ଶୁଳିଆପଦା ବ୍ଲକରେ ସରକାରୀ ଅର୍ଥ ହଡ଼ପ ମାମଲା: ଡେପୁଟି କଲେକ୍ଟରଙ୍କ ସମେତ ୪ ଗିରଫ

Advertisment
ଶୁଳିଆପଦା ବ୍ଲକରେ ସରକାରୀ ଅର୍ଥ ହଡ଼ପ ମାମଲା: ଡେପୁଟି କଲେକ୍ଟରଙ୍କ ସମେତ ୪ ଗିରଫ

ବାଲେଶ୍ବର/ନୀଳଗିରି/ଶୁଳିଆପଦା: କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ପୂର୍ବତନ ବିଡିଓ ତଥା ବର୍ତ୍ତମାନ ବାଲେଶ୍ବର ନୀଳଗିରି ଉପଖଣ୍ଡର ଡେପୁଟି କଲେକ୍ଟର ଥିବା ପରୀକ୍ଷିତ ଜେନାଙ୍କୁ ଆଜି ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଏଥିସହ ଉକ୍ତ ବ୍ଲକ୍‌ର ପୂର୍ବତନ କ୍ୟାସିୟର ତଥା ବର୍ତ୍ତମାନ କପ୍ତିପଦା ତହସିଲରେ ରାଜସ୍ବ ସହାୟକ ଭାବେ କା‌ର୍ଯ୍ୟରତ ଥିବା ଦେବଦତ୍ତ ଦାସ, ଆଉ ଦୁଇଜଣ ସୁଜିତ କୁମାର ମହାନ୍ତି ଓ ଅଖିଳ କୁମାର ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି।

ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍‌ରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକବର୍ଷରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ(ଓଏମ୍‌ବିଏଡିସି) ପାଣ୍ଠିରୁ ୧ କୋଟି ୧୯ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିଲା। ସେତେବେଳେ ପରୀକ୍ଷିତ ଜେନା ସେଠାରେ ବିଡିଓ ଦାୟିତ୍ବରେ ଥିଲେ। ତେବେ ଉକ୍ତ ଟଙ୍କାରେ କୌଣସି କାମ ନହୋଇ ଟଙ୍କା ହଡ଼ପ କରାଯାଇଥିବା ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ପରେ ଏନେଇ ବିଡିଓ ଶ୍ରୀ ଜେନାଙ୍କ ସମେତ ବ୍ଲକର କ୍ୟାସିୟର, ଆସିଷ୍ଟାଣ୍ଟ କମ୍ପ୍ୟୁଟର ପ୍ରୋଗାମର ଓ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ନାଁରେ ବାଲେଶ୍ବର ଭିଜିଲାନ୍ସ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହି ତଦନ୍ତ ଜାରି ରହିଥିବା ବେଳେ ଆଜି ସକାଳେ ପୂର୍ବତନ କୋଷାଧ୍ୟକ୍ଷ ଦେବଦତ୍ତ ଦାସଙ୍କୁ ଉଠାଇ ଆଣି ପଚରାଉଚରା କରାଯାଇଥିଲା।

ପରେ ଶ୍ରୀ ଜେନାଙ୍କ ନୀଳଗିରି ବାଲିଗୋହିରିସ୍ଥିତ ଭଡ଼ାଘର, ମୟୂରଭଞ୍ଜରେ ଥିବା ପୈତୃକ ଘର ସମେତ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ବିଭାଗର ୨ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୬ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ୍‌ ହୋଇଛନ୍ତି। ଭିଜିଲାନ୍ସ ଏସ୍‌ପି ନରହରି ନାୟକଙ୍କ କହିବା ଅନୁସାରେ, ଗିରଫ ହୋଇଥିବା ଅଧିକାରୀ, ତାଙ୍କୁ ସହଯୋଗ କରିଥିବା କିଛି ସରକାରୀ କର୍ମଚାରୀ ଏବଂ ତାଙ୍କ ଅନ୍ତରଙ୍ଗ ବନ୍ଧୁମାନେ ମିଶି ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କ ଆକାଉଣ୍ଟକୁ ବିନା କୌଣସି ଭାଉଚର୍‌ରେ ୧ କୋଟି ୯୦ ଲକ୍ଷ ଟଙ୍କା ପଠାଇଛନ୍ତି। ଯାହାର ତଦନ୍ତ ଭିଜିଲାନ୍ସ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe