ଖଣି ଅଞ୍ଚଳରେ କରୁଣଚିତ୍ର: ଶିଶୁପୁତ୍ର ଦାମ୍‌ ୫୦ ହଜାର, ଧରାପଡ଼ିବା ଭୟରେ ଘରୁ ଫେରାର

ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ଦେଉଥିବା ଖଣିଅଞ୍ଚଳ କୋଇଡାର ସ୍ଥିତି ଏବେ ଦୟନୀୟ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଓ ସରକାରଙ୍କ ସମସ୍ତ ଯୋଜନା ଯେମିତି ବସ୍ତିବାସିନ୍ଦାଙ୍କ ପାଇଁ ସାତସପନ ପାଲଟିଛି।

fshfshfsxvbvxbv

ରାଉରକେଲା/କୋଇଡ଼ା: ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ଦେଉଥିବା ଖଣିଅଞ୍ଚଳ କୋଇଡାର ସ୍ଥିତି ଏବେ ଦୟନୀୟ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଓ ସରକାରଙ୍କ ସମସ୍ତ ଯୋଜନା ଯେମିତି ବସ୍ତିବାସିନ୍ଦାଙ୍କ ପାଇଁ ସାତସପନ ପାଲଟିଛି। ଆର୍ଥିକ ଅନଟନ ପାଇଁ ଭୁଲି ଯାଉଛନ୍ତି ସ୍ନେହ ଓ ମମତା। ନିଜ ଜନ୍ମକଲା ପୁଅକୁ ମାତ୍ର କେ‌ଇ ଟଙ୍କା ପାଇଁ ଅନ୍ୟ ହାତକୁ ଟେକି ଦେବା ଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି। 

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ପାଟମୁଣ୍ଡା ହଟିଂର ପାର୍ବତୀ ଲୁଗୁନ୍‌ ନିଜର ଶିଶୁପୁତ୍ର ମାତ୍ର ୫୦ ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି। ଧରାପଡ଼ିବା ଭୟରେ ସେ ନିଜେ ଘର ଛାଡ଼ି କୁଆଡ଼େ ପଳେଇଛନ୍ତି। ତେବେ, ଘଟଣା ସାମନାକୁ ଆସିବା ପରେ କୋଇଡ଼ା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅନିତା ସାହୁ ଖୋଳତାଡ଼ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଉଦ୍‌ବେଗଜନକ। ତଦନ୍ତ ପାଇଁ ଟିମ୍‌ ଗଠନ ହୋଇଛି। ଖୁବ୍‌ଶୀଘ୍ର ଶିଶୁପୁତ୍ରକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ପାର୍ବତୀ ଲୁଗୁନ ଗର୍ଭବତୀ ହେବା ପରେ ଗତ ଅଗଷ୍ଟ ୮ରେ କୋଇଡ଼ାର ମା’ ଗୃହକୁ ଆସିଥିଲେ। କିଛି ଦିନ ଚିକିତ୍ସା ହେବା ପରେ ପ୍ରସବ ପାଇଁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ପଠାଯାଇଥିଲା। ଆର୍‌ଜିଏଚ୍‌ରେ ୩୧ ଅଗଷ୍ଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରଦିନ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଶିଶୁ ପୁତ୍ରକୁ ଘରକୁ ନ ନେଇ ବାଟରେ ବିକ୍ରି କରିଦେଇଥିଲେ। ୫୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା।

ଧରାପଡ଼ିବା ଭୟରେ ଘରୁ ଫେରାର
ତଦନ୍ତ ଚାଲିଛି: ସିଡିପିଓ

ପ୍ରଥମ କିସ୍ତିରେ ସମ୍ପୃକ୍ତ ବ୍ୟକ୍ତିଙ୍କଠୁ ୨୫ ହଜାର ଟଙ୍କା ନେଇଥିଲେ। ଘରେ ପହଞ୍ଚିବା ପରେ ଆଶା ଦିଦି ମାଗଦାଲି ନାଏକ ପାର୍ବତୀଙ୍କୁ ଛୁଆ କୁଆଡ଼େ ଗଲା ବୋଲି ପଚାରିଥିଲେ। ହେଲେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ସେମିତି ଅଙ୍ଗନବାଡ଼ି କର୍ମୀ ଶକୁନ୍ତଳା ଦାସ ଶିଶୁକୁ ଟିକା ଦେବା ସଂପର୍କରେ ଜଣାଇବାକୁ ପାର୍ବତୀଙ୍କ ଘରକୁ ଯାଇଥିଲେ। ସେଠାରେ ଶିଶୁଟି ନଥିବାରୁ ତାଙ୍କର ମଧ୍ୟ ସନ୍ଦେହ ହୋଇଥିଲା। ଆଶାଦିଦି ମାଗଦାଲି ଏ ସମ୍ପର୍କରେ  ସିଡିପିଓ ଅନିତାଙ୍କୁ ଜଣାଇଥିଲେ। ପରେ ସିଡିପିଓ ଓ ଅନ୍ୟ ଅଧିକାରୀ ଘରେ ପହଞ୍ଚି ପଚରାଉଚରା କରିବାରୁ ପାର୍ବତୀ ଛୁଆ ବିକ୍ରି କଥାକୁ ସ୍ବୀକାର କରିଥିଲେ।  ରାଉରକେଲାରେ କାହାକୁ ବିକ୍ରି କରିଛି ବୋଲି ବାରମ୍ବାର ପଚାରିଥିଲେ ‌ହେଁ ସେ କୌଣସି ଉତ୍ତର ଦେଇ ନଥିଲେ। ଅଧିକାରୀମାନେ ସେଠାରୁ ଆସିବା ପରେ ପାର୍ବତୀ ଘର ଛାଡ଼ି କେଉଁଆଡ଼େ ପଳାଇଛନ୍ତି।  ତାଙ୍କ ସ୍ବାମୀ ମଧ୍ୟ କେଉଁଆଡ଼େ ଚାଲିଯାଇଛନ୍ତି। ପାର୍ବତୀଙ୍କ ଶାଶୂ ଓ ତାଙ୍କର ଚାରି ସନ୍ତାନ ପାଟମୁଣ୍ଡାସ୍ଥ ଝାଟିମାଟି ଘରେ ମା’ର ଫେରିବା ବାଟକୁ ଚାହିଁ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe