ରାଉରକେଲା : ସହରରେ ଶୁକ୍ରବାର ଦିନ ଜଣେ କାର୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଦେଖିବାକୁ ମିଳିଛି। ରେଳଧାରଣା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା କାରକୁ ଟ୍ରେନ୍ ଧକ୍କା ଦେଇଛି। ତେବେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି କାର୍ରେ ଥିବା ୩ ଜଣ ଯୁବକ।
ଆଇଟିଆଇ ଓଭରବ୍ରିଜ ନିକଟସ୍ଥ ଖରିଆ ବାହାଲ ବସ୍ତିରେ ଏକ ଅଘୋଷିତ ରେଳ ଫାଟକ ରହିଛି। ଏହି ରେଳ ଫାଟକ ଦେଇ ସ୍ଥାନୀୟ ଲୋକ ଅବାଧରେ ଯିବାଆସିବା କରିଥାନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ ଏଭଳି ବିପଦ୍ଜନକ ଯାଆସ ଦେଖିବାକୁ ମିଳିଥାଏ। ଆଜି ପୂର୍ବାହ୍ନରେ ଏକ କାର୍(ଓଡି-୧୪-ପି-୧୩୭୨)ରେ ତିନି ଜଣକ ଯୁବକ ଉକ୍ତ ରେଳ ଧାରଣା ପାର୍ ହେଉଥିଲେ। ଏହି ସମୟରେ ବୀରମିତ୍ରପୁରରୁ ବରସୁଆଁ ଯାଉଥିଲା ଯାତ୍ରୀବାହୀ ପାସେଞ୍ଜର ଟ୍ରେନ। ଟ୍ରେନ୍ ଆସୁଥିବା ଦେଖି ଚାଳକ କାର୍କୁ ପଛକୁ ଆଣିବାକୁ ଚେଷ୍ଟା କରୁଥିବାବେଳେ ରେଳ ଧାରଣାରେ କାର୍ଟି ଫସି ଯାଇଥିଲା। ଅପରପକ୍ଷରେ କାର୍କୁ ଦେଖି ଟ୍ରେନ୍ ଚାଳକ ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇପାରିନଥିଲା। ଫଳରେ ଟ୍ରେନ୍ କାର୍କୁ ସାମ୍ନା ପଟକୁ ଧକ୍କା ଦେଇଥିଲା। କାର୍ର ସମ୍ମୁଖଭାଗ କ୍ଷତିଗ୍ରସ୍ତ ହୋଇଥିବାବେଳେ ତିନି ଯୁବକ ନିଶ୍ଚିତ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି।
Follow Us