NoveltyCart
ଯୁଯୁମୁରା: କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନ୍ୟମନସ୍କ ଥାଇ ଗାଧୁଆଘରେ ଲାଗିଥିବା ୱାଟର୍ ହିଟର୍କୁ ଧରି ପକାଇଲେ ମହିଳା। ଫଳରେ ସେଥିରୁ ବିଦ୍ୟୁତ୍ ଆଘାତ ଲାଗି ଚାଲିଗଲା ତାଙ୍କ ଜୀବନ। ରବିବାର ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା କୟାକୁଦ ପଞ୍ଚାୟତ ଅନ୍ତର୍ଗତ ଅନ୍ଧାରୀ ଗ୍ରାମରେ। ମୃତା ମହିଳା ହେଉଛନ୍ତି ଦିଗମ୍ବର ପ୍ରଧାନଙ୍କ ସ୍ତ୍ରୀ ଅଞ୍ଜନା ପ୍ରଧାନ (୪୫)। ପୁଲିସ ସୂଚନାନୁସାରେ ଆଜି ସକାଳ ପ୍ରାୟ ସାଢେ ୯ଟା ବେଳେ ଅଞ୍ଜନା ଗରମ ପାଣିରେ ଗାଧୋଇବା ପାଇଁ ଗାଧୁଆ ଘରେ ଏକ ପାତ୍ରରେ ୱାଟର ହିଟର ଲଗାଇଥିଲେ। ପରେ ସେ ଘରର ଅନ୍ୟ କାମରେ ବ୍ୟସ୍ତ ରହିଲେ।
କିଛି ସମୟ ପରେ ଗାଧୁଆ ଘରକୁ ଯାଇ ୱାଟର୍ ହିଟର୍ଟିକୁ ବନ୍ଦ ନ କରି ଅନ୍ୟମନସ୍କ ଭାବେ ପାଣିରେ ହାତ ବୁଡ଼ାଇ ଦେବାରୁ ବିଦ୍ୟୁତ୍ ଆଘାତ ଲାଗି ଘଟଣା ସ୍ଥଳରେ ସେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନକୁ ପଠାଇଥିଲେ। ମାତ୍ର ସମ୍ବଲପୁରରେ ପହଞ୍ଚିଲା ପରେ ସେଠାରେ ଡାକ୍ତର ଅଞ୍ଜନାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଯୁଯୁମୁରା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବୁର୍ଲାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
Follow Us