ପାରାଦୀପ : ପାରାଦୀପ ବନ୍ଦରରେ ‘କେପ୍ ସାଇଜ୍’ ଜାହାଜ ‘ଊର୍ଜା’ ଆଜି ସକାଳେ ଆସି ପହଞ୍ଚିଛି। ପ୍ରଥମଥର ପାଇଁ ପାରାଦୀପ ବନ୍ଦରରେ କାରବାର ଆରମ୍ଭ କରିଥିବା ଏହି ସର୍ବବୃହତ୍ ଜାହାଜ ଆଦାନୀ ଗ୍ରୁପ୍ର ୧ ଲକ୍ଷ ମେଟ୍ରିକ ଟନ୍ ପଣ୍ୟ ନେଇ ଗଙ୍ଗାଭରମ ବନ୍ଦରରୁ ଆସିଛି। ଏହି ଜାହାଜ ବନ୍ଦରର ସିକ୍ୟୁ-୧ ଓ ସିକ୍ୟୁ-୨ ବର୍ଥରେ ଲାଗିଛି। ଏହାର ଲମ୍ବ ୨୯୧ ମିଟର ଓ ଚଉଡ଼ା ୪୫ ମିଟର। ଏହି ବିଶାଳକାୟ ଜାହାଜ ପାଇଁ ବନ୍ଦର କର୍ତ୍ତୃପକ୍ଷ ବ୍ୟାପକ ବନ୍ଦୋବସ୍ତ କରିଥିଲେ। ଫଳରେ ଏତେ ବଡ଼ ଆକାରର ଜାହାଜ ସହଜରେ ବନ୍ଦର ମଧ୍ୟକୁ ପ୍ରବେଶ କରିପାରିଥିଲା। ପାରାଦୀପ ବନ୍ଦର ପକ୍ଷରୁ କ୍ୟାପ୍ଟେନ ଅତୁଲ୍ୟ କୁମାର ମହାପାତ୍ର, କ୍ୟାପ୍ଟେନ ଏ.ସି. ସାହୁ, କ୍ୟାପ୍ଟେନ ସଂଜମ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜାହାଜ କାରବାର ଉପରେ ନଜର ରଖିଥିଲେ। ଏହି ଅବସରରେ ‘ଊର୍ଜା’ର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ବନ୍ଦର ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା।
ପ୍ରକାଶଥାଉ କି, ପାରାଦୀପ ବନ୍ଦରର ଭିତ୍ତିଭୂମିରେ ଉନ୍ନତି ସହ ଏହାର ପରିସୀମାକୁ ବଢ଼ା ଯାଇଥିବାରୁ ବର୍ତ୍ତମାନ ଏହିପରି ବଡ଼ବଡ଼ ଜାହାଜ କାରବାର କରିପାରିବ। ଚଳିତବର୍ଷ ୧୦୦ ଲକ୍ଷ ମେଟ୍ରିକ୍ ଟନ୍ ପଣ୍ୟ କାରବାର ପାଇଁ ବନ୍ଦର ପ୍ରଶାସନ ଲକ୍ଷ୍ୟକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଦେଶର ୨ ନମ୍ବର ଭାବେ ପରିଗଣିତ ହେଉଥିବା ଏହି ବନ୍ଦର ପାଇଁ ଏହା ଏକ ମାଇଲ୍ଖୁଣ୍ଟ ହେବ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି।
Follow Us