ଲୁଟେରା ୱେବ୍‌ସାଇଟ୍‌ ବିରୋଧରେ ମାମଲା: ବ୍ଲକ୍‌ ହେଲା ଇଣ୍ଡିଆ ଥ୍ରିଲ୍‌ସ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ବାବଦରେ ମିଥ୍ୟା ତଥ୍ୟ ଦେଇ ଭକ୍ତଙ୍କୁ ଠକୁଥିବା ଅନ୍‌ଲାଇନ୍‌ ଠକଙ୍କୁ ଆଉ ନିସ୍ତାର ନାହିଁ। ଏଣିକି ଅଭିଯୋଗ ଆସିଲେ ତ୍ବରିତ କାର୍ଯ୍ୟାନୁଷ୍ଠାନ।

cyber

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ବାବଦରେ ମିଥ୍ୟା ତଥ୍ୟ ଦେଇ ଭକ୍ତଙ୍କୁ ଠକୁଥିବା ଅନ୍‌ଲାଇନ୍‌ ଠକଙ୍କୁ ଆଉ ନିସ୍ତାର ନାହିଁ। ଏଣିକି ଅଭିଯୋଗ ଆସିଲେ ତ୍ବରିତ କାର୍ଯ୍ୟାନୁଷ୍ଠାନ। ବ୍ଲକ୍‌ ହେବ ୱେବ୍‌ସାଇଟ୍‌ ଓ ସୋସିଆଲ୍‌ ଆକାଉଣ୍ଟ୍‌। ଏନେଇ ପୁରୀ ପୁଲିସ ପକ୍ଷରୁ ମିଛ ଓ ବିଭ୍ରାନ୍ତିକର ସୂଚନା ଦେଇ ଭକ୍ତଙ୍କୁ ଠକୁଥିବା ୱେବ୍‌ସାଇଟ୍‌ ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ସହ ବ୍ଲକ୍‌ କରାଯାଇଛି। ଭକ୍ତ ଓ ଯାତ୍ରୀମାନେ ଚିତ୍ତବିନୋଦନ ପାଇଁ ଆସୁଛନ୍ତି। ଶାନ୍ତି ମନ ଓ ନିରାପଦରେ ଭ୍ରମଣ କରି ଫେରିବା ହିଁ ପ୍ରକୃତ ‘ଅତିଥି ଦେବୋ ଭବଃ’ର ସାର୍ଥକତା। ଏହାକୁ ସାକାର କରିବା ପାଇଁ ପୁରୀ ପୁଲିସ ସକ୍ରିୟ ପଦକ୍ଷେପ ନେଇଛି। 
ପୁଲିସର ସୂଚନା ଅନୁସାରେ, ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ସାଇବର୍‌ ଥାନାରେ ୪୦୮ଟି ଅନ୍‌ଲାଇନ୍‌ ଅର୍ଥ ଠକେଇ ଅଭିଯୋଗ ହୋଇଛି। ସେହିସବୁ ଅଭିଯୋଗ ଆଧାରରେ ୩୯୦ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଅଚଳ ତଥା ସ୍ଥଗିତ ରଖାଯାଇଛି। ଅନ୍‌ଲାଇନ୍‌ରେ ମିଛ ସୂଚନା ଦେଇ ଓ ପ୍ରଚାର କରି ଅର୍ଥ ଲୁଟୁଥିବା ୧୨୫ଟି ୱେବ୍‌ସାଇଟ୍‌କୁ ଅଚଳ କରାଯାଇଛି। ୬୬ଟି ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌କୁ ବ୍ଲକ୍‌ କରାଯାଇଛି। ୮ ମାସ ମଧ୍ୟରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଇଣ୍ଡିଆ ଥ୍ରିଲ୍‌ସ/ଜଗନ୍ନାଥ ପୁରୀ ଦର୍ଶନ ୱେବ୍‌ସାଇଟ୍‌ ଅର୍ଥ ବିନିମୟରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଭେଟି ଦେଉଥିବା ନେଇ ଭକ୍ତଙ୍କୁ ବିଭ୍ରାନ୍ତ କଲାଭଳି ସୂଚନା ଦେଇଥିବାରୁ ଏହା ବିରୋଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ହୋଇଛି।

ବ୍ଲକ୍‌ ହେଲା ଇଣ୍ଡିଆ ଥ୍ରିଲ୍‌ସ
୪୦୮ ଅନ୍‌ଲାଇନ୍‌ ଠକେଇ ମାମଲା, ୪ ଗିରଫ
୧୨୫ ୱେବ୍‌ସାଇଟ୍‌, ୬୬ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ବ୍ଲକ୍‌

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଭିଯୋଗ ଆଧାରରେ ସାଇବର ଥାନାରେ ଏହି ୱେବ୍‌ସାଇଟ୍‌ ବିରୋଧରେ ଏକ ମାମଲା (କେସ୍‌ ନମ୍ବର ୧୮/୨୦୨୫) ରୁଜୁ ହୋଇଛି। ସାଇବର ଥାନା ତ୍ବରିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉକ୍ତ ୱେବସାଇଟ୍‌କୁ ବ୍ଲକ କରିଛି। ସେହିପରି ‘ପୂଜା ପରିସେବା ଡଟ୍‌ କମ୍‌’ ନାମକ ଆଉ ଏକ ୱେବ୍‌ସାଇଟ୍‌ ବିରୋଧରେ ମାମଲା ରୁଜୁ ହୋଇଛି। ଉକ୍ତ ୱେବ୍‌ସାଇ୍‌ଟରେ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର ପୂଜା ସେବା ପାଇଁ ଦେୟ ଆଦାୟ କରାଯାଉଛି। ଏହା ନଜରକୁ ଆସିବା ପରେ ୱେବ୍‌ସାଇଟ୍‌ ବିରୋଧରେ ସିଂହଦ୍ବାର ଥାନାରେ (କେସ୍‌ ନଂ-୧୩୪/୨୦୨୫)ରେ ମାମଲା ରୁଜୁ ହୋଇଛି। ସଂପ୍ରତି ଏହା ତଦନ୍ତ ପରିସରଭୁକ୍ତ ରହିଛି। 

ହୋଟେଲ୍‌ ବୁକିଂ ନାଁରେ ଅର୍ଥ ଲୁଟି ନେଉଥିବା ଅନ୍‌ଲାଇନ୍‌ ଠକଙ୍କ ଉପରେ ମଧ୍ୟ ପୁଲିସ ଗୁରୁତ୍ବ ଦେଇଛି। ସମସ୍ତ ହୋଟେଲ୍‌ ଏବଂ ଏ ସମ୍ପର୍କିତ ସେବା ଯୋଗାଣକାରୀ ସଂସ୍ଥାକୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଯଦି କୌଣସି ୱେବ୍‌ସାଇଟ୍‌ରେ କୌଣସି ହୋଟେଲ୍‌ ନାଁକୁ ବିନା ଅନୁମତିରେ ବ୍ୟବହାର କରାଯାଇ ବୁକିଂ କରାଯାଉଛି, ଏହା ଉପରେ ନଜର ରଖିବାକୁ ଉକ୍ତ ହୋଟେଲ୍‌ ସଂସ୍ଥାକୁ କୁହାଯାଇଛି। ଯଦି ଏପରି ଘଟଣା ସାମନାକୁ ଆସୁଛି, ତୁରନ୍ତ ସାଇବର୍‌ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି। ଏଭଳି ମିଥ୍ୟା ସୂଚନା ଦେଇ ଭକ୍ତ ଓ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ୱେବ୍‌ସାଇଟ୍‌ ଠାରୁ ଦୂରେଇ ରହିବାକୁ ନିବେଦନ କରାଯାଇଛି। ଅନ୍‌ଲାଇନ୍‌ରେ ହୋଟେଲ୍‌ ବୁକିଂ କରୁଥିବା ବ୍ୟକ୍ତିବିଶେଷ କେବଳ ଉକ୍ତ ହୋଟେଲ ସଂସ୍ଥାର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଏବଂ ବିଶ୍ବସ୍ତ ସାଇଟ୍‌ସକୁ ଯାଇ ସତ୍ୟତା ପରଖିବାକୁ କୁହାଯାଇଛି। ସାଇବର ଠକେଇର ଶିକାର ହେବା ମାତ୍ରେ ସାଇବର ଥାନାକୁ ତୁରନ୍ତ ୮୨୮୦୪୯୧୩୦୦ ନମ୍ବରରେ ଯୋଗାଯୋଗ କରିପାରିବେ। ପୁରୀ ଜିଲ୍ଲାରେ ଯେକୌଣସି ସ୍ଥାନରେ ପର୍ଯ୍ୟଟକଟିଏ ପୁଲିସର ସହାୟତା ଆବଶ୍ୟକ ପଡ଼ିଲେ ୧୧୨ କିମ୍ବା ଟୁରିଷ୍ଟ ହେଲ୍‌ପଲାଇନ୍‌ ନମ୍ବର ୬୩୭୦୯୬୭୧୦୦ରେ ଯୋଗାଯୋଗ କରିବାକୁ କୁହାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe