ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣା: ୧୫ ଜଣଙ୍କ ନାଁରେ ମାମଲା ରୁଜୁ

Advertisment

ଏସ୍‌ପିଙ୍କୁ ସେବାୟତ ବିନାୟକଙ୍କ ଚ୍ୟାଲେଞ୍ଜ

ଏସ୍‌ପିଙ୍କୁ ସେବାୟତ ବିନାୟକଙ୍କ ଚ୍ୟାଲେଞ୍ଜ

ହିଂସା ପଛରେ ଷଡ଼ଯନ୍ତ୍ର! : ପୂର୍ବ ପ୍ରସ୍ତୁତି କରି ଆସିଥିଲେ ଦୁର୍ବୃତ୍ତ

ପୁରୀ: ତିନି ଦିନ ତଳେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବଡ ଡାକରା ବେଳେ ଦେଖାଯାଇଥିବା ହିଂସାକାଣ୍ଡ ନେଇ ପୁଲିସ ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏସ୍‌ପି ଡ. ସାର୍ଥକ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିସିଟିଭି ଫୁଟେଜ ଆଧାରରେ ଭଙ୍ଗାରୁଜା କରିଥିବା ସମସ୍ତ ୪୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଘଟଣା ଦିନ ରାଜସ୍ୱ ମନ୍ତ୍ରୀ ଓ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଘରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା।

ସେହିପରି ଏସ୍‌ପି ଷଡଙ୍ଗୀ କହିଛନ୍ତି, କାର୍ଯ୍ୟରେ ଅବହେଳା ଯୋଗୁଁ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏଥିରେ ୪ ଜଣ କନଷ୍ଟେବଲ ଓ ଜଣେ ହାବିଲଦାର ସାମିଲ ଅଛନ୍ତି। ସେମାନେ ହେଲେ ବିଶ୍ୱନାଥ ମିଶ୍ର (ହାବିଲଦାର), ସତ୍ୟବାନ ସ୍ୱାଇଁ (କନଷ୍ଟେବଲ), ନାଗାର୍ଜୁନ ପରିସ (କନଷ୍ଟେବଲ), ପପିନା ବେହେରା (କନଷ୍ଟେବଲ) ଓ ସୁମନ ଗୋଚ୍ଛାୟତ (କନଷ୍ଟେବଲ)।

ବରିଷ୍ଠ ସେବାୟତ ବିନାୟକ ଦାଶମହାପାତ୍ର ଏସ୍‌ପି ଡ. ସାର୍ଥକଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ସେବାୟତ ବିନାୟକ ପ୍ରତିକ୍ରିୟା ଦେଇଛନ୍ତି, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଶାନ୍ତି କମିଟି ଗଠନ କରିଥିଲେ। ଶାନ୍ତି କମିଟିର ୫ ଜଣଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ଜଣେ ଅତିରିକ୍ତ ଏସ୍‌ପି ଆସି ଆମକୁ ନିମନ୍ତ୍ରଣ କରିଥିଲେ ବୋଲି ସେ କହିଛନ୍ତି। ଏସ୍‌ପି ଏବେ କହୁଛନ୍ତି ଯେ, ଶାନ୍ତି କମିଟି ଗଠନ କରାଯାଇ ନାହିଁ। ବିନାୟକ ଏସ୍‌ପିଙ୍କୁ ଚ୍ୟାଲେଞ୍ଜ ଓ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏସ୍‌ପି କ’ଣ ସିସିଟିଭି ଫୁଟେଜ ଦେଖାଇ ପାରିବେ ଯେ, ମୁଁ ଭଙ୍ଗାରୁଜା କରୁଛି। ମୁଁ ପୁଲିସକୁ ସାହାଯ୍ୟ କରିଛି। ଏସବୁ ସତ୍ତ୍ୱେ ଆମ ବିରୋଧରେ ମାମଲା ରୁଜୁ ହେବା ଦୁଃଖଦ ଘଟଣା। ସେ କହିଛନ୍ତି, ସେବାୟତଙ୍କ ସପକ୍ଷରେ କହୁଥିବାରୁ ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି। ଦରକାର ପଡିଲେ ଉପଯୁକ୍ତ ପ୍ରମାଣ ସହ ଆମେ କୋର୍ଟର ଆଶ୍ରୟ ନେବୁ ବୋଲି ବିନାୟକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe