Image Source: News Nation
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ହାଟବାଦଡାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ସମ୍ପୃକ୍ତ ବ୍ୟବସାୟୀ ଦୀର୍ଘଦିନ ଧରି ଗୋରୁ ବ୍ୟବସାୟ କରୁଥିଲେ। ବୁଧବାର ସକାଳ ପ୍ରାୟ ୭ଟାରେ ହାଟବାଦଡାରେ ସେ ଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ କୌଣସି ଉଦ୍ଦେଶ୍ୟରେ ଗୁଳି କରି ଫେରାର ହୋଇଯାଇଛନ୍ତି। ଗୁଳିମାଡ ପରେ ସମ୍ପୃକ୍ତ ବ୍ୟବସାୟୀ ତଳେ ପଡିଯାଇଥିଲେ। ଗୁଳିଟି ତାଙ୍କ ଛାତିରେ ବାଜିଥିବା ଅନୁମାନ କରାଯାଉଛି। ମୃତବ୍ୟକ୍ତିଙ୍କ ନାମ ଜଣାପଡିନାହିଁ।
ସ୍ଥାନୀୟ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟବସାୟୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅତ୍ୟଧିକ ରକ୍ତଶ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରୁଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇନାହିଁ। ଏ ସଂକ୍ରାନ୍ତରେ ରାଇରଙ୍ଗପୁର ଥାନା ପୁଲିସକୁ ପଚାରିବାରୁ ସମ୍ପୃକ୍ତ ବ୍ୟକ୍ତି କେଉଁଠାର, କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଗୁଳି କରାଯାଇଛି, ତାଙ୍କ ଠିକଣା ଆଦିକୁ ନେଇ ଖୋଳତାଡ ଜାରି ରହିଛି ବୋଲି ସୂଚନା ମିଳିଛି।
Follow Us