ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର ଗାଡ଼ି କିଣାବିକାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜୋରଦାର ତନାଘନା କରିଛି। ଏମ୍ପେରିଓ ଫାଇନାନସିଆଲ ଡିଲର ସନ୍ତୋଷ କୁମାର ନାୟକ ଆଜି ଇଡିରେ ହାଜର ହୋଇ ସମସ୍ତ ତଥ୍ୟ ରଖିଛନ୍ତି। ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଗଣମାଧ୍ୟମର ପ୍ରତିନିଧିଙ୍କ ଆଗରେ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଗତ ୩ ବର୍ଷର ଆର୍ଥିକ କାରବାର ନେଇ ଇଡି ତଥ୍ୟ ମାଗିଥିଲା। ସମସ୍ତ ତଥ୍ୟ ଓ କାଗଜପତ୍ର ଇଡିକୁ ଦେଇଛୁ। ଅର୍ଚ୍ଚନା ଗାଡି କିଣିବା ପାଇଁ ୩୫ଲକ୍ଷ ୧୧ ହଜାର ଟଙ୍କା ଆକାଉଣ୍ଟକୁ ଦେଇଥିଲେ। ପରେ ତାଙ୍କର ଇନକମ ଟ୍ୟାକ୍ସ ସମସ୍ୟା କାରଣରୁ ବୁକିଂ କ୍ୟାନ୍ସଲ କରିଥିଲେ। ଆମେ ତୁରନ୍ତ ଟଙ୍କା ଫେରାଇଥିଲୁ।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗତ ଅକ୍ଟୋବର ୭ ତାରିଖରେ ଗିରଫ ହୋଇଥିଲେ। କମିସନରେଟ ପୁଲିସ ହାତରେ ଏହି ମାମଲା ଇଡିକୁ ହସ୍ତାନ୍ତର ହୋଇଛି। ସେହି ଦିନ ଠାରୁ ମାମଲାରେ ଇଡି ଅର୍ଚ୍ଚନା ନାଗ, ତା’ର ସ୍ବାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର ପାତ୍ର, ଗୁମର ଖୋଲିଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରା, ଡ୍ରାଇଭର ଚନ୍ଦନ, ଅକ୍ଷୟ ପରିଜା, ଘର ମାଲିକ ତଥା ସିନେ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ପଚରାଉଚରା କରିସାରିଛି। ଏହି ମାମଲାରେ ଆହୁରି କିଛି ଲୋକ ଇଡିର ଟାର୍ଗେଟରେ ଅଛନ୍ତି। ସମସ୍ତଙ୍କୁ ପଚରାଉଚରା କରିସାରିଲା ପରେ ଅର୍ଚ୍ଚନାର ଅସଲ କାରନାମା ପଦାରେ ଆସିବ ବୋଲି ଆଶା କରାଯାଉଛି।
Follow Us