ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି ଜାରି ରହିବ, ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି

ହାଇକୋର୍ଟରେ ହାଜର ହେଲେ ଉଚ୍ଚଶିକ୍ଷା ସଚିବ

କଟକ : ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଜାନୁଆରି ଶେଷ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି କଟକଣା ଭିତରେ କାର୍ଯ୍ୟ କରିବ। କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଫୁଲ୍ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ କୋର୍ଟ କାର୍ଯ୍ୟ ନେଇ ଅଗଷ୍ଟ ୨୧ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଏହି ଅବଧି ପାଇଁ ବଳବତ୍ତର ରହିବ ବୋଲି ଆଜି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଫଳରେ ପୂର୍ବଭଳି ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ମାମଲା ଶୁଣାଣି ଜାରି ରହିବ। ଉଭୟ ପୁରୁଣା ଓ ନୂଆ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ। ଆଇନଜୀବୀ‌ ଓ ପକ୍ଷମାନେ ଘ‌ରୁ କିମ୍ବା କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଅଂଶ ଗ୍ରହଣ କରିବେ। ଯଦି ଶୁଣାଣି ସମୟରେ ଆଇନଜୀବୀ ଅନୁପସ୍ଥିତ ରୁହନ୍ତି ତେବେ ମାମଲାରେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ କରାଯିବ ନାହିଁ। ହାଇକୋର୍ଟ ପରିସରରେ ମାମଲା ଶୁଣାଣିରେ ଅଂଶଗ୍ରହଣ ପାଇଁ କୌଣସି ବ୍ୟବସ୍ଥା ରହିବ ନାହିଁ।

ଜାରି ରହିଥିବା ବ୍ୟବସ୍ଥା ଅନୁସାରେ ନୂଆ ମାମଲା ସହିତ, ଜବାବ (କାଉଣ୍ଟର ଆ‌ଫିଡେଭିଟ୍), ବିଚାରାଧୀନ ମାମଲାରେ ଅନ୍ତରୀଣ ଆବେଦନ ଓ ଡକୁମେଣ୍ଟ ଦାଖଲ ଇ-ଫାଇଲିଂ ପୋର୍ଟାଲ କିମ୍ବା ଇ-ମେଲ୍ ଦ୍ବାରା କରାଯିବ। ବିକଳ୍ପ ଭାବେ ଯଦି ମାମଲା ଜରୁରୀ ଥାଏ ତେବେ ହାଇକୋର୍ଟ ପରିସରରେ ଥିବା ଡ୍ରପ୍ ବକ୍ସରେ ଏ ସଂପର୍କିତ ଆବେଦନ ଓ ଡକୁମେଣ୍ଟ ଦାଖଲ କରିହେବ। ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଡ୍ରପ୍ ବକ୍ସ ବ୍ୟବସ୍ଥା ରହିବ। ଏଥିସହିତ ରାଜ୍ୟର ସମସ୍ତ ସବ୍ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ) ଓ ଟ୍ରିବୁନାଲର କୋର୍ଟ କାର୍ଯ୍ୟ ନେଇ ହାଇକୋର୍ଟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ପୂର୍ବର ୨୧.୮.୨୦୨୦ ନିର୍ଦ୍ଦେଶନାମା ଅନୁସାରେ ଅନ୍ୟାଦେଶ ପର୍ଯ୍ୟନ୍ତ ନିମ୍ନ ଅଦାଲତ ଗୁଡିକ କାର୍ଯ୍ୟ ଜାରି ରହିବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ନିମ୍ନ ଅଦାଲତ/ଟ୍ରିବୁନାଲରେ ସମସ୍ତ ପ୍ରକାର ମାମଲା ବିଶେଷ କରି ବିଚାରାଧୀନ ବନ୍ଦୀଙ୍କ ମାମଲା, ପୁରୁଣା ଦେୱାନୀ ମୋକଦ୍ଦମା (ସୁଟ୍), ଅପିଲ, ରିଭିଜନ୍, ପାରିବାରିକ ବିବାଦର ଶୁଣାଣିରେ ଅଂଶଗ୍ରହଣ ପାଇଁ ଆଇନଜୀବୀଙ୍କୁ ପ୍ରବର୍ତ୍ତାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶୁଣାଣି ସମୟ କମ୍ କରିବା ପାଇଁ ଆଗୁଆ ଲିଖିତ ଯୁକ୍ତି ଦାଖଲ ପାଇଁ ଉତ୍ସାହିତ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe