ସରକାରୀ ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି ଚୟନକାରୀ ସଂସ୍ଥା, ଜାତିଗତ ପ୍ରମାଣପତ୍ର ନେଇ ଚିନ୍ତାରେ ପରୀକ୍ଷାର୍ଥୀ

Advertisment

ଅନଲାଇନ୍‌ ଆବେଦନବେଳେ ହନ୍ତସନ୍ତ

ଅନଲାଇନ୍‌ ଆବେଦନବେଳେ ହନ୍ତସନ୍ତ

ସରକାରୀ ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି ଚୟନକାରୀ ସଂସ୍ଥା, ଜାତିଗତ ପ୍ରମାଣପତ୍ର ନେଇ ଚିନ୍ତାରେ ପରୀକ୍ଷାର୍ଥୀ

Newstrack

ଭୁବନେଶ୍ବର : ରାଜ୍ୟରେ ସଂରକ୍ଷିତ ବର୍ଗଙ୍କୁ ଆୟ ପ୍ରମାଣ ପତ୍ର ଓ ଆବାସିକ ପ୍ରମାଣପତ୍ର ଅନଲାଇନ୍ ଯୋଗେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଗତବର୍ଷ ଡିସେମ୍ବର ୨୮ ତାରିଖରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟରେ ଥିବା ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ବିକାଶ ପାଇଁ ଆନ୍ତରିକତା ଦେଖାଇ ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର କ୍ୟାବିନେଟ୍‌ ବୈଠକ ଡାକି ୨୦୨୧ ଜନଗଣନାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସଂକଳ୍ପ ପାରିତ କରାଇଲେ। ପଛୁଆ ଓ ସଂରକ୍ଷିତ ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମହତ୍‌ ଉଦ୍ଦେଶ୍ୟକୁ ପାଳନ କରିବାକୁ ଯାଇ ସାଧାରଣ ପ୍ରଶାସନ ବିଭାଗ ସମସ୍ତ ଚୟନ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ପରୀକ୍ଷାର୍ଥୀକୁ ଜାତିଗତ ଓ ଆବାସିକ ପ୍ରମାଣପତ୍ର ପାଇଁ ଆତ୍ମଘୋଷଣା କରିବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ନିର୍ଦ୍ଦେଶ ଏବେ ଚୟନକାରୀ ସଂସ୍ଥାଙ୍କ ଅନଲାଇନ୍‌ ବ୍ୟବସ୍ଥାରେ ସ୍ଥାନ ପାଇନି। ଫଳରେ ପଛୁଆ ବର୍ଗର ହଜାର ହଜାର ପରୀକ୍ଷାର୍ଥୀ ଅନଲାଇନ୍‌ ଆବେଦନ କରିବାକୁ ବଞ୍ଚିତ ହେଉଛନ୍ତି।

ବର୍ତ୍ତମାନ ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ୍‌ କମିସନଙ୍କ ପକ୍ଷରୁ ଲାବୋରେଟୋରି ଆସିଷ୍ଟାଣ୍ଟ୍‌-ଷ୍ଟୋର କିପର୍‌, ଜୁନିୟର୍‌ ଆସିଷ୍ଟାଣ୍ଟ୍‌ ଏବଂ ମିଳିତ ପୁଲିସ ସର୍ଭିସ ପରୀକ୍ଷା ପାଇଁ ଅନଲାଇନ୍‌ ଆବେଦନପତ୍ର ଗ୍ରହଣ କରାଯାଉଛି। ଏଥିପାଇଁ ଓଏସ୍‌ଏସ୍‌ସି ପକ୍ଷରୁ ଉପଲବ୍ଧ ଅନଲାଇନ୍‌ ଫର୍ମର ପ୍ରଥମ ଚରଣରେ ଆବେଦନକାରୀ ନିଜ ବ୍ୟକ୍ତିଗତ ସୂଚନା ପ୍ରଦାନ କରିବା ପରେ ଦ୍ବିତୀୟ ଚରଣରେ ନିଜର ଜାତିଗତ ପ୍ରମାଣପତ୍ର ବିବରଣୀ ବିସ୍ତୃତ ଭାବେ ଦେବାକୁ ବ୍ୟବସ୍ଥା କରାଯାଇଛି। ଜଣେ ସଂରକ୍ଷିତ ବର୍ଗର ଆବେଦନକାରୀ ଦ୍ବିତୀୟ ଚରଣରେ ନିଜର ଜାତିଗତ ପ୍ରମାଣପତ୍ର ଦେବାକୁ ଗଲାବେଳେ ଅସୁବିଧାର ସମ୍ମୁଖୀନ ହେଉଛି। ଅଭିଯୋଗ ମୁତାବକ ଏସ୍‌ଇବିସି ଆବେଦନକାରୀଙ୍କ ପାଇଁ ଆତ୍ଣ ଘୋଷଣାନାମା (ସେଲ୍‌ଫ ଡିକ୍ଲାରେସନ୍‌) ପ୍ରଦାନ କରିବାର ବ୍ୟବସ୍ଥା ନାହିଁ। ଫଳରେ ଏହି ପଛୁଆ ବର୍ଗର ହଜାର ହଜାର ଆଶାୟୀ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ଏହାସହିତ ଯେଉଁ ପଛୁଆ ବର୍ଗ ଆବେଦନକାରୀଙ୍କର ଜାତିଗତ ପ୍ରମାଣପତ୍ର ବର୍ଷକରୁ ଅଧିକ ହୋଇଛି ସେମାନେ ବି ଅନଲାଇନ୍‌ରେ ଆବେଦନ କରିପାରୁନାହାନ୍ତି।

ଗତ ୨୦ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଯୁଗ୍ମ ଶାସନ ସଚିବ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ୍‌ କମିସନ୍‌ ଓ ଓଡ଼ିଶା ସବଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ପଛୁଆ ଓ ସଂରକ୍ଷିତ ବର୍ଗର ଶିକ୍ଷିତ ଯୁବକଯୁବତୀଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ସୁଯୋଗ ଦେବା ପାଇଁ ସରକାର ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଯୋଗେ ଆବେଦନ କରୁଥିବା ସଂରକ୍ଷିତ ଓ ପଛୁଆ ବର୍ଗର ଆବେଦନକାରୀ ଜାତିଗତ ପ୍ରମାଣପତ୍ର ବିନା ଆତ୍ମ ଘୋଷଣାନାମା ପ୍ରଦାନ କରିବେ। ଏଥିପାଇଁ ଅନ୍‌ଲାଇନ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଯଦି ଆବେଦନକାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଚୟନ ହେବେ ତାହେଲେ ନିଯୁକ୍ତି ପାଇଁ ଚୁଡ଼ାନ୍ତ ପର୍ଯ୍ୟାୟରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଯାଞ୍ଚ ପାଇଁ ଜାତିଗତ ଓ ଆବାସିକ ପ୍ରମାଣପତ୍ର ପ୍ରଦାନ କରିବାକୁ ପଡ଼ିବ। ଏଥିପାଇଁ ଅନଲାଇନ୍‌ ଆବେଦନ ଫର୍ମରେ ତୁରନ୍ତ ଆତ୍ମ ଘୋଷଣାନାମା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe