Image Courtesy of Times of India
ସମ୍ବଲପୁର: ପୋଷ୍ଟମାଷ୍ଟର ଜେନେରାଲ୍ ସମ୍ବଲପୁର ମଣ୍ଡଳରେ କାର୍ଯ୍ୟରତ ଜଣେ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ନେଇ ସିବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ମାମଲାରେ ଆଉଜଣଙ୍କୁ ବି ଗିରଫ ବି କରାଯାଇଛି। ଆଜି ଉଭୟଙ୍କୁ ଭୁବନେଶ୍ବରରେ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ୧ ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ସହକାରୀ ଯନ୍ତ୍ରୀ ଶୁଭାଶିଷ ପାଲ ସିବିଆଇ ଟିମ୍ ହାତରେ ଧରାପଡ଼ିଥିଲେ। ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇଁ ସହକାରୀ ଯନ୍ତ୍ରୀ ଜଣକ ଟଙ୍କା ନେଉଥିଲେ। ଭୁବନେଶ୍ବରରୁ ଆସିଥିବା ୭ ଜଣିଆ ସିବିଆଇ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ସହିତ ମଧ୍ୟସ୍ଥି କରୁଥିବା ଦେବେନ୍ଦ୍ର ପୁହାଣଙ୍କୁ ମଧ୍ୟ ଏହି ଟିମ୍ ଗିରଫ କରିଥିଲା।
/sambad/media/post_attachments/wp-content/uploads/2023/04/cbi-sambalpur-667x430.jpg)
ସମ୍ବଲପୁର ମଣ୍ଡଳ ଅଧୀନରେ ଥିବା ରାଉରକେଲାର ନ୍ୟୁ ପି ଆଣ୍ଡ ଟି କଲୋନୀରେ ଡାକ ଷ୍ଟାଫ୍ କ୍ୱାର୍ଟର୍ସର ମରାମତି ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ୧୯.୪୭ ଲକ୍ଷ ଟଙ୍କାର କାର୍ଯ୍ୟ ସମାପ୍ତ କରିଥିଲେ ଠିକାଦାର। ଅବଶିଷ୍ଟ ବିଲ୍ ପାସ୍ କରିବା ପାଇଁ ଠିକାଦାରଙ୍କ ଠାରୁ ଶୁଭାଶିଷ ଟଙ୍କା ମାଗିଥିଲେ। ପଣା ସଂକ୍ରାନ୍ତି ଅବସରରେ କାର୍ଯ୍ୟାଳୟ ଛୁଟି ଥିବାରୁ ଯନ୍ତ୍ରୀ ଜଣକ କାର୍ଯ୍ୟାଳୟରେ ଟଙ୍କା ନେବାକୁ ଯୋଜନା କରିଥିଲେ। ଠିକାଦାରଙ୍କୁ ଟଙ୍କା ଧରି କାର୍ଯ୍ୟାଳୟକୁ ଆସିବା ପାଇଁ ଜଣାଇବା ପରେ ଠିକାଦାର ଜଣକ ସିବିଆଇ ଟିମ୍ ସହ ଯୋଗାଯୋଗ କରିଥିଲେ। ସିବିଆଇ ଟିମ୍ ରାତି ଟ୍ରେନ୍ରେ ଆସି ଶୁକ୍ରବାର ସକାଳେ ସମ୍ବଲପୁର ପହଞ୍ଚିଥିଲେ। ଯୋଜନା ଅନୁଯାୟୀ, ଠିକାଦାର ଜଣକ ଟଙ୍କା ଧରି ପୋଷ୍ଟମାଷ୍ଟର ଜେନେରାଲ୍ ସମ୍ବଲପୁର ମଣ୍ଡଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେ ଟଙ୍କା ଦେବା ସମୟରେ ସିବିଆଇ ଟିମ୍ ତାଙ୍କୁ ଧରି ନେଇଥିଲେ। ଅଭିଯୁକ୍ତଙ୍କ ଘର ଥିବା ଭୁବନେଶ୍ୱର,ସମ୍ବଲପୁର ଓ ପାଟନାରେ ବି ଏକକାଳୀନ ଚଢ଼ଉ କରାଯାଇଛି।
Follow Us