ହାଲ୍‌ ଦୁର୍ନୀତିର ଆଉ ଏକ ଫର୍ଦ, ତତ୍କାଳୀନ ଡିଜିଏମ୍‌ଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା

୧୦ଟି ସ୍ଥାନରେ ସିବିଆଇ ଚଢ଼ଉ

ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ଓଡ଼ିଆ ଆଇପିଏସ୍‌

Representational Image

ଭୁବନେଶ୍ବର: କୋରାପୁଟ ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍‌ସ ଲିମିଟେଡ୍ (ହାଲ୍)ରେ ଆଉ ଏକ ଦୁର୍ନୀତି ସାମ୍ନାକୁ ଆସିଛି। ବିନା କାଗଜପତ୍ରରେ ଠିକାଦାରଙ୍କୁ ଅନୁକମ୍ପା ଦେଖା ଯାଇଥିବା ଅଭିଯୋଗରେ ହାଲ୍‌ର ନିଲମ୍ବିତ ହୋଇଥିବା ତତ୍କାଳୀନ ମ୍ୟାନେଜର ଭବେନ ମିତ୍ରଙ୍କ ସମେତ ୬ ଜଣଙ୍କ ବିରୋଧରେ ଭୁବନେଶ୍ବର ସିବିଆଇ ଶାଖାରେ ମାମଲା ରୁଜୁ ହୋଇଛି। ସିବିଆଇର ଏକାଧିକ ଟିମ୍ ହାଲ୍ କାର୍ଯ୍ୟାଳୟ, ସମସ୍ତ ଅଭିଯୁକ୍ତଙ୍କ ଘର ସମେତ ୧୦ଟି ସ୍ଥାନରେ ଚଢ଼ଉ କରିଛି। ଏହା ପୂର୍ବରୁ ୨୦୧୮ ଏବଂ ୨୦୧୯ରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ହେଲେ ହାଲ୍‌ର ତତ୍କାଳୀନ ଡିଜିଏମ୍(ଫାଇନାନ୍ସ) ତଥା ନିଲମ୍ବିତ ହୋଇଥିବା ବରିଷ୍ଠ ମ୍ୟାନେଜର ଭବେନ ମିତ୍ର, ଇଞ୍ଜିନ୍ ବିଭାଗର ଅବସରପ୍ରାପ୍ତ ଇଞ୍ଜିନିୟର (ସପ୍) ମହେଶ୍ବର ବେହେରା, ଭବେନଙ୍କ ସମ୍ପର୍କୀୟ ତୁହିନ ପତାରି, ହାଲ୍‌ର ପୂର୍ବତନ ଶ୍ରମିକ ନିଯୁକ୍ତି ଠିକାଦାର ଜ୍ୟୋତି ପାଢ଼ୀ, ଇଷ୍ଟେଟ୍ ବ୍ୟବସାୟୀ ମନୋରଞ୍ଜନ ମହାପାତ୍ର, ଶ୍ରମିକ ଠିକାଦାର ଧନୁର୍ଜୟ କାନ୍ତ। ଇଞ୍ଜିନ୍ ଡିଭିଜନ୍ ଡିଜିଏମ୍ (ଫାଇନାନ୍ସ) ନିହାର ରଞ୍ଜନ ରଥଙ୍କ ଅଭିଯୋଗକୁ ଭିତ୍ତକରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା-୧୨୦(ବି), ୪୦୯, ୪୨୦, ୪୬୮, ୪୭୧ ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି ସିବିଆଇ।

ମିଳିଥିବା ସୂଚନା ଅନୁସାରେ, ବିନା କାଗଜପତ୍ରରେ କିଛି ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆ ଯାଇଥିଲା। ସେମାନଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ମଧ୍ୟ ହାଲ୍ ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର୍ ହୋଇଥିଲା। ଏଥିପାଇଁ ଶ୍ରମିକମାନଙ୍କର ଜାଲ କାଗଜପତ୍ର ତିଆରି ହୋଇଥିଲା। ଶ୍ରମିକ ନ ଥାଇ ମଧ୍ୟ ସେମାନଙ୍କ ନାଁରେ ଟଙ୍କା ଉଠା ଯାଇଥିଲା। ୨୦୧୧ରୁ ୨୦୧୩ ଫେବ୍ରୁଆରି ମଧ୍ୟରେ ଜାଲ କାଗଜପତ୍ର ଜରିଆରେ ୧୭ ଲକ୍ଷ ୬୭ ହଜାର ୭୨୧ ଟଙ୍କାର ବିଲ୍ କରା ଯାଇ ଅଭିଯୁକ୍ତମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା। ଭବେନ ମିତ୍ର ଅବସରପ୍ରାପ୍ତ ଇଞ୍ଜିନିୟର ମହେଶ୍ବର ବେହେରାଙ୍କ ସହ ମିଶି ଏହି ଷଡ଼୍‌ଯନ୍ତ୍ର କରିଥିଲେ। ଏଥିରେ ମଧ୍ୟସ୍ଥ ସାଜିଥିଲେ ଭବେନଙ୍କ ଶାଳକ ତୁହିନ ପତାରି। ଏହି ଭଳି ମିଳିମିଶି ଲୁଟ୍ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୯ ଜାନୁଆରୀ ୩୦ ତାରିଖରେ ସିବିଆଇ ଅନ୍ୟ ଏକ ଠକେଇ ମାମଲା ରୁଜୁ କରିଥିଲା। ୨୦୧୩ରୁ ୨୦୧୭ ଭିତରେ ୧୩ କୋଟି ୨୮ ଲକ୍ଷ ଟଙ୍କାର ଠକେଇ ନେଇ ଭବେନଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ୨୦୧୮ ଅକ୍ଟୋବରରେ ୫ କୋଟି ଟଙ୍କା ଠକେଇ ନେଇ ମଧ୍ୟ ଭବେନ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ସିବିଆଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe