ନବଜାତକୁ ରଖି ଫସିଲେ ଅଙ୍ଗନଓ୍ଵାଡ଼ି କର୍ମୀ

Advertisment

ହସ୍ପିଟାଲରେ ଛାଡ଼ି ଯାଇଥିଲେ କୁମାରୀ ମା’

ହସ୍ପିଟାଲରେ ଛାଡ଼ି ଯାଇଥିଲେ କୁମାରୀ ମା’

ନବଜାତକୁ ରଖି ଫସିଲେ ଅଙ୍ଗନଓ୍ଵାଡ଼ି କର୍ମୀ

୪ ଜଣଙ୍କ ନାମରେ ମାମଲା

ରାଉରକେଲା : ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଲୋକ ଲଜ୍ଜା ଭୟରେ ଚମ୍ପଟ ମାରିଲେ କୁମାରୀ ମା’। ହସ୍ପିଟାଲ କର୍ମଚାରୀ ଚୁପ୍‌ଚାପ ନବଜାତକୁ ଜଣେ ଅଙ୍ଗନଓ୍ଵାଡ଼ି କର୍ମୀଙ୍କ କୋଳକୁ ଟେକି ଦେଲେ। ଘଟଣା ପଦାକୁ ଆସିବା ପରେ ଏବେ ଅଡ଼ୁଆରେ ପଡ଼ିଛନ୍ତି ଅଙ୍ଗନଓ୍ଵାଡ଼ି କର୍ମୀ ଓ ସମ୍ପୃକ୍ତ ହସ୍ପିଟାଲ କର୍ମଚାରୀ। ବେଆଇନ ଭାବେ ଶିଶୁଟିକୁ ରଖିନେବା ଅଭିଯୋଗରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଅଞ୍ଚଳରେ ଘଟିଥିବା ଏଭଳି ଘଟଣା ଚର୍ଚାର ବିଷୟ ହୋଇଛି ।

ଗତ ୨୦୧୭ ନଭେମ୍ବର ୧୭ ତାରିଖରେ ଝାଡ଼ଖଣ୍ଡ ଅଞ୍ଚଳର ଜଣେ ଅବିବାହିତା ଝିଅ ସନ୍ତାନ ପ୍ରସବ ପାଇଁ ହାତୀବାରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦିନକ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ନେଇ ପଳାଇ ଯାଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ସ୍ଥାନୀୟ ପୁଲିସ କି ଶିଶୁ ସୁରକ୍ଷା ୟୁନିଟକୁ ଜଣାଇ ନଥିଲେ । କାର୍ଯ୍ୟରତ ନର୍ସ ଟେରେସା ଏକ୍କା ଓ ଆଶା କର୍ମୀ ଯଶିନ୍ତା କେର୍କେଟା ନବଜାତକୁ ନେଇ ନୂଆଗାଁ ବ୍ଲକ୍‌ କର୍କଟନାସା ଗାଁର ଅଙ୍ଗନଓ୍ଵାଡ଼ି କର୍ମୀ ରୋସାଲିଆ କେର୍କେଟା ଓ ସ୍ୱାମୀ ସୀମନ ବୋଦରାଙ୍କୁ ଦେଇଥିଲେ। ୨ ମାସ ପରେ ଘଟଣା ପଦାକୁ ଆସିଲା। ଗତକାଲି କେହି ଜଣେ ଘଟଣା ସମ୍ପର୍କରେ ବିଶ୍ରା ସ୍ଥିତ ଚାଇଲ୍ଡ ଲାଇନ୍‌ ‘ଦିଶା’କୁ ଖବର ଦେଇଥିଲେ। ଆଜି ସକାଳେ ‘ଦିଶା’ ନିର୍ଦ୍ଦେଶକ ଅବ୍‌ଦୁଲ କଲାମ ଆଜାଦ ଓ ସହଯୋଗୀ ଅମ୍ବର ଆଲମଙ୍କ ନେତୃତ୍ୱରେ ଚାଇଲ୍ଡ ଲାଇନ୍‌ ସଦସ୍ୟାମାନେ କର୍କଟନାସା ଯାଇ ଶିଶୁକୁ ନେଇ ଆସିବାକୁ ଚେଷ୍ଟା କରିଥିଲେ। ହେଲେ ଅଙ୍ଗନଓ୍ଵାଡ଼ି କର୍ମୀ ଶ୍ରୀମତୀ କେର୍କେଟା ଶିଶୁଟିକୁ ଦେବାକୁ ମନା କରିଦେବା ସହିତ ଚାଇଲ୍ଡ ଲାଇନ ସଦସ୍ୟାଙ୍କୁ ଗାଳିଗୁଲଜ କରି ଘଉଡ଼ାଇ ଦେଇଥିଲେ।

ଏହା ପରେ ଚାଇଲ୍ଡ ଲାଇନ୍‌ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନାଙ୍କୁ ସୂଚୀତ କରିବା ସହିତ ହାତୀବାରି ପୁଲିସ ଫାଣ୍ଡିରେ ଏତଲା ଦେଇଥିଲେ। ପୁଲିସ ସମ୍ପୃକ୍ତ ଅଙ୍ଗନଓ୍ଵାଡ଼ି କର୍ମୀ ଶ୍ରୀମତୀ କେର୍କେଟା ସହିତ ସ୍ୱାମୀ ସୀମନ ବୋଦରା, ନର୍ସ ଟେରେସା ଓ ଆଶା କର୍ମୀ ଯଶିନ୍ତାଙ୍କ ନାମରେ ମାମଲା ରୁଜୁ କରି ଶିଶୁଟିକୁ ଉଦ୍ଧାର କରି ‘ଦିଶା’କୁ ହସ୍ତାନ୍ତର କରିଛି। ଘଟଣାସ୍ଥଳରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଜେନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଝାଡ଼ଖଣ୍ଡର ସେ ଅବିବାହିତା ଝିଅଟି କିଏ, କେଉଁ ପରିସ୍ଥିତିରେ ସେ କନ୍ୟା ସନ୍ତାନକୁ ହସ୍ପିଟାଲରେ ଛାଡ଼ି ଯାଇଥିଲା, ଏହା ପରେ କର୍ତ୍ତୃପକ୍ଷ ପୁଲିସ କି ଶିଶୁ ସୁରକ୍ଷା ୟୁନିଟକୁ କାହିଁକି ଖବର ଦେଇ ନଥିଲେ, ହସ୍ପିଟାଲ କର୍ମଚାରୀ ନବଜାତକୁ ଉଠାଇ ନେବା ପରେ ବି ହସ୍ପିଟାଲ କର୍ତ୍ତୃପକ୍ଷ ଚୁପ୍‌ ରହିଲେ କାହିଁକି ଏସବୁ ପ୍ରଶ୍ନ ଉପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe