍‌ବିଆଇ ଏଟିଏମ୍ ଉପରେ ନିର୍ଭରଶୀଳ ଥିବାବେଳେ ଗତ ୧୦ ଦିନ ଧରି ଅଧିକାଂଶ ଏଟିଏମ୍‌ ଖାଲି ପଡ଼ିଛି। ଆହୁରି ୧୦ ଦିନ ସମସ୍ୟା ଜାରି ରହିବ ବୋଲି ବ୍ୟାଙ୍କ ଅଧିକାରୀ କହୁଛନ୍ତି। ଏଟିଏମ୍‌ ଗୁଡିକରେ ଟଙ୍କା ଜମାକାରୁଥିବା ସଂସ୍ଥା ‘ଏଜିଏସ୍‌ ସିକ୍ୟୋର୍‌’ର କାର୍ଯ୍ୟରେ ଅବହେଳାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।

ରାଉରକେଲାର ପାନପୋଷ, ବଣାଇ ଓ ସୁନ୍ଦରଗଡ଼ ଉପଖଣ୍ଡ ଅଧୀନରେ ୧୫୦ରୁ ଅଧିକ ଏସ୍‌ବିଆଇ ଏଟିଏମ୍‌ ରହିଛି। କେବଳ ରାଉରକେଲା, ବଣାଇ, ରାଜଗାଙ୍ଗପୁର ଓ କୋଇଡ଼ାରେ ୫୮ରୁ ଅଧିକ ଏସ୍‌ବିଆଇ ଏଟିଏମ୍‌ ରହିଛି।

ଜିଲ୍ଲାର ସମସ୍ତ ଏଟିଏମ୍‌ ଗୁଡ଼ିକରେ ଟଙ୍କା ଜମା କରିବା ଦାୟିତ୍ବ ଏସ୍‌ବିଆଇ ମୁଖ୍ୟାଳୟ ପକ୍ଷରୁ ‘ଏଜିଏସ୍‌ ସିକ୍ୟୁୟର’ ଓ ‘ସିଏମ୍ଏସ୍‌’କୁ ଦିଆଯାଇଥିଲା। ସିଏମ୍‌ଏସ୍‌ ଠିକ୍‌ ଭାବେ କାର୍ଯ୍ୟ କରୁଛି। କିନ୍ତୁ ଜିଲ୍ଲାରେ ସର୍ବାଧିକ ଏଟିଏମ୍‌ର ଦାୟିତ୍ବ ଏଜିଏସ୍‌ ସିକ୍ୟୋର ସଂସ୍ଥା ନେଇଥିଲା। ସଂସ୍ଥା ତା’ର କର୍ମଚାରୀଙ୍କୁ ଠିକ୍‌ ଭାବେ ଦରମା ନ ଦେବାରୁ  ନିକଟରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କିଛି କର୍ମଚାରୀ କାମ ମଧ୍ୟ ଛାଡ଼ି ଦେଇଥିଲେ। କର୍ମଚାରୀ ଅଭାବରୁ ଏଜିଏସ୍‌ ସିକ୍ୟୁୟର ଏଟିଏମ୍‌ ଗୁଡ଼ିକରେ ନିୟମିତ ଟଙ୍କା ଜମା କରି ପାରି ନଥିଲା।

ଟଙ୍କା ନଥିବାରୁ ଗ୍ରାହକମାନେ ଏଟିଏମ୍‌କୁ ଯାଇ ବାରମ୍ବାର ନିରାଶ ହୋଇ ଫେରୁଥିଲେ। ରାଉରକେଲାର ବାସନ୍ତୀକଲୋନି, ମୁଖ୍ୟମାର୍ଗ, ସିଭିଲଟାଉନ୍‌ସିପ୍‌,  ଇସ୍ପାତ ସହରାଞ୍ଚଳ, ଛେଣ୍ଡକଲୋନି, ଫର୍ଟିଲାଇଜର ଟାଉନସିପ୍‌ ଓ ବେଦବ୍ୟାସରେ ଗ୍ରାହକମାନେ ଏଟିଏମ୍‌ରୁ ଫେରିବା ପରେ ନିକଟସ୍ଥ ବ୍ୟାକଙ୍କୁ ଯାଇ ଅଭିଯୋଗ କରିଥିଲେ। ସେମିତି ଉପାନ୍ତ ବ୍ଲକ କୋଇଡ଼ା, ଗୁରୁଣ୍ଡିଆ ସମେତ ବଣାଇ, ଲହୁଣିପଡା, ବିଶ୍ରା, କୁଆରମୁଣ୍ଡା, ସୁନ୍ଦରଗଡ଼ ସହର, ଲେଫ୍ରିପଡା, ଟାଙ୍ଗରପାଲି, ରାଜଗାଙ୍ଗପୁର, ହେମଗିର, କୁତ୍ରା, ବଡଗାଁ ଆଦି ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ଉପାନ୍ତ ବ୍ଲକର ଗ୍ରାହକମାନେ ୧୦/୧୫ କି.ମି. ଦୂର ସହରକୁ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଆସୁଥିଲେ। ଗୋଟିଏ ଏଟିଏମ୍‌ରୁ ଅନ୍ୟ ଏଟିଏମ୍‌କୁ ଯାଉଥିଲେ। ହେଲେ ସବୁଠି ସେମାନଙ୍କୁ ନିରାଶ ହେବାକୁ ପଡୁଥିଲା। କିଛି ଗ୍ରାହକ ଏ ସଂକ୍ରାନ୍ତରେ ଏସ୍‌ବିଆଇ ଆଞ୍ଚଳିକ ମହାପ୍ରବନ୍ଧକ ଓ ଏଟିଏମ୍‌ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗ୍ରାହକମାନଙ୍କଠୁ ଅଭିଯୋଗ ପାଇବା ପରେ ବ୍ୟାଙ୍କ ଅଧିକାରୀ ଏଜିଏସ୍‌ ସିକ୍ୟୋର୍‌ ସଂସ୍ଥାର ଜିଲ୍ଲା ମୁଖ୍ୟଙ୍କୁ ତାଗିଦ୍‌ କରିଥିଲେ।

ହେଲେ ସମସ୍ୟାର କୌଣସି ସମାଧାନ ହୋଇପାରି ନଥିଲା। ‌ଶେଷରେ ଏଟିଏମ୍‌ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଏସ୍‌ବିଆଇର ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଉଚ୍ଚ ଅଧିକାରୀ ଏଜିଏସ୍‌ ସିକ୍ୟୋର୍‌ ସଂସ୍ଥାର ଚୁକ୍ତିନାମା ବାତିଲ କରି କାର୍ଯ୍ୟରୁ ଅନ୍ତର କରି ଦେଇଥିଲେ।

ଅଧିକ ପଢ଼ନ୍ତୁ: ଲାଗୁଛି ଆମେ ପାକିସ୍ତାନରେ ରହୁଛୁ: ପଞ୍ଜାବ ବିଧାନସଭାରେ ନିଜ ସରକାରକୁ ଘେରିଲେ ଆପ ବିଧାୟକ

ଏଜିଏସ୍‌ ସିକ୍ୟୁୟର ସଂସ୍ଥା ବିଦା ହେବା ପରେ ଜିଲ୍ଲାର ଅଧିକାଂଶ ଏଟିଏମ୍‌ରେ ଆଉ ଟଙ୍କା ନାହିଁ। ହାତ ଗଣତି କିଛି ଏଟିଏମ୍‌ରେ ସିଏମ୍‌ଏସ୍‌ ସଂସ୍ଥା ପକ୍ଷରୁ ଟଙ୍କା ଜମା କରାଯାଉଥିବାରୁ  ଟଙ୍କା ଉଠାଣ ହୋଇପାରୁଛି। ଏସ୍‌ବିଆଇର ଆଞ୍ଚଳିକ ମହାପ୍ରବନ୍ଧକ ଅସୀମ୍‌ ଘୋଷ କହିଛନ୍ତି, ଏଜିଏସ୍‌ ସିକ୍ୟୋର୍‌ ସଂସ୍ଥାର ଅବହେଳାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ସିଏମ୍‌ଏସ୍‌ ସଂସ୍ଥାକୁ ସମସ୍ତ ଏଟିଏମ୍‌ରେ ଟଙ୍କା ଜମା ପାଇଁ ଦାୟିତ୍ବ ଦିଆଯାଇଛି।

ଜିଲ୍ଲାର କିଛି ଏଟିଏମ୍‌ରେ ସିଏମ୍‌ଏସ୍‌ ପକ୍ଷରୁ ଟଙ୍କା ଜମା ହେଲାଣି। ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ଆମେରିକାରେ ମାନ୍ଦାବସ୍ଥା ଆସିଲେ ଭାରତ ଲାଭବାନ ହେବ!

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe