ଭୁବନେଶ୍ବର: ‘ୱି କେୟାର୍ ୱି ଡେୟାର୍’ ନାରା ଦେଉଥିବା କମିସନରେଟ୍‌ ପୁଲିସ ଯେ ‌ସାଧାରଣ ଲୋକଙ୍କ ପ୍ରତି ଉତ୍ତରଦାୟୀ ନୁହେଁ, ତାର ଉଦାହରଣ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଫାଣ୍ଡିରେ ଦେଖିବାକୁ ମିଳିଛି। ଚୋରି ଅଭିଯୋଗ କରିବା ପାଇଁ ଆସିଥିବା ଜଣେ ବ୍ୟକ୍ତି ଲାଞ୍ଚ ନ ଦେବାରୁ ତାଙ୍କୁ ଥାନାରେ ଥାର୍ଡଡିଗ୍ରି ଦିଆଯିବା ସହିତ ଭଉଣୀଙ୍କୁ ଦୁଷ୍କର୍ମ ଧମକ ଦିଆଯାଇଥିବା କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ହେଉଛନ୍ତି କଟକ ମାହାଙ୍ଗା ଥାନା ଗୋତରା ଗ୍ରାମର ଦେବବ୍ରତ ଷଡ଼ଙ୍ଗୀ। ରାଜଧାନୀ ଛାତି ଉପରେ ଅଭିଯୋଗକାରୀଙ୍କ ଉପରେ ପୁଲିସର ଅକଥନୀୟ ନିର୍ଯାତନା ଆଲୋଡ଼ନ ସୃଷ୍ଟି କରିଛି।

Advertisment

ଦେବବ୍ରତ ଷଡ଼ଙ୍ଗୀଙ୍କ ଅଭିଯୋଗ ଅନୁସାରେ ଗତ ୩ ତାରିଖ ସକାଳେ ସେ ଦିଲ୍ଲୀରୁ ଭୁବନେଶ୍ବରକୁ ବିମାନ ଯୋଗେ ଆସିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେ ହଠାତ୍‌ ଅସୁସ୍ଥ ‌ହୋଇ ପଡ଼ିବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ତାଙ୍କ ବ୍ୟାଗ୍‌ଟି ଜରୁରିକାଳୀନ ବିଭାଗରେ ଥିବା ପୁଲିସ କର୍ମଚାରୀଙ୍କ ଦାୟିତ୍ବରେ ରହିଥିଲା।  ଚିକିତ୍ସା ପରେ ସେ ଫେରିବା ସମୟରେ ତାଙ୍କ ବ୍ୟାଗ୍‌ରୁ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେଠାରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କୁ ପଚାରିବାରୁ ସେମାନେ ତାଙ୍କ କଥାକୁ ଗୁରୁତ୍ବ ନ ଦେବାରୁ ସେ ଘରକୁ ପଳାଇଯାଇଥିଲେ। ପରେ ସେ ସୁସ୍ଥ ହୋଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଫାଣ୍ଡିକୁ ଆସି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପାଇଁ ଅନୁରୋଧ କରିଥି‌ଲେ। କିନ୍ତୁ ସେଠାରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ଲାଞ୍ଚ ମାଗିଥିଲେ। ସେ ଲାଞ୍ଚ ନ ଦେବାରୁ ‌ସେମା‌ନେ ସିସିଟିଭି ଫୁଟେଜ୍‌ ଦେଖାଇବାକୁ ମନା ଦେଇଥିଲେ। ତେଣୁ ସେ ବାଧ୍ୟ ହୋଇ କ୍ୟାପିଟାଲ୍‌ ଥାନାକୁ ଆସି ଏନେଇ ମୌଖିକ ଅଭିଯୋଗ କରିଥିଲେ। ପରେ ଥାନା ପୁଲିସର ହସ୍ତକ୍ଷେପ ପରେ ଫାଣ୍ଡି ପୁଲିସ ସିସିଟିଭି ଦେଖାଇବାକୁ ରାଜି ହୋଇଥିଲା। କିନ୍ତୁ ଏହାପରେ ସେମାନଙ୍କ ବ୍ୟବହାର ଖରାପ ହୋଇଯାଇଥିଲା।

ରାଜଧାନୀ ଛାତି ଉପରେ ପୁଲିସର ଅମାନବୀୟ ଆଚରଣ

ଯେଉଁ ସ୍ଥାନରେ ତାଙ୍କ ବ୍ୟାଗ୍‌ ରହିଥିଲା ସେଠାକାର ଭିଡିଓ ନ ଦେଖାଇ ଅନ୍ୟ ଏକ ସ୍ଥାନର ଭିଡିଓ ଫୁଟେଜ୍‌ ଦେଖାଇଥିଲେ। ଏନେଇ‌ ଦେବବ୍ରତ ବିରୋଧ କରିବାରୁ ଆମ୍ବୁଲାନ୍ସରୁ ତାଙ୍କ ଟଙ୍କା ଚୋରି ହୋଇଥିବା କହି ଜଣେ ପୁଲିସ କର୍ମଚାରୀ ତାଙ୍କୁ ଧକ୍କା ମାରି କଣ୍ଟ୍ରୋଲ୍‌ ରୁମ୍‌ରୁ ବାହାର କରିଦେଇଥିଲେ। ଏନେଇ ଯୁକ୍ତିତର୍କ ହେବାରୁ ସେ ପୁଲିସ କର୍ମଚାରୀଙ୍କ ଭିଡିଓ ରେକର୍ଡିଂ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଲିସ କର୍ମଚାରୀ ଜଣକ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଡାକି ଫାଣ୍ଡି ଭିତରକୁ ଘୋଷାରି ଘୋଷାରି ନେଇ ଯାଇଥିଲେ।

Salim Khan admitted to hospital: ହସ୍ପିଟାଲରେ ଭର୍ତ୍ତି ହେଲେ ସଲିମ ଖାନ, ବାପାଙ୍କୁ ଦେଖିବାକୁ ପହଞ୍ଚିଲେ ସଲମାନ

ଫାଣ୍ଡି ଭିତର ଏକ ରୁମ୍‌ରେ ରଖି ତାଙ୍କୁ ବାନ୍ଧିପକାଇ ଲାଠିରେ ପିଟିବା ସହିତ ଗୋଇଠା, ଚାପୁଡ଼ା ମାରି ଚାଲିଥିଲେ। ତାଙ୍କ ଗୋଡ଼କୁ ଲାଠିରେ ମାରି ଗୁରୁତର କରି ଦେଇଛନ୍ତି। ତାଙ୍କ ଭଉଣୀଙ୍କୁ ଦୁଷ୍କର୍ମ ଧମକ ଦେବା ସହ ପକେଟ୍‌ରେ ଥିବା ସବୁ ଟଙ୍କା ଛଡ଼ାଇ ନେଇଥିଲେ। ଏହାସହିତ ମୋବାଇଲ୍‌ ଛଡ଼ାଇ ନେଇ ସବୁ ଫଟୋ, ଭିଡିଓ ଡିଲିଟ୍‌ କରିଦେଇଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ନିର୍ଯାତନା ପରେ ସେ ଚୁପ୍‌ ରହିବେ ବୋଲି କହିବାରୁ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା। ଏନେଇ ଦେବବ୍ରତ କ୍ୟାପିଟାଲ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। କ୍ୟାପିଟାଲ୍‌ ଥାନା ପୁଲିସ କେସ୍‌ ନମ୍ବର ୧୨୨/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।