ପାଟଣାଗଡ଼ ବିଧାୟକଙ୍କୁ ଡବଲ୍‌ ଝଟକା : ଯନ୍ତ୍ରୀଙ୍କୁ ଉଠବସ ମାମଲାର ଚାର୍ଜସିଟ ଦାଖଲ

ଘର ମରାମତି ବେଳେ ବିଦ୍ୟୁତ ଆଘାତରେ ମିସ୍ତ୍ରୀ ମୃତ

ପାଟଣାଗଡ଼ ବିଧାୟକଙ୍କୁ ଡବଲ୍‌ ଝଟକା : ଯନ୍ତ୍ରୀଙ୍କୁ ଉଠବସ ମାମଲାର ଚାର୍ଜସିଟ ଦାଖଲ

ବଲାଙ୍ଗୀର/ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପିଛା ଛାଡୁନି ବିବାଦ। ପୁଣି ଥରେ ସେ ଚର୍ଚ୍ଚାରେ। ନିମ୍ନମାନର ରାସ୍ତା କାମ ପାଇଁ ଯନ୍ତ୍ରୀଙ୍କୁ ଉଠବସ କରିବା ମାମଲାରେ ତାଙ୍କ ବିରୋଧରେ ଭୁବନେଶ୍ୱର ସ୍ପେସାଲ କୋର୍ଟରେ ଫାଇନାଲ ଚାର୍ଜସିଟ୍‌ ଦାଖଲ ହୋଇଥିବା ବେଳେ ତାଙ୍କ ପାଟଣାଗଡ଼ ଘର ମରାମତି ବେଳେ ବିଦ୍ୟୁତ ଆଘାତରେ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିବା ନେଇ ଆରମ୍ଭ ହୋଇଛି ନୂଆ ବିବାଦ। ବିଭିନ୍ନ ସଂଗଠନ ଏ ନେଇ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ପାଇଁ ଆଦିବାସୀ ମହାସଂଘ କର୍ମକର୍ତ୍ତା ବଲାଙ୍ଗୀର ଏସ୍‌ପିଙ୍କୁ ଭେଟିବେ ବୋଲି ଜଣାଇଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ସ୍ପେସାଲ କୋର୍ଟରେ ବିଧାୟକ ଶ୍ରୀ ମେହେରଙ୍କ ବିରୋଧରେ ଫାଇନାଲ ଚାର୍ଜସିଟ୍‌ ଦାଖଲ ହୋଇଛି। ଆଇପିସି ଦଫା ୩୪୧, ୩୨୩, ୩୫୫ ଏବଂ ଅନୁସୂଚିତ ଜାତି ଓ ଜନଜାତି ଆଇନ୍‌ର ଧାରା ୩ ଅନୁସାରେ ୬୦ ରୁ ଅଧିକ ପୃଷ୍ଠାର ଏହି ଚାର୍ଜସିଟ ଗତକାଲି ଦାଖଲ ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ତଥା ସାଂସଦ ଓ ବିଧାୟକଙ୍କ ମାମଲା ଶୁଣାଣି ଲାଗି ଉଦ୍ଦିଷ୍ଟ ସ୍ବତନ୍ତ୍ର କୋର୍ଟରେ ଗତ ୬ ତାରିଖରେ ପାଟଣାଗଡ଼ ଥାନାର ତଦନ୍ତ ଅଧିକାରୀ ଚାର୍ଜସିଟ୍ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୯ ଜୁନ ୫ ତାରିଖ ଦିନ ବିଧାୟକ ଶ୍ରୀ ମେହେର ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀ ଗାଁରେ ପୂର୍ତ୍ତ ବିଭାଗ ତରଫରୁ ନିର୍ମାଣ ହେଉଥିବା ଏକ ରାସ୍ତା କାମ ଦେଖିବାକୁ ଯାଇଥିଲେ। ରାସ୍ତା କାମ ନିମ୍ନମାନର ହୋଇଥିବା ସେଠାରେ ଉପସ୍ଥିତ ଲୋକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପସ୍ଥିତ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସେ ସେଠାରେ ଉଠବସ କରାଇଥିଲେ। ପରଦିନ ଯନ୍ତ୍ରୀ ଶ୍ରୀ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ପାଟଣାଗଡ଼ ଥାନାରେ ତାଙ୍କ ସ୍ୱାମୀଙ୍କୁ ଅପହରଣ ଓ ଅପମାନିତ କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ବିଭିନ୍ନ ବ୍ଲକରେ ତୀବ୍ର ଆନ୍ଦୋଳନ ହୋଇଥିଲା। ବିଧାୟକଙ୍କୁ ଗିରଫ ଦାବି ତେଜିଥିଲା। ଶେଷରେ ବିଧାୟକଙ୍କୁ ପୁଲିସ ପଡ଼ୋଶୀ ନୂଆପଡ଼ା ଜିଲ୍ଲାର ଏକ ଲଜ୍‌ରୁ ଗିରଫ କରି କୋର୍ଟଚାଲାଣ କରିଥିଲା। ବର୍ତ୍ତମାନ ଉକ୍ତ ମାମଲା ଭୁବନେଶ୍ୱର ସ୍ପେସାଲ କୋର୍ଟରେ ବିଚାରାଧୀନ ରହିଛି।

ଅନ୍ୟପକ୍ଷରେ ଆଜି ପାଟଣାଗଡ଼ରେ ବିଧାୟକ ଶ୍ରୀ ମେହେରଙ୍କ ଘର କାମ ଚାଲିଥିବା ସମୟରେ ଅଘଟଣ ଘଟିଛି। ଘର ଉପ‌ର ଦେଇ ଟଣାଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି କାମ କରୁଥିବା ମିସ୍ତ୍ରି ଡିଙ୍ଗର ବରିହାଙ୍କ ମୃତ୍ୟୁ ଘଟିଛି। ମୃତ ଡିଙ୍ଗରଙ୍କ ଘର ପାଟଣାଗଡ଼‌ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍‌ ଚଙ୍ଗରିଆ ଗ୍ରାମରେ ବୋଲି ଜଣାପଡ଼ିଛି। ପାଟଣାଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ପାଟଣାଗଡ଼ ଥାନାଧିକାରୀ ପ୍ରିୟଙ୍କା ରାଉତରାଏ କହିଛନ୍ତି। ଏହି ଘଟଣା ପରେ ବିଧାୟକ ଶ୍ରୀ ମେହେର ପୁଣିଥରେ ଅଡ଼ୁଆରେ ପଡ଼ିଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ‌ଯେ, ପାଟଣାଗଡ଼ ବିଧାୟକ ଶ୍ରୀ ମେହେର କିଛି ମିସ୍ତ୍ରି ଓ ଶ୍ରମିକଙ୍କୁ ଲଗାଇ ତାଙ୍କ ବାସବଭନର ମରାମତି କାମ କରାଉଥିଲେ। ଗୁରୁବାର ସକାଳୁ କାମ କରୁଥିବା ସମୟରେ ମିସ୍ତ୍ରି ଡିଙ୍ଗର ବରିହା ଉକ୍ତ ବାସଭବନର ଅତି ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଦମକଳ ବାହିନୀ ପହଞ୍ଚି ଡିଙ୍ଗରଙ୍କ ମୃତଦେହ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ‌ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଡିଙ୍ଗରଙ୍କ ପୁଅ ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। କାମ କରୁଥିବା ସମୟରେ ତାଙ୍କ ବାପା ଡିଙ୍ଗର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସେପଟେ, ଘର ମରାମତି ସମୟରେ ବିଧାୟକ ଉଚିତ ସୁରକ୍ଷା ପଦକ୍ଷେପ ନେଇଥିଲେ ଏପରି ଅଘଟଣକୁ ଏଡ଼ାଇ ଦିଆ ଯାଇପାରିଥାନ୍ତା ବୋଲି ଅଭିଯୋଗ ହେଉଛି।

ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଚଙ୍ଗରିଆ ଗ୍ରାମର ବିଭୀଷଣ ବରିହା ପାଟଣାଗଡ଼ ଥାନାରେ ଏନେଇ ଅଭିଯୋଗ କରିଥିଲେ। ହେଲେ ଥାନାଧିକାରୀ ଏହାକୁ ଗ୍ରହଣ କରି ନଥିବାରୁ ଶୁକ୍ରବାର ଆଦିବାସୀ କଲ୍ୟାଣ ମହାସଂଘ କର୍ମକର୍ତ୍ତା ବଲାଙ୍ଗୀର ଯାଇ ଏସ୍‌ପିଙ୍କୁ ଭେଟିବେ ବୋଲି ସୂଚନା ଦେଇଛନ୍ତି। ସଂଘର ପାଟଣାଗଡ଼ ସଭାପତି ଅଷ୍ଟରତ୍ନ ବରିହା, ଗିରିଧାରି ଭୋଇଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସିଧାସଳଖ ଏସ୍‌ପିଙ୍କ ନିକଟରେ ଏ ନେଇ ଅଭିଯୋଗ କରିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe