ପଦ୍ମପୁର ରାଜନୀତିରେ ‘ଜାତି’ ଖେଳ!

Advertisment
ପଦ୍ମପୁର ଉପନିର୍ବାଚନ: ଆଜି ଗଣତି, ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ‌ହେବ

ବରଗଡ଼ : ପଦ୍ମପୁର ରାଜନୀତିରେ ଏବେ ଜାତିଭିତ୍ତିକ ଖେଳ ପଶିଛି। ପୂର୍ବତନ କଂଗ୍ରେସ ସାଂସଦ ସଂଜୟ ଭୋଇ ବିଜେପିରେ ଯୋଗଦାନ ପରେ ଏହି ଖେଳକୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା ଆରମ୍ଭ ହୋଇଛି।

ପଦ୍ମପୁର ନିର୍ବାଚନମଣ୍ଡଳୀରେ ଅନୁସୂଚିତ ଜାତି ବର୍ଗର ୧୫.୮୫ ପ୍ରତିଶତ ଓ ଅନୁସୂଚିତ ଜନଜାତି ବର୍ଗର ୨୮.୬୩ ପ୍ରତିଶତ ଭୋଟର୍‌ ଅଛନ୍ତି। ଅର୍ଥାତ୍‌ ସମୁଦାୟ ୪୪.୪୮ ପ୍ରତିଶତ ଭୋଟ୍‌ ଏହି ବର୍ଗରେ ରହିଛି। ବରିହା ପରିବାର ଏହି ବର୍ଗର ଭୋଟର୍‌ଙ୍କ ସମର୍ଥନରେ ନିର୍ବାଚନରେ ବିଜୟ ହାସଲ କରିଆସୁଛନ୍ତି।

ସ୍ବାଭାବିକ ଭାବେ ବିଜେଡି ଏହି ଭୋଟ୍‌ ବ୍ୟାଙ୍କ୍‌ରୁ ସର୍ବାଧିକ ହାତେଇବା ପାଇଁ ଉଦ୍ୟମ କରିଆସୁଛି। ଅନ୍ୟପକ୍ଷରେ, ଦୁଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ମଧ୍ୟ ଏହି ଭୋଟ୍‌ ବ୍ୟାଙ୍କ୍‌ ଉପରେ ଆଖି ପକାଇଛନ୍ତି। ଏହାବାଦ୍‌ ନିର୍ବାଚନମଣ୍ଡଳୀରେ ପାଖାପାଖି ୪୦ପ୍ରତିଶତ ଓବିସି ଭୋଟର୍‌ ଅଛନ୍ତି। ସେମାନଙ୍କ ମଧ୍ୟରୁ କୁଲତା ଜାତିର ଭୋଟର୍‌ଙ୍କ ସଂଖ୍ୟା ସମୁଦାୟ ୨୫ ପ୍ରତିଶତ। ଦୁଇଦିନ ତଳେ କୁଲତା ଜାତିର କେତେଜଣ ସ୍ଥାନୀୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ପୁରୀରେ କୁଲତାଙ୍କ ପାଇଁ କଲ୍ୟାଣ ମଣ୍ଡପ ସମ୍ପର୍କରେ ଘୋଷଣା କରିଥିଲେ। ଖାଲି ଘୋଷଣା କରିନାହାନ୍ତି ଏଥିସକାଶେ ଟଙ୍କା ମଧ୍ୟ ମଞ୍ଜୁରୀ କରିଛନ୍ତି। ଏହି ଦୃଷ୍ଟିରୁ କୁଲତାଙ୍କ ଭୋଟ୍‌ବ୍ୟାଙ୍କ ବିଜେଡି ହାତକୁ ଚାଲିଯିବା ନେଇ ବିଜେପି ଅନୁମାନ କରିଛି। ଏହାକୁ ରୋକିବା ପାଇଁ ଦଳ ପୂର୍ବତନ ସାଂସଦ ସଞ୍ଜୟଙ୍କୁ ନିଜ ଶିବିରକୁ ଟାଣି ନେଇଥିବା କୁହାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୯ ନିର୍ବାଚନରେ ସଂଜୟ ଭୋଇ ୩,୯୭,୩୭୫ ଭୋଟ୍‌ ପାଇଥିଲେ। ଯାହା ସମୁଦାୟ ମତଦାନର ୪୩.୨୦ ପ୍ରତିଶତ ଥିଲା। ୨୦୧୪ରେ ପୁଣି ତାଙ୍କୁ ଟିକଟ୍‌ ମିଳିଥିଲା। ହେଲେ, ୨୦୧୪ରେ ସେ ମାତ୍ର ୨,୭୪,୬୧୦ ଭୋଟ୍‌ ପାଇଥିଲେ। ଅର୍ଥାତ୍‌ ତାଙ୍କ ଭୋଟ୍‌ ହାର ୨୪.୪୪କୁ ହ୍ରାସ ପାଇଥିଲା। ପରାଜିତ ହେବାପରେ ସଂଜୟଙ୍କୁ କ୍ବଚିତ୍‌ ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳୁଥିଲା। ଦଳୀୟ କାର୍ଯ୍ୟକ୍ରମ ଏବଂ ଅନ୍ୟ ନିର୍ବାଚନ ପ୍ରଚାରରେ ବି ତାଙ୍କ ସକ୍ରିୟ ଭୂମିକା ନ ଥିଲା। ଏବେ ତାଙ୍କ ଭୋଟ୍‌ ବ୍ୟାଙ୍କ୍‌ କେତେ, ତାହା ସ୍ପଷ୍ଟ ଜଣାପଡ଼ୁନି। ହେଲେ, ତାଙ୍କୁ ନିଜ ଶିବିରକୁ ଆଣି କୁଲତା ଭୋଟ୍‌ରୁ କିଛି ଅଂଶ ହାତେଇବାକୁ ବିଜେପି ରଣନୀତି କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe